Odisha News

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ଶର୍ମିଷ୍ଠା ରାଉତଙ୍କ ଦ୍ୱାରା ପରିଚାଳିତ ‘ଦୟାଲ ଆଶ୍ରମ’କୁ ସିଲ୍ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୨୭/୩: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ରବବାର ଭୁବନେଶ୍ୱର ସ୍ଥିତ ଦୟାଲ ବୃଦ୍ଧାଶ୍ରମକୁ ସିଲ୍ କରିଛି। ଅଢେଇ ଘଣ୍ଟା ଧରି ତନାଘନା କରିବା ପରେ ଆଶ୍ରମକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ। ଦୟାଲ ଆଶ୍ରମରୁ କିଛି ସୁରାଗ କ୍ରାଇମବ୍ରାଞ୍ଚକୁ ମିଳିଥିବା ସୂଚନା ମିଳିଛି।
ଆଶ୍ରମରୁ କିଛି କାଠଫାଳିଆ ଜବତ କରାଯାଇଥିବା ଜଣାଯାଇଛି। ଏହି କାଠ ଫାଳିଆ ମାନସଙ୍କୁ ହତ୍ୟା କରିବାରେ ବ୍ୟବହୃତ ହୋଇଛି କି ନାହିଁ ଜାଣିବାକୁ ଫରେନସିକ୍ ଟେଷ୍ଟ କରାଯିବ ବୋଲି କ୍ରାଇବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଏହାସହ ଥ୍ରୀ ଡି କ୍ୟାମେରା ଯୋଗେ କିଛି ଫିଙ୍ଗରପ୍ରିଣ୍ଟ ଓ ଫୁଟେଜ ସଂଗ୍ରହ କରାଯାଇଛି।
ଆଜି ସକାଳେ କେୟାରଟେକରଙ୍କୁ ସାଙ୍ଗରେ ନେଇ କ୍ରାଇମବ୍ରାଞ୍ଚ ଟିମ୍ ଦୟାଲ ଆଶ୍ରମରେ ପହଞ୍ଚିଥିଲା। ଫୋରେନସିକ୍ ଟିମ୍, ଏମ୍ସର ଡାକ୍ତରୀ ଦଳ ଓ ଏକ୍ସପର୍ଟ ଟିମ୍ ମଧ୍ୟ ତଦନ୍ତରେ ସାମିଲ ହୋଇଥିଲେ।
ସେଠାରେ ଦୀର୍ଘ ସମୟ ଛାନଭିନ୍ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ଆଶ୍ରମକୁ କିଏ ଆସିଥିଲେ, ଘଟଣା ଦିନ କିଏ କିଏ ଥିଲେ ସେ ସଂପର୍କରେ କେୟାରଟେକରଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲା କ୍ରାଇମବ୍ରାଞ୍ଚ । ଆଶ୍ରମରୁ ମିଳିଥିବା ମାନସଙ୍କ ଶେଷ ଚିଠି ସଂପର୍କରେ ମଧ୍ୟ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ।
ଅପହରଣ ପରେ ମାନସଙ୍କୁ ଆଣି ଆଶ୍ରମର ରଖାଯାଇଥିଲା। ଏଠାରେ ମାନସଙ୍କୁ ହତ୍ୟା କରିବା ପରେ କାର୍ରେ ନିଆଯାଇ ନୟାଗଡ଼ରର ରଣପୁରରେ ପୋତି ଦିଆଯାଇଥିଲା। ଗତକାଲି ଚାନ୍ଦବାଲି ଥାନା ଓ ଅପହରଣ ସ୍ଥଳ ପଳାସପୁରକୁ ଯାଇ ମଧ୍ୟ ଛାନ୍ଭିନ୍ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ରାଜ୍ୟ ବାହାରେ ଶର୍ମିଷ୍ଠାଙ୍କୁ ଖୋଜୁଛି।

Related Posts

Seo wordpress plugin by www.seowizard.org.