Odisha News

ଗଜପତି : ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୪: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପାରସମ୍ଭା ଗ୍ରାମ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ରବିବାର ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ସମାରୋହ କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି ।
ଏହି ଅବସରରେ ନିକଟସ୍ଥ ଚାଷ ଜମିରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ଭୂମିପୂଜନ କାର୍ଯ୍ୟକ୍ରମ କରାଯାଇ ଅଖି-ମୁଠି ଅନୁକୂଳ କରା ଯାଇଥିଲା । ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଓ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାଶ ବେହେରା ଏଥିରେ ଯୋଗଦେଇ ଚାଷ ଜମିରେ ଧାନ ବୁଣିବା ସହ ଜମିରେ ହଳ ନଙ୍ଗଳ ବୁଲାଇ ଥିଲେ ।
ଏହି ଅବସରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାଶ ବେହେରା ସଭାପତିତ୍ବ କରି ଅକ୍ଷୟ ତୃତୀୟାର ଗୁରୁତ୍ଵ ଓ ମହତ୍ତ୍ଵ ଉପରେ କହିଥିଲେ ।
ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି କାର୍ଯ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ସବୁ ନୂଆ ନୂଆ ଯୋଜନା ଆସୁଛି , ତାର ସଦୁପଯୋଗ କରି ଅଧିକ ଲାଭ ଉଠାଇବା ସହ ଚାଷ କାର୍ଯ୍ୟ ଦିଗରେ ସଫଳ ହେବାକୁ ପରାମର୍ଶ ଦେଇ ଚଳିତ ଥର ଭଲ ବୃଷ୍ଟି ହେବା ସହ ଭଲ ଫସଲ ଓ ଅମଳ ହେଉ ବୋଲି କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷି ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ସିଂହ ଯୋଗଦେଇ କୃଷି ଆନୁଷଙ୍ଗିକ ଆଧୁନିକ ଯନ୍ତ୍ରପାତି ବ୍ୟବହାର ସମ୍ପର୍କରେ କହିଥିବା ବେଳେ କୃଷି ଉଦ୍ୟାନ ବିଭାଗର ଗୁମ୍ମାବ୍ଲକ୍ ଅଧିକାରୀ ଶ୍ରୀ ଦିଲୀପ କୁମାର ଡିଗଲ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆସୁଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ଏବଂ ଫୁଲ ,ଛତୁ ଓ ମସଲା ମିଶନ କାର୍ଯ୍ୟକ୍ରମ ର ବିଭିନ୍ନ ଦିଗ ଉପରେ ଉପାଦେୟ ସୂଚନା ପ୍ରଦାନ କରିଥିଲେ ।
ସେହିଭଳି ଜିଲ୍ଲା ପ୍ରାଣୀସମ୍ପଦ ବିଭାଗର ଏସଡିଭିଓ: ଡ଼ାଃ ରମାକାନ୍ତ ରଣା , ଜିଲ୍ଲା କେବିକେ: ର ବୈଜ୍ଞାନିକ ଡ଼ାଃ ସଞ୍ଜୀବ ମାଣ୍ଡି ଓ ସହକାରୀ କୃଷି ଅଧିକାରୀ ଶ୍ରୀ ଇରେନୀୟାସ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ନିଜ ନିଜ\’ର ବିଭାଗୀୟ କାର୍ଯ୍ୟକ୍ରମ ଓ ରିହାତି ବ୍ୟବସ୍ଥା ସମେତ ଆଧୁନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରିବା ଉପରେ ଆଲୋଚନା କରିଥିଲେ ।
ଏହି ସଚେତନତା ସଭା କାର୍ଯ୍ୟକ୍ରମ ରେ ଗୁମ୍ମା ବ୍ଲକ ବିଏଓ: ଶ୍ରୀ ନାରାୟଣ ଚାନ୍ଦ ପ୍ରାରମ୍ଭରେ ଅତିଥି ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ଓ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ ।
କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ରେଣୁକା ପାତ୍ର , ତରଙ୍ଗଡା ସରପଞ୍ଚ ଶ୍ରୀ ଜହନ ଶବର , ଜୀବା ସରପଞ୍ଚ ଶ୍ରୀ ଏଡେଙ୍ଗା ଶବର ପ୍ରମୁଖ ମଞ୍ଚାସିନ ରହି ଠିକ୍ ସମୟରେ ଚାଷୀ ମାନଙ୍କ ଠାରେ ସରକାରୀ କାର୍ଯ୍ୟକ୍ରମ ପହଞ୍ଚାଇବା ଦିଗରେ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେଲେ ଚାଷୀମାନେ ବେଶ ଉପକୃତ ହୋଇପାରିବେ ବୋଲି କହିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ(ସ୍କିମ) ସଂଘମିତ୍ରା ପ୍ରଧାନ , ମୃତ୍ତିକା ପରୀକ୍ଷାଗାର ଅଧିକାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ , ଏଏଓ: ଶ୍ରୀ କେ: ସୁରଜ ପାତ୍ର , ଦେବଗିରି ପ୍ରଡ୍ୟୁସର କମ୍ପାନୀର ସିଇଓ: ଶ୍ରୀ ତରୁଣ କୁମାର ନାୟକ ପ୍ରମୁଖ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ଓ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମରେ ଗ୍ରାମ୍ୟ କୃଷି କର୍ମଚାରୀ , କୃଷକ ସାଥୀ ଏବଂ କୃଷି ଓ ଆନୁଷଙ୍ଗିକ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ ଓ ମହିଳା ଚାଷୀ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.