Odisha News

କୋରାପୁଟ : ଆମେରିକା ଯିବେ ତେନ୍ତୁଳିଗୁଡାର ଆଦିବାସୀ ବୈଦ୍ୟ ହରିପାଙ୍ଗି

ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ
କୋରାପୁଟ, ୨୭ ।୨: କୋରାପୁଟ ସବୁବେଳେ ଆକୃଷ୍ଟ କରିଛି ଜନମାନସ କୁ । କେତେବେଳେ ନୈସର୍ଗିକ ଶୋଭା ପାଇଁ ତ କେତେବେଳେ ନିଜର ମହନୀୟତା ପାଇଁ । ପ୍ରକୃତି କୋଳରେ ବଢ଼ି ଆସିଥିବା କୋରାପୁଟିଆ ର ହୃଦୟ ବି ବହୁତ ସରଳ । ଦେବାରେ କାର୍ପଣ୍ୟ ନାହିଁ, ସେବାରେ ବି ନିଃସ୍ୱାର୍ଥ ଭାବ । ବନୌଷଧି ରେ ଭରପୁର କୋରାପୁଟ ମାଟିର ନିର‌୍ୟ୍ୟାସ ରେ କେତେଯେ ଉପଚାର ର କଥା ଅଛି ସେସବୁ ଗୋଟିଗୋଟି କରି ବଖାଣିଲେ ହୁଏତ ସମୟ ନିଅଁଣ୍ଟ ହବ ।
ସେଇ ବନୌଷଧି କୁ ଲୋକଙ୍କ ସ୍ୱାସ୍ଥ୍ୟ ସେବା ରେ ଉତ୍ସର୍ଗ କରିବାରେ କୋରାପୁଟିଆ ନିଜକୁ ସାମିଲ କରି ଗର୍ବ କରେ । କୋଉ ରୋଗ ପାଇଁ କି ପ୍ରକାର ବନୌଷଧି କୁ ନେଇ ଆୟୁର୍ବେଦୀୟ ଚିକିତ୍ସା ରେ ଉପଚାର କରି ହେବ ସେକଥା ସେ ବେଶ ଜାଣେ । ରୋଗୀଟିଏ ଖୁସିରେ ଔଷଧ ନେଇ ଫେରେ, ତାହା ବି ବିନା ଅର୍ଥ ଦେୟ ରେ । ସେମିତି ଏକ ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜ ସକାଶେ ନିଜକୁ ସମର୍ପି ଦେଇଥିବା ଚରିତ୍ର ହେଲେ ହରି ପାଙ୍ଗି । ଆଦିବାସୀ କୂଳରେ ଜନ୍ମ ହେଇ ସ୍ୱଳ୍ପ ଵିଦ୍ୟା ଶିକ୍ଷା ପରେ ସେ ବାଛି ନେଇଛନ୍ତି ଏଇ ରୋଗୀ ସେବା ର ମାଧ୍ୟମ ।
କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଳକ୍ ତେନ୍ତୁଳିଗୁଡାର ବୈଦ ହରି ପାଙ୍ଗି ଆମେରିକା ଯିବେ। ଆସନ୍ତା ମାର୍ଚ୍ଚରେ ଆମେରିକା ଠାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଭିଜିଟର୍ସ ଲିଡରଶିପ କାର‌୍ୟ୍ୟକ୍ରମରେ ଯୋଗ ଦେଇ ପରିବେଶର ପରିବର୍ତ୍ତନ ଓ ଏହାର କାରଣ ଉପରେ ଅଭିଭାଷଣ ଉପରେ ସେ ଉଦବୋଧନ ଦେବେ। ଆମେରିକା ସରକାରଙ୍କ ପକ୍ଷରୁ ଆୟୋଜିତ କାର‌୍ୟ୍ୟକ୍ରମରେ ଓଡିଶାରୁ ସେ ଚୟନ ହୋଇଛନ୍ତି।
