Odisha News

ଗଜପତି: ଓଡିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୧ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୮: ଓଡ଼ିଶାର ସଂସ୍କୃତି ପୁରୁଷ , ଐତିହାସିକ , ଯୁଗ ପୁରୁଷ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ୧୨୧ ତମ ଜୟନ୍ତୀ ଉତ୍ସବ , ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭା ଗୃହ ଠାରେ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସଂସଦ , ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଉତ୍କଳ ହିତ୍ୟେଷିଣୀ ସମାଜର ସଭା ଗୃହ ଠାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ମୁଖ୍ୟଅତିଥି ଭାବେ ଓଡ଼ିଶାର ଲବଧ ପ୍ରତିଷ୍ଠ ଶ୍ରୀମନ୍ଦିର ଗବେଷକ ଡ଼ଃ ଭାସ୍କର ମିଶ୍ର ଏବଂ ଅନ୍ୟତମ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ୍ ଯୋଗ ଦେଇ ପଦ୍ମଶ୍ରୀ ଡ଼ଃ ରାଜଗୁରୁଙ୍କ ବିଭିନ୍ନ କୃତୀତ୍ଵ ହାସଲ ସମ୍ପର୍କରେ ଆଲୋଚନା କରି ସେ ଏକାଧାରରେ ଜଣେ ସଂସ୍କୃତି ପୁରୁଷ , ଐତିହାସିକ , ପଣ୍ଡିତ , ପ୍ରତ୍ନତତ୍ତ୍ୱ ଓ ଲବ୍ଧପ୍ରତିଷ୍ଠିତ ଲିପିତତ୍ତ୍ୱବିଦ , ତାମ୍ରଲିପି ପାଠକ , ଗବେଷକ , ନାଟ୍ୟକାର , ଶିକ୍ଷାବିତ , ସାହିତ୍ୟିକ ଓ , କୁଟନିତିଜ୍ଞ ସମାଲୋଚକ , ମହାନ୍ ସମାଜ ସେବୀ ଓ ସଂସ୍କାରକ ଥିଲେ ବୋଲି କହିଥିଲେ ।
ମୁଖ୍ୟତଃ ଓଡିଶାର ଧର୍ମ , ସାହିତ୍ୟ ଓ ସଂସ୍କୃତିର ପ୍ରବକ୍ତା ତଥା ଲିପିତତ୍ତ୍ୱବିତ ଭାବେ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ଯଶ-କୀର୍ତ୍ତି କେବଳ ଓଡିଶାରେ ସୀମିତ ନ ଥିଲା , ଏହା ସମଗ୍ର ଭାରତବର୍ଷ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ପରିବ୍ୟାପ୍ତ ହୋଇ ରହିଥିଲା ବୋଲି ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ପୁରୀରୁ ଆସିଥିବା ଲବ୍ଧ ପ୍ରତିଷ୍ଠ ଶ୍ରୀ ମନ୍ଦିର ଗବେଷକ ଡ଼ଃ ଭାସ୍କର ମିଶ୍ରଙ୍କ ଦ୍ଵାରା ପଦ୍ମଶ୍ରୀ ଡ଼ଃ ରାଜଗୁରୁଙ୍କ କର୍ମମୟ ଜୀବନୀ ଆଲୋଚନା କରା ଯାଇଥିବା ବେଳେ ଡ଼ଃ ଭାସ୍କର ମିଶ୍ରଙ୍କୁ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସ୍ମୃତି ସମ୍ମାନ-୨୦୨୩ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା । ମାନପତ୍ର ପାଠ କରିଥିଲେ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ।
ପରେ ଏହି ଅବସରରେ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ମନୋରମା କାବ୍ୟ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀ ଭାଗବତ ପାଢ଼ୀ ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ସମେତ କଲେଜ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ପ୍ରଥମ:- ଅନିତା ରଇତ , ଦ୍ଵିତୀୟ:- ରାଜେଶ୍ୱରୀ ସ୍ୱାଇଁ ଓ ବର୍ଷା ରାଉତ ଏବଂ ତୃତୀୟ:- ପାଏଲ ପାତ୍ର ପ୍ରମୁଖ ଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷାବିତ୍ ଶ୍ରୀ ଵିଚିତ୍ରା ନନ୍ଦ ବେବର୍ତ୍ତା ଏବଂ ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା ।
ଆଜି ପ୍ରାତଃ ସମୟରେ ଏହି ଅବସରରେ ସ୍ଥାନୀୟ ପୁରୁଣା କୋର୍ଟ ଛକ ଠାରେ ଥିବା ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ପ୍ରତିମୂର୍ତ୍ତି ଉପରେ ଉତ୍କଳ ହିତ୍ୟେଷିଣୀ ସମାଜର କର୍ମକର୍ତ୍ତା ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।
ଏହି ସାରସ୍ଵତ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ଆବାହନ କରିଥିଲେ ଶ୍ରୀ ଜଗଦୀଶ ଚନ୍ଦ୍ର ମହାପାତ୍ର । ସ୍ଵାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ , ସ୍ଥାନୀୟ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ।
ସାରସ୍ଵତ ସଭା କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ଉତ୍କଳ ହିତ୍ୟେଷିଣୀ ସମାଜ ଅନୁଷ୍ଠାନର ସମ୍ପାଦକ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ସଂପାଦକୀୟ ବିବରଣୀ ପାଠ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଶ୍ରୀ ରାଜେନ୍ଦ୍ର ରଥଙ୍କ ତତ୍ତ୍ଵାବଧାନରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ , ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦର କଳାକାର ମାନେ ଏବଂ ପଦ୍ମଶ୍ରୀ ଡ଼ଃ ସତ୍ୟ ନାରାୟଣ ରାଜଗୁରୁଙ୍କ ଉପରେ ଏକ ସ୍ମରଣୀୟ କବିତା ପାଠ କରିଥିଲେ , ରଚନାକାର:- ଶ୍ରୀ ନରସିଂହ ଗୌଡ଼।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀ ଭାରତ ଭୁଷଣ ମହାନ୍ତି ।
ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଶ୍ରୀ ଶରତ ସାହୁ , ଶ୍ରୀ ମୁରଲୀ ଧର ପରିଛା , ଶ୍ରୀ ବିଷ୍ଣୁ ପଣ୍ଡା , ଶ୍ୟାମ ସୁନ୍ଦର ଗନ୍ତାୟତ ଏବଂ ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା ।

Related Posts

Seo wordpress plugin by www.seowizard.org.