Odisha News

ଗଜପତି: ପାରଳାଖେମୁଣ୍ଡି ପ୍ରଧାନ ଡାକ-ଘର କାର୍ଯ୍ୟାଳୟ ପକ୍ଷରୁ “ମୋ ମାଟି ମୋ ଦେଶ” ଅଭିଯାନ ଅନ୍ତର୍ଗତ “ଅମୃତ କଳସ ଯାତ୍ରା ଓ ମାଟି ସଂଗ୍ରହ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୯: ଆଜାଦିକା ଅମୃତ ମହୋତ୍ସବ ଅବସରରେ ଦେଶର ଯସଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଭାରତ ସରକାରଙ୍କ ଭାରତୀୟ ଡାକ ବିଭାଗ ଅନ୍ତର୍ଗତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ପ୍ରଧାନ ଡାକ-ଘର ଓ ପଶ୍ଚିମ ଉପ-ମଣ୍ଡଳ ଡାକ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି “ମୋ ମାଟି – ମୋ ଦେଶ” ଅନ୍ତର୍ଗତ ଦେଶର ବୀର- ଵୀରଙ୍ଗନା ମାନଙ୍କୁ ପ୍ରଣାମ ଜଣାଇ “ଅମୃତ କଳସ ଯାତ୍ରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଡାକ ନିରୀକ୍ଷକ ଶ୍ରୀ ରଘୁନାଥ ନାୟକଙ୍କ ନେତୃତ୍ୱରେ ପ୍ରଧାନ ଡାକ ଘର କାର୍ଯ୍ୟାଳୟ ପରିସରରୁ ବାହାରି ଅମୃତ କଳସ ଯାତ୍ରା ମାଧ୍ୟମରେ ପାରଳାଖେମୁଣ୍ଡି ପ୍ରଧାନ ଡାକ-ଘର ଓ ଡାକ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ୧୦ ଟି ଅମୃତ କଳସ ଧରି , ସହର ପରିକ୍ରମା କରି ବିଭିନ୍ନ ସ୍ଥାନରୁ କଳସ ଯୋଗେ ମାଟି ସଂଗ୍ରହ କରିଥିଲେ ।
ଏହି ଅମୃତ କଳସ ଯାତ୍ରା ଅଭିଯାନ ବେଳେ ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ଲୋକେ ଭାବ ବିହ୍ବଳ ହୋଇ ଅମୃତ କଳସରେ ମାଟି ଢ଼ାଳି ଥିଲେ ।
ମୁଖ୍ୟତଃ ଦେଶ ପାଇଁ ଯେଉଁ ବୀର-ବିରଙ୍ଗନା ମାନେ ତାଙ୍କର ଜୀବନକୁ ଉତ୍ସର୍ଗ କରି ଶହୀଦ ହୋଇ ଯାଇଛନ୍ତି , ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୂଆଦିଲ୍ଲୀ ଠାରେ ଭାରତ ସରକାରଙ୍କ ଉଦ୍ୟମରେ ଯେଉଁ ଅମୃତ ବାଟିକା ବଗିଚା ନିର୍ମାଣ ହେବାକୁ ଯାଉଛି , ସେଥିପାଇଁ ସମସ୍ତ ଜାଗାରୁ ଅମୃତ କଳସ ଯୋଗେ ମାଟି ସଂଗ୍ରହ କରା ଯାଉଛି ।
ବୀର ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଅମୃତ କଳସ ଯୋଗେ ସଂଗ୍ରହ କରା ଯାଇଥିବା ଏହି ମାଟିକୁ ନୂଆଦିଲ୍ଲୀ ଠାରେ ନିର୍ମାଣ ହେଉଥିବା ଅମୃତ ବାଟିକାରେ ସମର୍ପଣ କରାଯିବ ବୋଲି ପଶ୍ଚିମ ଉପ-ମଣ୍ଡଳ ଡାକ ନିରୀକ୍ଷକ ଶ୍ରୀ ରଘୁନାଥ ନାୟକ ଏବଂ ଗ୍ରାମୀଣ ଡାକ ସେବକ ବ୍ରାଞ୍ଚ ପୋଷ୍ଟ-ମାଷ୍ଟର ସୁଶ୍ରୀ ତନୁପମା ବୀର କହିଛନ୍ତି ।

Related Posts

Seo wordpress plugin by www.seowizard.org.