୪୩ ବର୍ଷୀୟ ହରି ଅଷ୍ଟମ ପର‌୍ୟ୍ୟନ୍ତ ପଢ଼ିଥିଲେ ମଧ୍ୟ ଜଡ଼ିବୁଟି ଉପରେ ତାଙ୍କର ବହୁତ୍ ଜ୍ଞାନ ରହିଛି। ତାଙ୍କର ପୂର୍ବ ପୁରୁଷ ପିଢ଼ି ପରେ ପିଢ଼ି ଏହି କ୍ଷେତ୍ରରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି। ସାନ ବେଳୁ ବାପା ରୁପା ଙ୍କ ସହ ଜଙ୍ଗଳକୁ ଯାଇ ସେ ଏହି କାର‌୍ୟ୍ୟ ଶିଖିଛନ୍ତି। ଅଦ୍ୟାବଧି ଜଙ୍ଗଲରୁ ଜଡ଼ିବୁଟି ସଂଗ୍ରହ କରି ସେ ପ୍ରାୟ ୪୫୦ ପ୍ରକାରର ଚେରିମୁଲି ଔଷଧ ତିଆରି କରିଛନ୍ତି। ଏହାଦ୍ଵାରା ହାର୍ଟ ଆଟାକ୍, ବ୍ଲଡ଼ ପ୍ରେସର୍, ସିକଲସେଲ୍ ସ୍ନାୟୁ ରୋଗ, ମହିଳାଙ୍କ ଋତୁସ୍ରାବ ସମସ୍ୟା, ଥାଇରଡ, କିଡନୀ ସମସ୍ୟା ଭାଳି ୧୦୫ ଟି ରୋଗ ଏହି ଔଷଧୀୟ ଦ୍ଵାରା ଠିକ୍ ହେଉଥିବା ସେ କହିଛନ୍ତି। ସେମିଳିଗୁଡା ବ୍ଲକ୍ ଡଳିଆମ୍ବ ଠାରେ ଗୁପ୍ତେଶ୍ୱର ଚେରିମୁଲି ଔଷଧ ଏବଂ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ସେ ସମସ୍ତ ଗବେଷଣା କରୁଛନ୍ତି।
ସକାଳୁ ଉଠି ସୂର‌୍ୟ୍ୟପୂଜା କରି ନିଜ ଗ୍ରାମର ପାରମ୍ପରିକ ନିଶାଣିମୁଣ୍ଡାରେ ମୁଣ୍ଡିଆ ଟିଏ ମାରି ହାତରେ ବ୍ୟାଗ ଖଣ୍ଡିଏ ଧରି ଘଞ୍ଚ ଜଙ୍ଗଲ ଭିତରେ ପଶି ଖୋଜୁଛନ୍ତି ଚେରମୂଳି ଓ ଜଡିବୁଟି । ଜଙ୍ଗଲ ମଧ୍ୟରେ ଗଙ୍ଗ ଶିଉଳି,ବିଶଲ୍ୟକରଣୀକୋଚିଲାଗୁଡମାରୀ ଭଳି ଏହି ଅଞ୍ଚଳର ପାରମ୍ପରିକ ଔଷଧିୟ ଗୁଳ୍ମ ଓ ଔ ଷଧିୟ ବୃକ୍ଷ ଗୁଡିକର ଚେର,ମୂଳ,କଣ୍ଡା,ପତ୍ର,ଫୁଲ ଓ ଫଳ ସଂଗ୍ରହ କରୁଛନ୍ତି ।
ଅନ୍ୟପଟେ ଦେଖନ୍ତୁ ଶେଷକୁ ଆଣି ପ୍ରକ୍ରିୟାକରଣ କରି ଥାକ ଥାକ ସଜାଇ ପାରମ୍ପରିକ ଭାବେ ପ୍ରସ୍ତୁତ କରୁଛନ୍ତି ଆୟୁବେଦିକ ଔଷଧ । କିନ୍ତୁ ଏ ଆଦିବାସୀ ଗବେଷକ ବୈଦ୍ୟ ଗୁଜୁରାଟର ଗାନ୍ଧି ନଗରକୁ ଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପାରମ୍ପରିକ ଔଷଧକୁ ନେଇ ଆୟୋଜିତ ଆନ୍ତର୍ଜାତିୟ ସମ୍ମିଳନୀରେ ଏ ଅଂଚଳର ଔଷଧିୟ ବୃକ୍ଷ ସଂପର୍କରେ ତଥ୍ୟ ଉପସ୍ଥାପନ କରି ଜିଲ୍ଲା ଓ ରାଜକ୍ୟ ପାଇଁ ପାଇଁ ଗୌରବ ଆଣିଥିଲେ ।
ଏବେ ଆମେରିକା ଯିବେ ଆଉ ସେଇଠି ସାରା ବିଶ୍ୱ ଦରବାର ଆଗରେ କୋରାପୁଟର ଆୟୁବେଦିକ ଔଷଧ ଓ ପରିବେଶ ସନ୍ତୁଳନ ଉପରେ ଭାବ ଆଦାନ ପ୍ରଦାନ କରିବେ । ଆସି ଯାଇଛି ପାସଫଟୋ ଓ ଭିସା । ଆଉ ସେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି ।

Related Posts

Seo wordpress plugin by www.seowizard.org.