Odisha News

ଗଜପତି : ବିଦ୍ୟୁତ କର୍ମଚାରୀମାନଙ୍କୁ ବିଦ୍ୟୁତ ବ୍ୟବହାର-ଗତ ସୁରକ୍ଷାର ଦକ୍ଷତା ବୃଦ୍ଧି ସମ୍ପର୍କିତ ସଚେତନତା ତାଲିମ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୧୨ : ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ରାଜ ସୀତାପୁର ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସେଞ୍ଚୁରିଅନ ପ୍ରାଇଭେଟ ଆଇଟିଆଇ-ଗ୍ରାମତରଙ୍ଗ ର ସମ୍ମିଳନୀ କକ୍ଷଠାରେ “ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିତରଣ କାରୀ କମ୍ପାନୀ(ଟିପିସୋଡ଼ଲ)ପକ୍ଷରୁ ରାୟଗଡ଼ା ସର୍କଲ ଆନୁକୂଲ୍ୟରେ କମ୍ପାନୀର କ୍ଷେତ୍ର ବିଦ୍ୟୁତ କର୍ମଚାରୀ ତଥା ଲାଇନମ୍ୟାନ ମାନଙ୍କ ନିମନ୍ତେ ବିଦ୍ୟୁତର ବ୍ୟବହାରଗତ ରହିଥିବା ବିଭିନ୍ନ ସୁରକ୍ଷାର ଦକ୍ଷତା ବୃଦ୍ଧି ସମ୍ପର୍କିତ ଏକ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଦକ୍ଷତା ବୃଦ୍ଧି ସଚେତନତା ତାଲିମ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଗଙ୍ଗା ଗୌରୀ ପ୍ରସାଦ ପଟନାୟକ ଏବଂ ସବ-ଡିଭିଜନଲ ଅଧିକାରୀ ଇଁ: ସ୍ମୃତି ରଞ୍ଜନ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟୁତ କ୍ଷେତ୍ରରେ କାର୍ଯ୍ୟ କରିବା ଏକ ବିପଦପୂର୍ଣ୍ଣ ।
ଏହି ବିଦ୍ୟୁତ କାର୍ଯ୍ୟ କଲାବେଳେ ସୁରକ୍ଷିତ ଓ ସତର୍କତା ଏହି ଦୁଇଟି ଦିଗ ପ୍ରତି ଦୃଷ୍ଟି ଦେବା ଅତ୍ୟନ୍ତ ଜରୁରୀ । ତେଣୁକରି ବିଦ୍ୟୁତ କର୍ମଚାରୀ ତଥା ଲାଇନମ୍ୟାନ ମାନେ କିଭଳି କାର୍ଯ୍ୟ କ୍ଷେତ୍ରରେ ସତର୍କତାର ସହ ଶୃଙ୍ଖଳିତ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରିବେ , କାର୍ଯ୍ୟ କଲାବେଳେ ନିଜେ ସୁରକ୍ଷିତ ରହିବା ପାଇଁ କିଭଳି ସୁରକ୍ଷା ଉପକରଣ ପିନ୍ଧି କାର୍ଯ୍ୟ କରିବେ ଏବଂ ଶତ-ପ୍ରତିଶତ ଦୁର୍ଘଟଣା ମୁକ୍ତ ତଥା ଜିରୋ-କାଜୁଆଲଟି କାର୍ଯ୍ୟ ସମ୍ପାଦନ କିଭଳି କରିବେ, ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଁ: ଦେବବ୍ରତ ସାହୁ , ଇଁ: ରବି କୁମାର ଆଚାର୍ଯ୍ୟ , ଇଁ: ପୀତାମ୍ବର ସାହୁ , ଇଁ: ମାନସ ରଞ୍ଜନ ସେନାପତି ଏବଂ ଇଁ: ଅଭିଜିତ ତ୍ରିପାଠୀ ପ୍ରମୁଖ ମଞ୍ଚଆସିନ ରହି ବିଦ୍ୟୁତ କର୍ମଚାରୀ ମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଚିହ୍ନଟିକରଣ ଓ ଏହାର ନିବାରଣ ସମେତ ମନୋଭାବ, ବ୍ୟବହାର