Odisha News

ଗଜପତି: ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ଵ ଦିବସ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୪ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନ୍ତର୍ଗତ ପ୍ରସୂତି କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ଵ ଦିବସ କାର‌୍ୟ୍ୟକ୍ରମ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପାଳିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏଡିପିଏଚସିଓ: ଶ୍ରୀ ନେତ୍ରାନନ୍ଦ ଶତପଥୀ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ ଚିକିତ୍ସାଳୟ ମାନଙ୍କରେ ଯୋଗାଇ ଦିଆ ଯାଉଥିବା ମାଗଣା ପ୍ରସବ ଜନିତ ସ୍ୱାସ୍ଥ୍ୟସେବା ଓ ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ପ୍ରୋତ୍ସାହନ ରାଶି ଉପରେ ଅବଗତ କରାଇ ଥିଲେ ।
କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡ଼ାଃ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଯୋଗଦେଇ ଗର୍ଭସ୍ଥ ଓ ପ୍ରସୂତି ମହିଳା ମାନଙ୍କୁ ବିପଦ ଶଙ୍କୁଳ ଅବସ୍ଥାରେ କିଭଳି ଚିକିତ୍ସାଳୟକୁ ଆସି ପହଞ୍ଚିବେ ଏବଂ ସେମାନେ କେଉଁ ଅବସ୍ଥାରେ ଏବଂ କେଉଁ ଲକ୍ଷଣ ସବୁ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବେ ସେ ସମ୍ପର୍କରେ ସଚେତନ କରାଇ ଥିଲେ ।
ଅନ୍ୟପକ୍ଷରେ , ମାତୃତ୍ୱକୁ ସୁରକ୍ଷିତ କରାଇବା ସହ ମାତୃ ଓ ଶିଶୁ ମୃତ୍ୟୁ ହାରକୁ କମାଇବା ଏହି ଦିବସ ପାଳନର ମୂଳଲକ୍ଷ୍ୟ ବୋଲି କହି ମାତୃତ୍ଵ ସୁରକ୍ଷିତ ରହିବା ସହ ସମାଜକୁ ଏକ ସୁସ୍ଥ , ସୁନ୍ଦର ଓ ସବଳ ଶିଶୁଟିଏ ପ୍ରସବ ହେଲେ ଭବିଷ୍ୟତରେ ଆମର ପରିବାର , ସମାଜ ଓ ଦେଶ\’ର ଉନ୍ନତିକରଣ ହେବାରେ ବେଶ ସହାୟକ ହୋଇ ପାରିବ ବୋଲି କହିଥିଲେ ।
ଗାୟନିକ ବିଶେଷଜ୍ଞ ଡ଼ାଃ ରେଗା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଯୋଗଦେଇ ଗର୍ଭାବସ୍ଥାରେ ଦେଖା ଦେଉଥିବା ବିପଦ ଲକ୍ଷଣ ଯଥା:- ପାଦ ଓ ମୁହଁ ଫୁଲିବା , ରକ୍ତହୀନତା , ଛାତି ଧକ୍ ଧକ ହେବା , ଉଚ୍ଚ ରକ୍ତଚାପ ଓ ମୁଣ୍ଡ ବୁଲାଇବା , ଜ୍ଵର ହେବା ଓ ଗର୍ଭାବସ୍ଥା ସମୟରେ ରକ୍ତସ୍ରାବ ହେବା ପ୍ରଭୃତି ଲକ୍ଷଣ ଉପରେ କହି ଏଭଳି କ୍ଷେତ୍ରରେ ତୁରନ୍ତ ଚିକିତ୍ସାଳୟ ଯାଇ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପରେ କହି ସଚେତନ କରାଇଥିଲେ ।
ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା , ଗର୍ଭସ୍ଥ ଓ ପ୍ରସୂତି ମହିଳା , ଏଏନଏମ: ଓ ଆଶାକର୍ମୀ ଏବଂ ଏଏନ୍ଏମ: ତାଲିମ ଛାତ୍ରୀ ମାନଙ୍କୁ ନେଇ ସୁରକ୍ଷିତ ମାତୃତ୍ୱର ବିଭିନ୍ନ ଦିଗ ଉପରେ ଏକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହାର କୃତି ବିଜେତା ମାନଙ୍କୁ ପୁରସ୍କାର ବଣ୍ଟନ କରା ଯାଇଥିଲା ।

Related Posts

Seo wordpress plugin by www.seowizard.org.