Odisha News

ଗଜପତି: ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୬/୩: ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତେଇସିଣୀ ସମାଜ ସମ୍ମିଳନୀ କକ୍ଷ ଠାରେ ଆଜି ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସଂସଦ ପକ୍ଷରୁ ମହାନ ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଛା ଙ୍କ ୧୪୪ ତମ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସାହିତ୍ୟିକ, ଗବେଷକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଡିଆଇଇଟିର ସେବାନିବୃତ୍ତ ପ୍ରଶିକ୍ଷକ ଡ: ।ବାୟାମନୁ ଚର୍ଚ୍ଚି ଯୋଗଦେଇ ନାଟ୍ୟକାର ଆପନ୍ନା ପରିଛା ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଓଡ଼ିଆ ନାଟ୍ୟ ଜଗତର ଜଣେ ଅମ୍ଲାନ ପ୍ରତିଭା ଥିଲେ ।
ସାହିତ୍ୟ ଜଗତକୁ ସ୍ୱରଚିତ ନାଟକ ବିଜୟ ବସନ୍ତ, ସୀତା ବନବାସ , ନବଲିଳା ବିଳାସ , ଗୋଷ୍ଠ ମିଳନ , ମାନସଭଞ୍ଜ , ରାଧାକୃଷ୍ଣ ପ୍ରଣୟ ପ୍ରଭୃତି ରଚନା କରି ଏକ ମହା ଉପହାର ଦେଇ ଯାଇଛନ୍ତି ।
ଭାଷାଭିତ୍ତିରେ ସ୍ୱତନ୍ତ୍ର ଓଡିଶା ଗଠନର ପୁରୋଧା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ପଣ୍ଡିତ ଗୋପବନ୍ଧୁ , ମଧୁସୂଦନ , ପଣ୍ଡିତ ନୀଳକଣ୍ଠ ଓ ଫକୀର ମୋହନ ସେନାପତିଙ୍କ ସହ ସେ କାନ୍ଧରେ କାନ୍ଧ ମିଶାଇ ଲକ୍ଷ ପଥରେ ଆଗେଇ ଯାଇଥିଲେ , ତେଣୁ ଏଭଳି ଏକ ମହାନ ଦେଶଭକ୍ତ ସର୍ବଦା ଚୀରସ୍ମରଣୀୟ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ଵରରୁ ପ୍ରକାଶିତ ନ୍ୟୁଜ ମେଗାଜିନ “ସମଦୃଷ୍ଟି “‘ର କାର୍ଯ୍ୟନିର୍ବାହୀ ସମ୍ପାଦକ ଶ୍ରୀ ବିଘ୍ନେଶ୍ଵର ସାହୁ , ଜାତୀୟ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଓଡିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ଵେବର୍ତ୍ତା ଏବଂ ସ୍ମୃତି ସଂସଦର ସମ୍ପାଦକ ତଥା ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ଦାୟାଦ ଶ୍ରୀ ମୁରଲୀଧର ପରିଚ୍ଛା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶ ମିଶ୍ରଣ ଓ ରଇତ ଆନ୍ଦୋଳନରେ ଆପନ୍ନା ପରିଚ୍ଛାଙ୍କ ପୂର୍ଣ୍ଣ ସହଯୋଗର ଅବଦାନ କୃତି ସମ୍ପର୍କରେ କହିବା ସହ ସେ ରୀତି ଯୁଗର ସାହିତ୍ୟ ପରମ୍ପରାକୁ ଆଧୁନିକ ନାଟ୍ୟ ପରମ୍ପରାରେ ଜୀବନ୍ତ କରିଥିବା ଜଣେ ମହାନ ବ୍ୟକ୍ତିତ୍ୱ ବୋଲି କହିଥିଲେ ।