ଓ ପରିଣାମ ସମ୍ପର୍କରେ କହି କିଭଳି ସୁରକ୍ଷିତ ଭାବେ ଦୁର୍ଘଟଣା ମୁକ୍ତ କାର୍ଯ୍ୟ ସମ୍ପାଦନା କରିବେ ପ୍ରଭୃତିର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଶ୍ରୀ ପରେଶ ପ୍ରସାଦ ମହାପାତ୍ର ଯୋଗଦେଇ କାର୍ଯ୍ୟ କ୍ଷେତ୍ରରେ ବିଦ୍ୟୁତ କର୍ମଚାରୀ ମାନେ କାର୍ଯ୍ୟ କଲାବେଳେ ଶତ-ପ୍ରତିଶତ ଦୁର୍ଘଟଣା ମୁକ୍ତ ତଥା ଜିରୋ କାଜୁଆଲଟିକୁ କିଭଳି ସୁନିଶ୍ଚିତ କରାଇ କାର୍ଯ୍ୟ ସମ୍ପାଦନ ପ୍ରତି ଗୁରୁତ୍ୱ ଦେଇ ଶୃଙ୍ଖଳିତ ଭାବେ ନିଜ ଜୀବନକୁ ସୁରକ୍ଷିତ ରଖିବେ , ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ।
ମୁଖ୍ୟତଃ ପ୍ରଶିକ୍ଷଣ ସମୟରେ କାର୍ଯ୍ୟ କ୍ଷେତ୍ରରେ ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ଟ୍ରାନ୍ସଫର୍ମର ହେଉ କି ବିଧ୍ୟୁତ ଖୁଣ୍ଟରେ, ଛିଣ୍ଡି ଯାଇଥିବା ତାର , ମେନ ସୁଇଚ କାମ କି ଲାଇନ ଚାର୍ଜ କି ଅନ୍ୟାନ୍ୟ ବିଦ୍ୟୁତ କାର୍ଯ୍ୟ ହେଉ, ଏସବୁ କ୍ଷେତ୍ରରେ ବିଦ୍ୟୁତ କାର୍ଯ୍ୟ କଲାବେଳେ ନିଶ୍ଚିତ ଭାବେ ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ ଯଥା:- ସୁରକ୍ଷା ହେଲମେଟ , ବୈଦ୍ୟୁତିକ ସୁରକ୍ଷା ଜୋତା ଓ ହାତ ଗ୍ଲୋବସ ପିନ୍ଧିବା ଏବଂ ଏଥି ସହିତ ଅନ୍ୟମନସ୍କ ହୋଇ ଓ ମଦ୍ୟପାନ କରି କାର୍ଯ୍ୟ ନ କରିବା , କମ୍ପାନୀର ସୁରକ୍ଷା ପ୍ରଣାଳୀ ଓ ନିର୍ଦ୍ଦେଶାବଳୀ ମାନି କାର୍ଯ୍ୟ କରିବା , କାର୍ଯ୍ୟରତ ସମୟରେ ନିଜ ଜୀବନକୁ ସୁରକ୍ଷିତ ରଖି ସତର୍କତା ଅବଲମ୍ବନ କରି ନିଷ୍ଠାର ସହ ଶୃଙ୍ଖଳିତ ଭାବେ କାର୍ଯ୍ୟ ସମ୍ପାଦନା କରିବା ପ୍ରଭୃତି ଉପରେ ସଚେତନ କରାଇ ତାଲିମ ପ୍ରଦାନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଟିପିସୋଡ଼ଲ କମ୍ପାନୀ ଅଧିନସ୍ତ ଗଜପତି ଜିଲ୍ଲାର ଗାରାବନ୍ଧ , ରାୟଗଡ ଓ ଉପଲଡା ସେକ୍ସନର ମୋଟ ୪୮ ଜଣ ବିଦ୍ୟୁତ ଲାଇନମ୍ୟାନ କର୍ମଚାରୀ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଉପଲଡା ସେକ୍ସନ ସୁପରଭାଇଜର ଶ୍ରୀ ରାଜେଶ କୁମାର ଜେନା , ଗାରାବନ୍ଧ ସେକ୍ସନ ସୁପରଭାଇଜର ଶ୍ରୀ ବି: କୋଟେଶ୍ୱର ରାଓ ଏବଂ ରାୟଗଡ ସେକ୍ସନ ସୁପରଭାଇଜର ଶ୍ରୀ ଏନ: ପ୍ରବୀଣ ଓ ସୁରକ୍ଷା ଅଧିକାରୀ ଶ୍ରୀ ସୂର୍ଯ୍ୟକାନ୍ତ ସିଂ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ। ।

Related Posts

Seo wordpress plugin by www.seowizard.org.