Odisha News

ଗଜପତି: ପାରଳାଖେମୁଣ୍ଡି ଠାରେ “ଆଇଏଫଟିୟୁ:” ର ପ୍ରଥମ ରାଜ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୩: ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମଜିବୀ ମାନଙ୍କୁ ସଂଗଠିତ କରିବା ସହ ସେମାନଙ୍କର ଆଇନଗତ ଓ ନ୍ୟାୟ ସଙ୍ଗତ ଦାବୀକୁ ସରକାର ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଉଠାଇ ହାସଲ କରିବା ତଥା ଶ୍ରମିକ ଶ୍ରେଣୀ ର ବିଭିନ୍ନ ବର୍ଗ ମଧ୍ୟରେ ଏକତା ସୃଷ୍ଟି କରି ଶ୍ରମିକ ଶ୍ରେଣୀକୁ ସାମାଜିକ ପରିବର୍ତ୍ତନ ଲଢେଇ ରେ ସାମିଲ କରାଇବାର ପ୍ରତିବଦ୍ଧତା ନେଇ ସର୍ବ ଭାରତୀୟ ବିପ୍ଳବୀ ଟ୍ରେଡ଼ ୟୁନିଅନ “ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ଼ ୟୁନିଅନର ପ୍ରଥମ ରାଜ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧ ନୀତି ଓ ଫାଶିବାଦ ଆକ୍ରମଣ ବିରୋଧରେ ଆନ୍ଦୋଳନକୁ ତେଜୀୟାନ କରିବା ପାଇଁ ସମ୍ମିଳନୀ କାର୍ଯ୍ୟକ୍ରମରେ ଆହ୍ବାନ ଦିଆ ଯାଇଥିଲା ।
ଆଇଏଫଟିୟୁ: ରାଜ୍ୟ କମିଟିର ପୂର୍ବତନ ସଦସ୍ୟ ପ୍ରଦୀପ ସେଠୀଙ୍କ ନାମରେ ନାମିତ ପ୍ରଦୀପ ନଗର (ଟାଉନହଲ)ରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ସଂଗଠନର ସର୍ବ-ଭାରତୀୟ ଉପ-ସଭାପତି କମ୍ରେଡ ଭି: କେ: ପଟୋଲେ ଉଦଘାଟନ କରି ଦେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରମିକ ସଂଗଠନ ଉପରେ ହେଉଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରି ଘରୋଇ କରଣ ଓ ଠିକା ଆଉଟ-ସୋର୍ସିଙ୍ଗ ଭଳି ଶ୍ରମିକ ବିରୋଧୀ ବ୍ୟବସ୍ଥାର ଉଚ୍ଛେଦ ପାଇଁ ଦାବି କରିଥିଲେ ।
ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ସୁପର ମୁନାଫା ପାଇଁ ମୋଦି ସରକାର ଯେଉଁ ଚାରୋଟି ଶ୍ରମ-କୋଡ ଆଣିଛନ୍ତି , ତାଦ୍ୱାରା ଶ୍ରମିକମାନେ ନିଜର କଷ୍ଟାର୍ଜିତ ଶ୍ରମ ଅଧିକାରକୁ ହରାଇବେ ବୋଲି କହିଥିଲେ।
କେନ୍ଦ୍ରର ଆରଏସଏସ୍:-ବିଜେପି ସରକାର ନିଜର ଫାଶୀବାଦୀ ନୀତି ଅନୁରୂପ ସରକାରଙ୍କ ଠାରୁ ଭିନ୍ନମତ ରଖୁଥିବା ସାମାଜିକ , ରାଜନୈତିକ କର୍ମୀ , ବୁଦ୍ଧିଜୀବୀ ଏପରିକି ବିରୋଧୀ ନେତାମାନଙ୍କ ଉପରେ ରାଷ୍ଟ୍ରର ବିଭିନ୍ନ ଏଜେନ୍ସି ଜରିଆରେ ଆକ୍ରମଣ କରୁଥିବା କହିଥିଲେ । ଆଇଏଫଟିୟୁ:ର ଜାତୀୟ କମିଟି ତରଫରୁ ଶ୍ରମିକ ଶ୍ରେଣୀ ପାଇଁ ପ୍ରସ୍ତୁତ ଚିଠା ଡାକରା ଓ ସାଂଗଠନିକ ରିପୋର୍ଟକୁ ରାଜ୍ୟ କମିଟି ପକ୍ଷରୁ ଆବାହକ ପ୍ରତାପ ପ୍ରଧାନ ଉପସ୍ଥାପନା କରିଥିବା ବେଳେ ତାକୁ ସର୍ବସମ୍ମତି କ୍ରମେ ସମ୍ମିଳନୀରେ ଗୃହୀତ କରା ଯାଇଥିଲା ।
