Odisha News

ଗଜପତି : ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ମାତୃପିତୃ ହୀନ ଶିଶୁଙ୍କ ପାଇଁ କମ୍ପ୍ୟୁଟର , ଆତ୍ମରକ୍ଷା କୌଶଳ ଓ ନୃତ୍ୟ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୬ : ଗଜପତି ଜିଲ୍ଲାରେ ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ ମାନଙ୍କରେ ରହି ଆସୁଥିବା ମାତୃପିତୃ ହୀନ ଶିଶୁ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଏବଂ ଆତ୍ମରକ୍ଷା କୌଶଳ ଉନ୍ନତି କାର୍ଯ୍ୟକ୍ରମ ସହ ନୃତ୍ୟଶିକ୍ଷା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି ।
ଜିଲ୍ଲାର ଗୁମ୍ମାରେ ଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ “ନିଶାନ ସାଲୋମ ଚିଲଡ୍ରେନ ହୋମ ରେ ରହୁଥିବା ୨୮ ଜଣ ଶିଶୁଙ୍କ ମଧ୍ୟରୁ ୧୬ ଜଣଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ଏବଂ ଅନ୍ୟ ୧୨ ଜଣଙ୍କ ପାଇଁ ନୃତ୍ୟ ଶିକ୍ଷା ଆରମ୍ଭ କରାଯାଇଛି ।
ସେହିଭଳି ଜିଲ୍ଲାର ଗୋସାଣୀ ବ୍ଲକ ଅନ୍ତର୍ଗତ ଆର: ସୀତାପୁର ଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ “ଶ୍ରୀ ଜଗନ୍ନାଥ ନିକେତନ” ରେ ରହୁଥିବା ୨୫ ଜଣ ଶିଶୁଙ୍କ ପାଇଁ ଆତ୍ମରକ୍ଷା କୌଶଳ ଉପରେ ପ୍ରଶିକ୍ଷଣ ଦିଆହେଉଛି ।
ଜିଲ୍ଲାର ବି: ସୀତାପୁର ଠାରେ ଥିବା ଶିଶୁଯତ୍ନ ଅନୁଷ୍ଠାନ “ପ୍ରାଇଡ” ରେ ରହୁଥିବା ୩୬ ଜଣ ଶିଶୁଙ୍କ ମଧ୍ୟରୁ ଆଗ୍ରହ ଥିବା ୧୮ ଜଣ ଶିଶୁଙ୍କ ନିମନ୍ତେ ନୃତ୍ୟଶିକ୍ଷା ଆରମ୍ଭ କରାଯାଇଛି ।
ଶିଶୁ ମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବଂ ଶିଶୁମାନଙ୍କ ସମୟକୁ ଠିକ ଭାବେ ଉପଯୋଗ କରିବା ପାଇଁ ସ୍ଥାନୀୟ ପ୍ରଶିକ୍ଷକ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ସବୁ ଆରମ୍ଭ କରାଯିବ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ଏହିସବୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଆସନ୍ତା ୨ ମାସ ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ସେଥିରେ ଭଲ ପ୍ରଦର୍ଶନ କରୁଥିବା ଓ ଆଗ୍ରହ ପ୍ରକାଶ କରୁଥିବା ଶିଶୁମାନଙ୍କୁ ଆଗାମୀ ଦିନରେ ଯଥେଷ୍ଟ ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରଶିକ୍ଷକ ମାନେ ସହଯୋଗ କରିବା ସହ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବ ।
ଯେଉଁଥିରେ କି ଶିଶୁମାନେ ପାଠ ପଢ଼ିବା ସହ ସେମାନଙ୍କ ମନୋରଞ୍ଜନ ହୋଇପାରିବ ଏବଂ ସେମାନେ ନିଜକୁ ଦକ୍ଷ ପ୍ରମାଣିତ କରିବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ନୃତ୍ୟ ଶିକ୍ଷା ନିମନ୍ତେ ଶ୍ରୀ ଶୁଭେନ୍ଦୁ ସେନାପତି ଓ ଶ୍ରୀ ଲୋକାପୁ ଜଗନ୍ନାଥ ରାଓ , ଆତ୍ମରକ୍ଷା କୌଶଳ ଶିକ୍ଷା ନିମନ୍ତେ ଶ୍ରୀ ନାଗେଶ୍ଵର ମହାପାତ୍ର ଏବଂ କମ୍ପୁଟର ଶିକ୍ଷା ନିମନ୍ତେ ଶ୍ରୀ ସମ୍ଭ୍ରାମ ବୀର ପ୍ରମୁଖ ପ୍ରଶିକ୍ଷଣ ଦେବାପାଇଁ ନିଯୁକ୍ତ ହୋଇଛନ୍ତି ।

Related Posts

Seo wordpress plugin by www.seowizard.org.