Odisha News

ଗଜପତି: ନିର୍ବାଚନ ଆଦର୍ଶ ଆଚରଣ ବିଧି ସମ୍ପର୍କିତ ସର୍ବ ଦଳୀୟ ବୈଠକ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୭/୧ : ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କ ଅନ୍ତର୍ଗତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟବେକ୍ଷକ ଓ ରାଜନୈତିକ ଦଳର ବ୍ୟକ୍ତି ମାନଙ୍କୁ ନେଇ ନିର୍ବାଚନ ଆଦର୍ଶ ଆଚରଣ ବିଧି ସମ୍ପର୍କିତ ଏକ ସର୍ବଦଳୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା ଫେବୃଆରୀ ମାସର ୧୬ ତାରିଖରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦୃଷ୍ଟିରୁ ଇତି ମଧ୍ୟରେ ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ , ପ୍ରାର୍ଥୀପତ୍ର ଯାଞ୍ଚ ଓ ପ୍ରତ୍ୟାହାର ସମେତ ପ୍ରତିଦ୍ବନ୍ଦିତା ମୈଦାନରେ ରହିଥିବା ପ୍ରାର୍ଥୀ ମାନଙ୍କ ସବିଶେଷ ନାମ-ତାଲିକା ସେମାନଙ୍କ ସିମ୍ବଲ ସହ ପ୍ରକାଶିତ ହୋଇ ସାରିଛି ।
ବର୍ତ୍ତମାନ ଗ୍ରାମାଞ୍ଚଳରେ ପ୍ରତିଦ୍ବନ୍ଦିତା ମୈଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ମାନଙ୍କ ପକ୍ଷରୁ ସେମାନଙ୍କ ସମର୍ଥକ ମାନଙ୍କ ସହଯୋଗରେ ପ୍ରଚାର କାର୍ଯ୍ୟକ୍ରମ ସରକାର ତଥା ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ଗାଇଡ଼ ଲାଇନ ପ୍ରକାରେ ଜୋର-ସୋରରେ ଚଳାଇଛନ୍ତି ।
ତେଣୁ ଏସବୁ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମଗ୍ର ଗଜପତି ଜିଲ୍ଲାରେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଥିବା ଅବସରରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ।
ନିର୍ବାଚନ ତାରିଖ ସମୟ ଦିନକୁ ଦିନ ପାଖେଇ ଆସୁଥିବା ବେଳେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ପ୍ରଚାର କାର୍ଯ୍ୟକ୍ରମ ମଧ୍ୟ ଜୋର ସୋରରେ ଚାଲିଛି । ଏହି ଦୃଷ୍ଟିରୁ ପ୍ରଶାସନିକ ସ୍ତରରେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କିଭଳି ଅଧିକ କଡାକଡି କରାଯାଇ ନିର୍ବାଚନକୁ ଅବାଧ , ନିରପେକ୍ଷ ଓ ଶାନ୍ତିଶୃଙ୍ଖଳା ଭାବେ ସମସ୍ତଙ୍କ ସହଯୋଗରେ ସମ୍ପନ୍ନ କରାହେବ , ସେଥିନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜନୈତିକ ବ୍ୟକ୍ତି ମାନଙ୍କ ଏକ ସର୍ବଦଳୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ବାଚନ ଅବସରରେ ଆସିଥିବା ପର୍ଯ୍ୟବେକ୍ଷକ(ଜେନେରାଲ) ଶ୍ରୀ ବିଶ୍ୱ ମୋହନ ରାୟ ଏବଂ ପର୍ଯ୍ୟବେକ୍ଷକ(ଖର୍ଚ୍ଚ) ଶ୍ରୀ ମଦନ ସିଂହ ପ୍ରମୁଖ ମଞ୍ଚଆସିନ ଥିଲେ ।
