Odisha News

ଗଜପତି: ପାରଳାଖେମୁଣ୍ଡିରେ ପବିତ୍ର ଦୀପାବଳୀ ଓ କାଳୀପୂଜା ନିରାଡ଼ମ୍ବରରେ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,୫/୧୧: ଆଲୋକର ପର୍ବ ଦୀପାବଳୀ ଓ କାଳୀପୂଜା ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଓ  ଜିଲ୍ଲାଞ୍ଚଳରେ କୋଭିଡ କଟକଣା ମଧ୍ୟରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । 

ଏହି ଅବସରରେ ପ୍ରତ୍ୟୁଷରୁ ଘରେ ଘରେ ପୂଜାବିଧି ଅନୁଷ୍ଟିତ ହୋଇଥିଲା । ପରେ ଅପରାହ୍ନ ଓ ସନ୍ଧ୍ୟାରେ ଘର ଠାକୁର ଓ ତୁଳସୀ ଚଉରା ମୂଳେ ପାରମ୍ପରିକ ପୂଜାନୀତି ସମ୍ପନ୍ନ ହେବା ପରେ ଘରର ମୁରବୀଙ୍କ ଦ୍ଵାରା କାଉଁରିଆ ଓ କାମରା ଡାଙ୍ଗରେ ଦୀପରୁ ନିଆଁ ଲଗାଇ ନେଇଥିଲେ । ସେହି ଜଳୁଥିବା ନିଆଁରୁ ପରିବାରର ସମସ୍ତ ସଦସ୍ୟ ଆଖୁଡାଙ୍ଗ ସଳିତାରେ ନିଆଁ ଲଗାଇ ଆକାଶ ମାର୍ଗକୁ ଦେଖାଇ ସେମାନଙ୍କ ବଡ଼ବଡ଼ିଆ ପିତୃପୁରୁଷଙ୍କୁ ଅନ୍ଧାରରେ ଆସି ଉଜ୍ଜଳାରେ ଯାଅ ବୋଲି  ଡାକ ଦେଇ କହିଥିଲେ । ଏହି ସମୟ ମଧ୍ୟରେ ଘର ସମ୍ପୂର୍ଣ୍ଣ ଭାବରେ ଏକ ଧାର୍ମିକ ଓ ଆଧ୍ୟାତ୍ମିକ ଭାବ ପରିବେଶ ସୃଷ୍ଟି ହୋଇ ପଡ଼ିଥିଲା ।

ପରେ ଭୋଗରାଗ ପୂଜାର୍ଚ୍ଚନା ହୋଇ ଘରେ ଘରେ ଦୀପ ଲଗା ଯାଇଥିଲା । ପରେ ସବୁଜ ବାଣ ଫୁଟା ଆରମ୍ଭ ହୋଇଥିଲା ।

ପ୍ରଶାସନର କୋଭିଡ କଟକଣା ଯୋଗୁଁ  ଚଳିତ ଥର କାଁ ଭାଁ ଛାଡିଦେଲେ ସବୁଆଡେ କେବଳ ସବୁଜ ବାଣ ହିଁ ଫୁଟା ଯାଇଥିଲା । ଘରେ ଘରେ ଆଲୋକ ଲିଚୁମାଳାରେ ସଜ୍ଜିତ କରା ଯାଇଥିଲା ।

ସେହିଭଳି ମା ଦକ୍ଷିଣକାଳୀଙ୍କ କାଳୀପୂଜା ମଧ୍ୟ ପବିତ୍ର ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି ।

 ପାରଳାଖେମୁଣ୍ଡି ସ୍ଥିତ ନେହେରୁ ଜଙ୍କସନ ଠାରେ ଜିଲ୍ଲାର ଏକମାତ୍ର କାଳୀପୂଜା ଚଳିତ ଥର  କୋଭିଡ କଟକଣା ଯୋଗୁଁ ନିରାଡ଼ମ୍ବରରେ ପାଳିତ ହେଉଛି । ପୂଜକ ଓ ପୂଜା କମିଟି ସଦସ୍ୟ ମଧ୍ୟରେ ପୂଜାର୍ଚ୍ଚନା ଓ ଆଳତି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ପୂଜାମଣ୍ଡପରେ  କୋଣସି ମେଢ଼ କି ସାଜସଜ୍ଜା ନାହିଁ । ଶ୍ରଦ୍ଧାଳୁ ମାନେ ପୂଜା ମଣ୍ଡପକୁ ଆସି ବାହାରୁ ହିଁ ଦର୍ଶନ କରି ଯାଉଛନ୍ତି ।

  ଶାନ୍ତିଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି ।

Related Posts

Seo wordpress plugin by www.seowizard.org.