Odisha News

ଗଜପତି: ଜିଲ୍ଲାସ୍ତରୀୟ ୭୦ ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୩ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୧୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାସ୍ତରୀୟ ୭୦ ତମ ନିଖିଳ ଭାରତ ସମବାୟ ସପ୍ତାହ -୨୦୨୩ ମହୋତ୍ସବ କାର୍ଯ୍ୟକ୍ରମ ଓଡ଼ିଶା ସମବାୟ ବିଭାଗ ଅନ୍ତର୍ଗତ ପାରଳାଖେମୁଣ୍ଡି ସ୍ଥିତ ସମବାୟ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଏକ ଗଣଦୌଡ ତଥା ମିନି ମାରାଥନ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ୟାଲେସ ଛକ ଠାରୁ ଫରେଷ୍ଟ ଗେଟ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହାକୁ ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ଏବଂ ଜିଲ୍ଲା ସମବାୟ ସହକାରୀ ନିବନ୍ଧକ ଶ୍ରୀ ହରିହର ସେଠ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପରେ ଏହି ଅବସରରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସହକାରୀ ନିବନ୍ଧକ ଶ୍ରୀ ହରିହର ସେଠଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଚାଷୀ ଓ ଚାଷର ଉନ୍ନତି ପାଇଁ ସମବାୟ ର ଭୂମିକା ଉପରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇବା ସହ ଜନସାଧାରଣଙ୍କୁ ସମବାୟ ସହ ଯୋଡିବା ଏବଂ ସମବାୟ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକ ହିତକର ଯୋଜନା କାର୍ଯ୍ୟକ୍ରମ ଗୁଡ଼ିକର ପ୍ରଚାର୍ ଓ ପ୍ରସାର କରିବା ଉଦ୍ଦେଶ୍ୟ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଥିଲେ ।
ସହକାରୀ ନିବନ୍ଧକ ଶ୍ରୀ ହରିହର ସେଠ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ନାବାର୍ଡ ସଂସ୍ଥାର ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ଶ୍ରୀ ପ୍ରତୀକ କୁମାର ପଣ୍ଡା , ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ୍ ଲିମିଟେଡ ବ୍ରହ୍ମପୁରର ସମ୍ପାଦକ ଶ୍ରୀ ଭକ୍ତେଶ୍ୱର୍ ମଲ୍ଲିକ ଏବଂ ଡେପୁଟି କଲେକ୍ଟର ଶ୍ରୀ ଜ୍ଞାନ ରଞ୍ଜନ ମାଝୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ କୃଷି ଓ କୃଷକର ଉନ୍ନତି ଦିଗରେ ସମବାୟ ର ଗୁରୁତ୍ୱପୂର୍ଣ୍ଣ ଭୂମିକାର ବିଭିନ୍ନ ଦିଗ ସମ୍ପର୍କରେ କହି ଚାଷୀ ମାନଙ୍କ ପାଇଁ କଣ ସବୁ ସରକାରୀ ଯୋଜନା ରହିଛି ଏବଂ ସମବାୟ ସଂସ୍ଥା ମାଧ୍ୟମରେ ଚାଷୀ କିଭଳି ଉପକୃତ ହେବେ ସେ ସମ୍ପର୍କରେ ଆଲୋଚନା କରି ଉପସ୍ଥିତ ଚାଷୀ ମାନଙ୍କୁ ସଚେତନ କରାଇଥିଲେ ।
ଏହି ଅବସରରେ ବିଦ୍ୟାଳୟ ସ୍ତରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି ଓ ମାନପତ୍ର ବଣ୍ଟନ କରାଯିବା ସହ ଜିଲ୍ଲାର ଶ୍ରେଷ୍ଠ ସମବାୟ ସମିତି ସମ୍ପାଦକ ମାନଙ୍କୁ ଏବଂ ସମବାୟ ଆନ୍ଦୋଳନ ରେ ଉତ୍ତମ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ଶେଷରେ , ସବ-ଏଆରସିଏସ: ଶ୍ରୀ ନାରାୟଣ ସେଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।
ସଚେତନତା ସଭା କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ସାମଲ ସଂଯୋଜନା କରିଥିବା ବେଳେ ସୁଶ୍ରୀ ଅର୍ଚ୍ଚନା ଗମାଙ୍ଗ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ଶେଷରେ ସ୍ଥାନୀୟ \”ପଦାମୃତ ନୃତ୍ୟୟାନ\” ନୃତ୍ୟ ଅନୁଷ୍ଠାନର ନୃତ୍ୟଶିଳ୍ପୀ ମାନେ ରଙ୍ଗାରଙ୍ଗ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସମବାୟ ସହକାରୀ ନିବନ୍ଧକଙ୍କ କାର୍ଯ୍ୟଳୟର ଉପ ସହକାରୀ ନିବନ୍ଧକ ଶ୍ରୀ ନାରାୟଣ ସେଠୀ ଏବଂ ଶ୍ରୀ କୁଞ୍ଜ ବିହାରୀ ପଟନାୟକ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟ କର୍ମଚାରୀ ଶ୍ରୀ ଦୁର୍ଗା ପ୍ରସାଦ ଦୋରା ଓ ଶ୍ରୀ ବାବୁଲି ସାମଲ ପ୍ରମୁଖ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.