ମୁଖ୍ୟତଃ ପର୍ଯ୍ୟବେକ୍ଷକ ଦ୍ବୟ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ସରକାରଙ୍କ ରହିଥିବା ନିର୍ଦ୍ଧିଷ୍ଟ ଗାଇଡ଼ ଲାଇନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସମେତ ସରକାରୀ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।
ଏସବୁ ଗୁଡିକ ମଧ୍ୟରେ ମୁଖ୍ୟତଃ ନିର୍ବାଚନୀ ପ୍ରଚାର ଠାରୁ ଆରମ୍ଭ କରି ବିଭିନ୍ନ ମାଧ୍ୟମରେ ପ୍ରଚାର କାର୍ଯ୍ୟକ୍ରମ , ମତଦାନ ଓ କାଉଣ୍ଟିଙ୍ଗ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଗାଇଡ଼-ଲାଇନକୁ ମାନି କୋଭିଡ ନୀତି ନିୟମ ପାଳନ କରିବା , ପ୍ରଚାର କାର୍ଯ୍ୟକ୍ରମ ସୀମିତ ପ୍ରକାରେ ମାତ୍ର ୫ ଜଣଙ୍କୁ ନେଇ ପ୍ରଚାର କରିବା , ନିର୍ଦ୍ଧାରିତ ଭାବେ ସୀମିତ ଚାରି ଚକିଆ ଗାଡି ଓ ବାଇକ ପ୍ରଚାର କାର୍ଯ୍ୟରେ ଲଗାଇବା , ଅଟୋ କିମ୍ବା ବାଇକ ଯୋଗେ ମାଇକିଙ୍ଗ ପ୍ରଚାର କରିବା , ସରକାରଙ୍କ ନିର୍ଦ୍ଧିଷ୍ଟ ସୂଚନା ପ୍ରକାରେ ପ୍ରାର୍ଥୀ ସେମାନଙ୍କ ନିର୍ବାଚନୀ ଖର୍ଚ୍ଚ ସୀମିତ ରଖିବା , ନିର୍ବାଚନୀ ସଂକ୍ରାନ୍ତୀୟ ଖର୍ଚ୍ଚ ତାଲିକା ଧାରଣ ଖାତା ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏବଂ ଅନ୍ୟ ସମସ୍ତ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କୁ ସେମାନଙ୍କ ସମ୍ପୃକ୍ତ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଆଟେଷ୍ଟେଡ଼ ହୋଇ ଯୋଗାଇ ଦିଆଯିବା , ପୋଲିଙ୍ଗ ବେଳେ ସହନଗ କରିବା , ଭୋଟ କାଉଣ୍ଟିଙ୍ଗ ବେଳେ ୨ ଡୋଜ କୋଭିଡ ଟୀକା ନେଇଥିବା ସାଙ୍ଗକୁ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ନେଗେଟିଭ ଥିବା ବାଧ୍ୟତାମୂଳକ , ବିଜୟ ଶୋଭାଯାତ୍ର ବାହାରିବା ମନା ପ୍ରଭୃତି ସରକାରଙ୍କ ନୀତି ନିୟମ ରହିଥିବା ଉପରେ ବିସ୍ତୃତ ଭାବେ ସୂଚନା ଦେଇ ଏହାକୁ ପ୍ରଶାସନିକ ସ୍ତରରେ କଡାକଡି ଭାବେ ପାଳନ କରାଯିବ ବୋଲି କହିଥିଲେ ।
ଅନ୍ୟପକ୍ଷରେ କୋଭିଡ ଗାଇଡ଼ ଲାଇନ କି ନିର୍ବାଚନ ଆଦର୍ଶ ଆଚରଣ ବିଧି ଯେଭଳି ଉଲଂଘନ ନ ହୁଏ , ସେଥିପ୍ରତି ସବୁ ସ୍ତରରେ ପ୍ରାର୍ଥୀମାନେ ଯତ୍ନବାନହେବାପାଇଁ ବୈଠକରେ ଉଚିତ ପରାମର୍ଶ ଦିଆ ଯାଇଥିଲା ।
ଅନ୍ୟପକ୍ଷରେ ନିର୍ବାଚନ ପ୍ରଚାର ଠାରୁ ଆରମ୍ଭ କରି ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ କୋଭିଡ ଗାଇଡ଼ ଲାଇନ କି ନିର୍ବାଚନ ସଂକ୍ରାନ୍ତୀୟ ଗାଇଡ଼ ଲାଇନକୁ କୋଣସି ପ୍ରକାର ଉଲଂଘନ କରିବା କି ଅଭିଯୋଗ ଆସିବା ହେଲେ ସେଥିପ୍ରତି ପ୍ରଶାସନିକ ସ୍ତରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସୂଚନା ଦିଆ ଯାଇଥିବା ଜଣାପଡିଛି ।
ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଡିଏମ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ଏବଂ ଏଏସପି: ଶ୍ରୀ ବାମଦେବ ସିଂହ ପ୍ରମୁଖ ମଞ୍ଚଆସିନ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.