Odisha News

ଗଜପତି : ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ରଜ-ମଉଜ ଉତ୍ସବ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୬ : ପାରଳାଖେମୁଣ୍ଡି ସ୍ଥିତ”ୟୁ-ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଆଜି ରଜ ସଂକ୍ରାନ୍ତି ଦିନ ଅବସରରେ ସଂସ୍କୃତି ଓ ପରମ୍ପରାର ଗଣପର୍ବ “ରଜ-ମଉଜ ଉତ୍ସବ , ପ୍ରଗତି ମହିଳା ସଂଗଠନ ପକ୍ଷରୁ ଏକ ବର୍ଣ୍ଣାଢ୍ୟ ପୂର୍ଣ୍ଣ ପରିବେଶ ମଧ୍ୟରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି ।
ଏହି ଅବସରରେ ସଂଗଠନର ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟନାୟକଙ୍କ ସଭାପତିତ୍ୱରେ ଏକ ତାତ୍ପର୍ଯ୍ୟ -ପୂର୍ଣ୍ଣ ସଚେତନତା ସଭା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସଭା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ଼ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସାହିତ୍ୟିକା ଶ୍ରୀମତୀ ସସ୍ମିତା ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ତଥା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଆଚାର‌୍ୟ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଓ ସଂଗଠନର ସଂଯୋଜକ ତଥା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ମୁଖ୍ୟ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।
ଅତିଥି ମାନେ ମୁଖ୍ୟତଃ ସଂସ୍କୃତି ଓ ପରମ୍ପରାର ଗଣପର୍ବ ରଜ ଉତ୍ସବ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରି ସଭ୍ୟତା ଯେତେ ପ୍ରଗତି ପଥରେ ବିକଶିତ ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବାସହ ଏହାକୁ ବଜାୟ ରଖିବା ଆମର ନୈତିକ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି କହିବା ସହ ସମାଜର ସମୃଦ୍ଧ ସଂସ୍କୃତିର ଏହା ଏକ ନିଦର୍ଶନ ଏବଂ ସମାଜ ପାଇଁ ଏହି ଗଣପର୍ବ ଏକ ସଚେତନତା ସୃଷ୍ଟିକାରୀ ବାର୍ତ୍ତା ବୋଲି ବକ୍ତା ମାନେ କହିଥିଲେ ।
ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥି ବିବରଣୀ ପାଠ କରି ରଜ-ମଉଜର ଏହି ଚାରି ଦିନରେ ପ୍ରଥମ ଦିନ ପହିଲି ରଜ , ଦ୍ଵିତୀୟ ଦିନ ରଜ ସଂକ୍ରାନ୍ତି , ତୃତୀୟ ଦିନ ଭୂମି ଡାହାଣ ଓ ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ପୂର୍ବକ ଏହି ରଜ ପର୍ବ କିଭଳି ପାଳନ କରା ଯାଇଥାଏ , ସେ ସବୁର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ସଂଗଠନର ଉପେଦେଷ୍ଟା ତଥା ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ ।
ଏହି ଅବସରରେ ଓଡ଼ିଆ ବକ୍ତୃତା , ଆରିସା- କାକରା ଓ ପୋଡ଼ ପ୍ରସ୍ତୁତି, ପୁଚୀ ଖେଳ ଓ ହୁଳହୁଳି ପ୍ରଭୃତି ରଙ୍ଗାରଙ୍ଗ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।
ଏହି ସମସ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ଓ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା ।
ଶେଷରେ ରଜ-ଗୀତ ପରିବେଷଣ କରାଯିବା ସହ ରଜ ଗୀତ ଯଥା:-“ବନସ୍ତେ ଡାକିଲା ଗଜ , ବରଷକେ ଥରେ ଆସିଛି ରଜ–ଆସିଛି ରଜଲୋ ଘେନି ନୂଆ ସଜବାଜ” ଗୀତର ତାଳେ ତାଳେ ମହିଳା ଓ ଯୁବତୀ ମାନେ ରଜ-ଦୋଳିରେ ଖେଳି ମସଗୁଲ ହୋଇ ଯାଇଥିଲେ ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ସଂଗଠନର ସଦସ୍ୟା ଶ୍ରୀମତୀ ସୁନିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଗତ ଦୁଇବର୍ଷ ଧରି କରୋନା ମହାମାରୀର ପ୍ରକୋପ ଯୋଗୁଁ ଏହି ସଂସ୍କୃତି ଓ ପରମ୍ପରାର ଗଣପର୍ବ ସମ୍ପୂର୍ଣ୍ଣ ଭାବେ ଫିକା ପଡି ଯାଇଥିଲା ।
ଚଳିତ ଥର କରୋନା ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଥିବା ଯୋଗୁଁ ଏହି ପର୍ବକୁ ପ୍ରଗତି ମହିଳା ସଂଗଠନ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ବହୁ ସଂଖ୍ୟାରେ ଯୁବତୀ ଓ ମହିଳା ମାନଙ୍କୁ ନେଇ ଅତି ଧୁମ-ଧାମରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି ।
ଏହି ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ ମହିଳା , ଯୁବତୀ ଓ ନିମନ୍ତ୍ରିତ ଅତିଥି ମାନେ ଏକତ୍ରିତ ଭାବେ ସାଙ୍ଗସାଥୀ ମେଳ ହୋଇ ରଜ ଦୋଳି ଖେଳର ମଜା ନେଇ ଆନନ୍ଦ ଉପଭୋଗ କରିଥିଲେ ।
ଅନ୍ୟପକ୍ଷରେ କାର୍ଯ୍ୟକ୍ରମରେ ପିଠା-ପଣା , କାକରା ଓ ମିଠା ପାନରେ ଆପ୍ୟାୟିତ କରି ମଜା ନେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ପ୍ରଗତି ମହିଳା ସଂଗଠନର ଶ୍ରୀ ସତ୍ୟ ପାଢ଼ୀ , ଶ୍ରୀମତୀ ମାନସୀ ପଣ୍ଡା , ଶ୍ରୀମତୀ ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା ,ମୋହିନୀ ପ୍ରଧାନ , ସତ୍ୟ କାର୍ଜୀ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.