Odisha News

ଗଜପତି: ଗର୍ଭବତୀ ଓ ପ୍ରସୂତି ମାଆଙ୍କ ନିମନ୍ତେ ସୋପାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩/୪: ଗଜପତି ଜିଲ୍ଲା ଗୋସାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ବି:ସୀତାପୁର ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଠାରେ ଗୋସାଣୀ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ସାହାୟତାରେ ସୋପାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ଅଙ୍ଗନବବାଡ଼ି କେନ୍ଦ୍ରରେ ସୋପାନ କାର୍ଯ୍ୟକ୍ରମ ଦ୍ୱାରା ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କ ପୁଷ୍ଟିକର ଖାଦ୍ୟ ସହ ସ୍ୱାସ୍ଥ୍ୟର ଉନ୍ନତି କରିବା ।
ଅନ୍ୟପକ୍ଷରେ ଏହି ସୋପାନ କାର୍ଯ୍ୟକ୍ରମ ଦ୍ୱାରା ଅଙ୍ଗନବାଡି କେନ୍ଦ୍ରରେ ସମସ୍ତ ଗର୍ଭବତୀ ଓ ପ୍ରସୂତୀ ମାଆଙ୍କୁ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ଛତୁଆ ସହ ଗରମ ରନ୍ଧା ଖାଦ୍ୟ ଯାହାକି ବର୍ଷକୁ ନିର୍ଦ୍ଧାରିତ ୩୦୦ ଦିନ ଦିଆଯିବ ।
ଏତଦ ବ୍ୟତୀତ ୧୫ ରୁ ୧୯ ବର୍ଷ ବୟସର କିଶୋରୀ ବାଳିକା ମାନଙ୍କୁ ସପ୍ତାହକୁ ତିନିଟି ଅଣ୍ଡା ଦିଆଯିବ ।
ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମ ଦ୍ୱାରା ପୁଷ୍ଟି ହୀନ ଶିଶୁ ମାନେ ମଧ୍ୟ ବିଶେଷ ଭାବେ ଉପକୃତ ହେବେ ଏବଂ ସମସ୍ତ ଗର୍ଭବତୀ , ପ୍ରସୂତି ମାଆ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ଘଟିବାରେ ବେଶ ସହାୟକ ହୋଇପାରିବ ।
ଏହି ସୋପାନ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କୁ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଦ୍ୱାରା ଗରମ ରନ୍ଧା ଖାଦ୍ୟରେ ଭାତ ଓ ଅଣ୍ଡା ତରକାରୀ ବଣ୍ଟନ କରା ଯାଇଥିଲା ।
ଏଥିରେ ଛତୁଆ ପକେଟ ମଧ୍ୟ ବଣ୍ଟନ କରା ଯାଇଥିଲା । ଏଥିରେ ସହଯୋଗ କରିଥିଲେ ସମ୍ପୃକ୍ତ କେନ୍ଦ୍ରର ଅଙ୍ଗନବାଡି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା ।
ଏଠାରେ ସୂଚନା ଯୋଗ୍ୟ ଯେ , ଗଜପତି ଜିଲ୍ଲାରେ ରହିଥିବା ୨୪୩୬ ଗୋଟି ଅଙ୍ଗନବାଡି କେନ୍ଦ୍ରରେ ଗତ ୧.୪.୨୦୨୨ ତାରିଖ ଠାରୁ ସୋପାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଶ୍ରୀମତି କେ ସୁନିତା , ଏନଓପି: ମେନେଜର ଶ୍ରୀ ଅଜୟ ନାୟକ , ସୁପରଭାଇଜର ଶ୍ରୀମତୀ ଶାରଳା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସେହିଭଳି ବ୍ଳକ ତରଫରୁ ସୁପରଭାଇଜର ଶ୍ରୀମତୀ ସୁଜାତା ଗନ୍ତାୟତ ଓ ଶ୍ରୀମତୀ ଶଶୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ବି:ସୀତାପୁର ଗ୍ରାମର ଅଙ୍ଗନବାଡି କର୍ମୀ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା ପରିଚାଳନା କରିଥିବା ବେଳେ ମିନି ଅଙ୍ଗନବାଡି କର୍ମୀ କେ.ବିଜୟ ଲକ୍ଷ୍ମୀ , ଆଶା କର୍ମୀ ଏନ: ତ୍ରିବେଣୀ , ହେଲପର ପଦ୍ମାବତୀ ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମର କିଶୋରୀ ବାଳିକା , ଗର୍ଭବତୀ ଓ ପ୍ରସୂତି ମାଆ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ବିଭିନ୍ନ ବିଷୟ ଉପରେ ଜାଣି ସଚେତନ ହୋଇଥିଲେ ।

Related Posts

Seo wordpress plugin by www.seowizard.org.