ଆଗାମୀ ଅପ୍ରେଲ ୧୬ ରୁ ୧୮ ପର୍ଯ୍ୟନ୍ତ ତିରୁପତି ଠାରେ ହେଉଥିବା ଜାତୀୟ ସମ୍ମିଳନୀ କାର୍ଯ୍ୟକ୍ରମରେ ରାଜ୍ୟରୁ ୨୦ ଜଣ ପ୍ରତିନିଧି ଯୋଗ ଦେବାକୁ ବଛା ଯାଇଥିଲା ।
ଶ୍ରୀ ପ୍ରତାପ ପ୍ରଧାନ , ଶ୍ରୀ କାରୁକା ଶବର ଓ ଶ୍ରୀ ପ୍ରଶାନ୍ତ ପରିଛାଙ୍କୁ ନେଇ ଗଠିତ ଆବାହକ ମଣ୍ଡଳୀ ସଭା ପରିଚାଳନା କରିଥିବା ବେଳେ ଏକ ଚଉଦ ଜଣିଆ ନୂତନ ରାଜ୍ୟ କମିଟି ଚୟନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସ:ର ଜାତୀୟ ସମ୍ପାଦକ ଶ୍ରୀ ଭାଲଚନ୍ଦ୍ର ଷଡ଼ଙ୍ଗୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀର ପ୍ରତିନିଧି ଓ ଆୟୋଜକ ମାନଙ୍କୁ ଶୁଭେଚ୍ଛା ଓ ସଂଘତି ଜ୍ଞାପନ କରିବା ସହ ରାଜ୍ୟର ସବୁ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମଜୀବି ଜନତାଙ୍କ ଏକ ଲଢୁଆ ସଂଗଠନ ଭାବେ ଅଗ୍ରଗତି କରୁ ବୋଲି ମତ ପ୍ରକାଶ କରିଥିଲେ ।
ଶେଷରେ ଶ୍ରୀ ପ୍ରତାପ ପ୍ରଧାନ ରାଜ୍ୟ ସଭାପତି , ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଶ୍ରୀ ଅଗେନ୍ଦ୍ର ନାୟକ , କୋଷାଧକ୍ଷ ଭାବେ ଶ୍ରୀ ପ୍ରଶାନ୍ତ ପରିଛା ଏବଂ ସମ୍ପାଦକ ଭାବେ ଶ୍ରୀ ଉତ୍ତମ ନାୟକ\’ଙ୍କ ସମେତ ରାଜ୍ୟ କମିଟିର ସଦସ୍ୟ ଭାବେ ଶ୍ରୀ ପି: କ୍ରିଷ୍ଣା , ଶ୍ରୀମତୀ ରାଜଲକ୍ଷ୍ମୀ ସାହୁ , ଶ୍ରୀ ନରସିଂହ ମାଳବିଷୋୟୀ , ଶ୍ରୀ ବିନାୟକ ପତି , ଶ୍ରୀ ଧନେଶ୍ୱର ନାୟକ ,ଶ୍ରୀ କେଦାର ଶବର , ଶ୍ରୀ ଧର୍ମେନ୍ଦ୍ର ବେହେରା , ଶ୍ରୀ କାରୁଗା ଶବର , ପ୍ରମୁଖଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରା ଯାଇଥିଲା ।
ଆଗାମୀ ଦିନରେ ମୋଦି ସରକାରର ଚାରୋଟି ଲେବର କୋଡ଼ , ଦେଶରେ ଠିକା ଓ ଆଉଟ-ସୋର୍ସିଙ୍ଗ ବ୍ୟବସ୍ଥାର ବାତିଲ ସହିତ ଦେଶର ଗଣତାନ୍ତ୍ରିକ ଭିନ୍ନମତ ଉପରେ ଫାଶୀବାଦୀ ଆକ୍ରମଣ ବିରୋଧରେ ଜୋରଦାର ଆନ୍ଦୋଳନର ଅଭିଯାନ ଚଳାଇବାକୁ ଡାକରା ଦିଆ ଯାଇଥିଲା ।

Related Posts

Seo wordpress plugin by www.seowizard.org.