Odisha News

ଗଜପତି : ଡଃ ବେଣୀ ମାଧବ ପାଢ଼ୀ ସ୍ମାରକୀ ବକ୍ତୃତାମାଳା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୯/୬: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ରବିବାର ବ୍ରହ୍ମପୁର ସ୍ଥିତ “କଳିଙ୍ଗ ସାହିତ୍ୟ ସମାଜର ନିବେଦକରେ କଳିଙ୍ଗ ସାହିତ୍ୟ ସମାଜ ଓ ଉତ୍କଳ ହିତୈଷିଣୀ ସମାଜର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ଗବେଷକ, ବିଶିଷ୍ଠ ସାହିତ୍ୟିକ , ଓ ପ୍ରାଜ୍ଞ ସମାଲୋଚକ ଡଃ ବେଣୀ ମାଧବ ପାଢ଼ୀଙ୍କ ସ୍ମାରକୀ ବକ୍ତୃତାମାଳା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡଃ ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ସଭାପତିତ୍ୱରେ ପାରଳାର ଉପାନ୍ତ ପ୍ରହରୀ ତଥା ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉଦଘାଟକ ଭାବେ ଯୋଗଦେଇ ଡଃ ବେଣୀମାଧବ ପାଢ଼ୀଙ୍କ ଶିକ୍ଷକ ଓ ଅଧ୍ୟାପକ ଜୀବନ ସହ ତାଙ୍କ ଗବେଷଣାର ମୌଳିକ ବିଶେଷତା ଉପରେ ଆଲୋଚନା କରିଥିଲେ ।
ନୂଆଦିଲ୍ଲୀ ସ୍ଥିତ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଚେୟାର ପ୍ରଫେସର ଉଦୟ ନାଥ ସାହୁ , ଏହି କାର୍ଯ୍ୟକ୍ରମରେ ମୁଖ୍ୟ ତଥା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଡଃ ବେଣୀ ମାଧବ ପାଢ଼ୀଙ୍କ ସାରସ୍ୱତ କୃତି ସମ୍ପର୍କରେ ଆଲୋଚନା କରି ତାଙ୍କର ଜୀବନବୃତ୍ତର ବିବିଧତା , ଭାଷା , ସାହିତ୍ୟ , ସଂସ୍କୃତି , ଗବେଷଣା ଓ ସମାଲୋଚନା ଉତ୍କର୍ଷତାର ବିଭିନ୍ନ ଦିଗ ସମ୍ପର୍କରେ କହି ” ପୂର୍ବ ଭାରତୀୟ ମହାଭାରତ ଓ ଭାଗବତ , ଏକ ତୁଳନାତ୍ମକ ଅଧ୍ୟୟନ ” ଶୀର୍ଷକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ପୂର୍ବକ ବକ୍ତୃତା ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶାନ୍ତି ନିକେତନ ବିଶ୍ବଭାରତୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ସହକାରୀ ପ୍ରଫେସର ଡଃ ଶରତ କୁମାର ଜେନା , ସମ୍ମାନିତ ବକ୍ତା ଭାବେ ଡ଼ଃ ହୃଷିକେଶ ପଣ୍ଡା ଏବଂ ଅଧ୍ୟାପକ ଡଃ ଅଜୟ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦକ୍ଷୀଣାଞ୍ଚଳର ସର୍ବ ପୁରାତନ ସାହିତ୍ୟାନୁଷ୍ଠାନ “କଳିଙ୍ଗ ସାହିତ୍ୟ ସମାଜ\’ର ଉପସଭାପତି ଡଃ ବନମାଳୀ ପାଣିଗ୍ରାହୀ , ଡଃ ଲମ୍ବୋଦର ପାଣିଗ୍ରାହୀ , ଡଃ କୃଷ୍ଣ ପ୍ରସାଦ ମହାପାତ୍ର ଏବଂ ଗଜପତି ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ଵେବର୍ତ୍ତା ପ୍ରମୁଖ ଯୋଗଦେଇ ଡଃ ବେଣୀ ମାଧବ ପାଢ଼ୀଙ୍କ କର୍ମମୟ ଜୀବନ ଓ ତାଙ୍କର ସାରସ୍ୱତ କୃତି ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ “ବେଣୀ ମାଧବ ଗ୍ରନ୍ଥାବଳୀ ” ଦ୍ଵିତୀୟ ସଂସ୍କରଣ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ବେଳେ ନୂଆଦିଲ୍ଲୀ ଜେଏନୟୁର ଚେୟାର ପ୍ରଫେସର ଉଦୟ ନାଥ ସାହୁଙ୍କୁ ” ଡଃ ବେଣୀ ମାଧବ ପାଢ଼ୀ ସମ୍ମାନ ” ପ୍ରଦାନ କରା ଯାଇଥିଲା ।
ସେହିଭଳି କାର୍ଯ୍ୟକ୍ରମର ଉଦଘାଟକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ମଧ୍ୟ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ସମ୍ଭର୍ଦ୍ଧିତ କରା ଯାଇଥିଲା ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ବି: କୋମଳାଙ୍ଗି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଏବଂ ଅଧ୍ୟାପକ ଡଃ ଅଜୟ କୁମାର ତ୍ରିପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଶରତ ସାହୁ , ଶ୍ରୀ ଭାରତ ଭୂଷଣ ମହାନ୍ତି , ଶ୍ରୀ ବିଷ୍ଣୁ ଚରଣ ପଣ୍ଡା , ଶ୍ରୀ ମୁରଲୀ ଧର ପରିଛା , ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ , ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଏବଂ ଶ୍ରୀମତୀ ମିନା ଟହଲ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.