ଅନ୍ୟାପକ୍ଷରେ ଜାତୀୟ ଆନ୍ଦୋଳନ ସମେତ ଉତ୍କଳ ପ୍ରଦେଶ ଗଠନ ଦିଗରେ ତାଙ୍କର ସକ୍ରିୟ ଭୂମିକା ସର୍ବଦା ଚିରସ୍ମରଣୀୟ ବୋଲି କହି ନାଟ୍ୟକାର ଆପନ୍ନା ପରିଛା ଏକଧାରାରେ ଜଣେ ପଣ୍ଡିତ , ସଂସ୍କୃତିପ୍ରେମୀ. ଯୋଗଜନ୍ମା , ଅମ୍ଲାନ ପ୍ରତିଭାଧାରୀ , ପ୍ରଜ୍ଞା ଓ ବୀର ପୁରୁଷ , ଓଡ଼ିଆ ଭାଷା ଓ ଜାତିପ୍ରାଣ , ଦେଶଭକ୍ତ , ବିପ୍ଲବୀ, ବିଦ୍ରୋହୀ ଏବଂ ସମାଜ ସଂସ୍କାରକ ଥିଲେ ବୋଲି ମଞ୍ଚଆସୀନ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ।
ଏହି ଅବସରରେ ଶ୍ରୀ ନରସିଂହ ପଟନାୟକଙ୍କ ଲିଖିତ ପୁସ୍ତକ ” ଓଡ଼ିଆ ଅସ୍ମିତାର ପ୍ରବୀରଳ ପୁରୁଷ : ଆପନ୍ନା ପରିଚ୍ଛା” ଏବଂ ଶ୍ରୀ ଦେବାଶିଷ ମହାପାତ୍ରଙ୍କ ଲିଖିତ ପୁସ୍ତକ “ଅମୃତ ଅନୁଭବର ଅବିସ୍ମୃତ ବ୍ୟକ୍ତି – ଆପନ୍ନା ପରିଚ୍ଛାଙ୍କ ନାଟ୍ୟକୃତି” ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା କ୍ଷ
ସେହିଭଳି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଡ: ବାୟାମନୁ ଚର୍ଚ୍ଚିଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସମ୍ମାନ-୨୦୨୨ ଏବଂ କଳିଙ୍ଗ ଟିଭି(ରାୟଗଡା) ବରିଷ୍ଠ ସାମ୍ବାଦିକ ଶ୍ରୀ ଅମୁଲ୍ୟ ରତ୍ନ ସାହୁଙ୍କୁ ନାଟ୍ୟକାର ଆପନ୍ନା ପରିଛା ପ୍ରତିଭା ସମ୍ମାନ-୨୦୨୨ ରେ ସମ୍ବର୍ଦ୍ଧିତ କରା ଯାଇଥିଲା କ୍ଷ
ସେହିଭଳି ପାରଳା ସ୍ଥିତ ଆପନ୍ନା ପରିଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ରାଇ ଭେନିଲାଙ୍କୁ ବିଦ୍ୟାଳୟର ଶ୍ରେଷ୍ଠ କୃତି ଛାତ୍ରୀ ଭାବେ ସମ୍ଭର୍ଦ୍ଧିତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଲିଙ୍ଗରାଜ ଦାସ ଅତିଥି ଆବାହନ କରିଥିବା ବେଳେ ଶ୍ରୀ ସୌଦାଗର ସିଅ ଅତିଥି ମାନଙ୍କ ପରିଚୟ ପ୍ରଦାନ , ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସ୍ମୃତି ସଂସଦର ସମ୍ପାଦକ ଶ୍ରୀ ମୁରଲୀଧର ପରିଚ୍ଛା ଏବଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ରାଜେନ୍ଦ୍ର ପଢିଆରୀ ।
ଅନ୍ୟମାନଙ୍କ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଅନୁଶ୍ରୀ ପଟନାୟକ, ଶ୍ରୀମତୀ ପ୍ରଭାବତୀ ପଟନାୟକ, ଶ୍ରୀ ବିଷ୍ଣୁ ଚରଣ ପଣ୍ଡା, ଶ୍ରୀ ନିତ୍ୟା ନନ୍ଦ ଚୌଧୁରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ମନୋଜ୍ଞ ପରିବେଶ ସାରସ୍ୱତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି , ଲେଖକ , ସାହିତ୍ୟିକ , ନାଟ୍ୟକାର , ସଂଗୀତଜ୍ଞ, ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.