Odisha News

କାର୍‌କୁ ପିଟିଲା ବାଇକ୍, ୩ ଯୁବକଙ୍କ ମୃତ୍ୟୁ

ଦଶପଲ୍ଲା,୨୫/୧୧: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ସୁବଳୟା ଛକ ନିକଟରେ ଆଜି ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ସ୍ଥାନୀୟ ଅଞ୍ଚଳର ୩ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦୀପକ ମେଡିନିରା, ପରମେଶ୍ବର ଜାନି ଓ ଗୋକୁଳା ନନ୍ଦ ନାୟକ। ମୃତକଙ୍କ ବୟସ ୨୫ରୁ ୩୦ ବର୍ଷ ବୟସ ହେବ।
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ସୁବଳୟା ଛକ ନିକଟରେ ଛତିଶଗଡ଼ ନମ୍ବର (ସିଜି୦୭ବିପି୨୯୭୧) ଥିବା ଏକ କାର ଦଶପଲ୍ଲା ପାର୍ଶ୍ବରୁ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇଥିଲା। ଏହି କାର୍ଟି ବିପରୀତ ଦିଗରୁ ଆସୁଥିବା ୩ ଜଣ ବାଇକ୍ ଆରୋହୀ ଯୁବକଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା।
ଫଳରେ ବାଇକ୍ରେ ଥିବା ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ଖଣ୍ଡପଡ଼ା ଗ୍ରାମର ଦୀପକ ମେଡିନିରା, ତଅଁଳାସାହିର ପରମେଶ୍ବର ଜାନି ଓ ପଟ୍ଟାମାଳ ଗାଁର ଗୋକୁଳା ନନ୍ଦ ନାୟକ ଘଟଣାସ୍ଥଳରେ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତର ବ୍ୟକ୍ତିମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ଦଶହପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ କାର୍ ଏବଂ ବାଇକ୍କୁ ଜବତ କରିଛି। ଅନ୍ୟପଟରେ ଦୁର୍ଘଟଣା ଘଟାଇ ଥିବା କାର୍ରେ ଥିବା ଚାଳକ ଫେରାର ହୋଇଯାଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କାର୍ର ପ୍ରଥମ ମାଲିକ ବିଜୟ କୁମାର ପାତ୍ର ବୋଲି ଜଣାପଡ଼ିଛି। ଏହି କାର୍ଟି ଛତିଶଗଡ଼ର ଦୁର୍ଗ ଅଞ୍ଚଳର ବୋଲି ମଧ୍ୟ ଜଣାପଡ଼ିଛି।

Related Posts

Seo wordpress plugin by www.seowizard.org.