Odisha News

କନ୍ଧମାଳ: ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳାବ୍ୟାଚ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଲା

ସଞ୍ଜୟ କୁମାର ପାଣୀଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୨/୮: ଓଡ଼ିଶାରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଓ ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରି ସମୟକୁ ପଦୋନ୍ନତି, ବର୍ଦ୍ଧିତ ଦରମା, ବରିଷ୍ଠତାରେ ଗଣନା କରିବା ଦାବିରେ ଦିର୍ଘ ୬ ଦିନ ଧରି ସାରା ରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ ଗ୍ରୁପ ବି, ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଚ ପରିଧାନ କରିବା ସହିତ ଶାନ୍ତିପୂର୍ଣ୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି।
ଏହି ବିକ୍ଷୋଭ ପ୍ରଦର୍ଶନରେ ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ସାମଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ ଓ ପୁଲିସ ଆଦି ବିଭିନ୍ନ ବିଭାଗରୁ କାର୍ଯ୍ୟରତ କର୍ମଚାରୀମାନେ ପ୍ରତ୍ୟେକ ଜିଲ୍ଲାର ବ୍ଲକସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତରଠାରୁ ଆରମ୍ଭ କରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବା ସହ ମଧ୍ୟାହ୍ନ ବିରତି ସମୟରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେଉଛନ୍ତି।
ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଏବଂ ଚୁକ୍ତିଭିତ୍ତିକ ଚାକିରି ସମୟକୁ ମୂଳ ଚାକିରିରେ ଯୋଗ ଦୁଇଟି ମୁଖ୍ୟ ଦାବି ସହ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟରେ ମହଙ୍ଗା ଭତ୍ତା, ଘରଭଡା ଏବଂ ସମସ୍ତ ସରକାରୀ ଆନୁସଙ୍ଗିକ ସୁବିଧା ଇତ୍ୟାଦି ପ୍ରଦାନ ନେଇ କଳା ବ୍ୟାଚ ପରିଧାନ ଏବଂ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ସମାବେଶ ସାରା ରାଜ୍ୟରେ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ସେମାନଙ୍କ ଦାବିଗୁଡିକୁ ପୂରଣ ନକରନ୍ତି ।
ତେବେ ମହାସଂଘର ପୂର୍ଵ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସେପ୍ଟେମ୍ବର ୧୧ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବେ ବୋଲି ମହାସଂଘର ଜିଲ୍ଲା ସଭାପତି ଅଶୋକ ଗୌଡ଼, ସଂପାଦକ ସିମାଞ୍ଚଳ ପଣ୍ଡା, ଉପ ସଭାପତି କ୍ଷିତୀଶ କୁମାର, ଫୁଲବାଣୀ ବ୍ଲକ ସଭାପତି ସୁଶାନ୍ତ ବେହେରା ଓ ପ୍ରମୁଖ ନେତୃମଣ୍ଡଳୀ ପ୍ରେସ ବିଜ୍ଞପ୍ତି ଦ୍ୱାରା ଜଣାଇଛନ୍ତି ।
ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର
ବାଲିଗୁଡା,୨୨/୮:କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟାଗୁଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ।
ଭାଲୁ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି । ସକାଳୁ ସକାଳୁ ବାପା ବାଞ୍ଛା ମଲିକ , ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ୩ ଜଣ ନିକଟସ୍ଥ ଜଙ୍ଗଲକୁ ଶିଆଳି ପତ୍ର ତୋଳିବା ପାଇଁ ଯାଇଥିବାବେଳେ ଜଙ୍ଗଲୀ ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ସ୍ତ୍ରୀ ବୁଡାଳି ମଲିକର ମୃତ୍ୟୁ ଘଟିଥିଲା ।
ଏମାନଙ୍କ ଘର ଵାଟଗୁଡ଼ା ନିକଟ ଟଙ୍ଗମ ଗ୍ରାମରେ କ୍ଷ ଆହତ ବାପ ଓ ଝିଅଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ତୁମୁଡିବନ୍ଧ ରେଞ୍ଜର ଲଳିତ ନାୟକ, ବାଟାଗୁଡା ସରପଞ୍ଚ ପ୍ରତାପ ମଲିକ ପହଂଚି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବିଷୟ ଥାନାଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି ।
ଚାଷ ଜମି ଦେଖିବାକୁ ଯିବା ହେଲା କାଳ, ପାଣିରେ ବୁଡି ୨ ଶିଶୁଙ୍କ ମୃତ୍ୟୁ
ବାଲିଗୁଡା,୨୨/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଂଚାୟତର ଜାର୍ଗୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଚାଷ ଜମିରେ ବୁଡି ୨ ଶିଶୁଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଗ୍ରାମର ଦୁଇ ପରିବାରର ଲୋକେ ସନ୍ଧ୍ୟା ସମୟରେ ବିଲ ଦେଖିବାକୁ ଯାଇଥିବା ବେଳେ ତାଙ୍କ ସହ ଦୁଇ ଶିଶୁ ମଧ୍ୟ ବିଲକୁ ଯାଇଥିଲେ ।
ହେଲେ ବିଲରେ ବର୍ଷା ପାଣି ଭର୍ତ୍ତି ହୋଇଥିବାରୁ ଜାଣି ନପାରି ବିଲକୁ ପଶି ଯାଇଥିଲେ । ଆଉ ପାଣିରେ ବୁଡ଼ିଯିବା ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ମୃତ ଶିଶୁ ପୁତ୍ରର ବୟସ ୭ ବର୍ଷ ହୋଇଥିବା ବେଳେ ଶିଶୁ କନ୍ୟାର ବୟସ ୫ ବର୍ଷ ।
ମୃତ୍ୟୁ ଖବର ପାଇବା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା । ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ବାଲିଗୁଡା : ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବାଲିଗୁଡା ବିଡ଼ିଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବାଲିଗୁଡା,୨୨/୮: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳାସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ବାଲିଗୁଡା ବିଡ଼ିଓ ତଥା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ଶଶାଙ୍କ ଶେଖର ପାତ୍ର ଙ୍କୁ ଫୁଲ ତୋଡ଼ା ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ବାଲିଗୁଡା ବ୍ଲକରେ କଳା ଓ଼ ସଂସ୍କୃତି ର କିଭଳି ଉନ୍ନତି ଘଟିବ ବିଲୁପ୍ତ ପ୍ରାୟ ଲୋକକଳା, ଲୋକ ବାଦ୍ୟ, ଲୋକ ସଂଗୀତର ପୁନଃ ଉଦ୍ଧାର ହେବ । ସଂକୀର୍ତ୍ତନ ମଣ୍ଡଳୀ, ଭାଗବତ ଟୁଙ୍ଗୀର ମଧ୍ୟ ପୁନଃ ଉଦ୍ଧାର ହେବା ସହ ଉନ୍ନତି କରଣ ନେଇ ଆଲୋଚନା କରିଥିଲେ ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ତଥା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ ସାହୁ, ପୁରସ୍ତମ ନାୟକ ଏବଂ ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର, ବରିଷ୍ଠ କଳାକାର ସଚ୍ଚିଦା ନନ୍ଦ ପାତ୍ରଙ୍କ ସମେତ ବହୁ କଳାକାର ଉପସ୍ଥିତ ଥିଲେ ।
ବାଲିଗୁଡା ଉପଖଣ୍ଡ ସ୍ତରୀୟ ଟେଣ୍ଟ ଲାଇଟ ସାଉଣ୍ଡ ମାଲିକ ସଂଘର କାର‌୍ୟ୍ୟକର୍ତ୍ତା ନିର୍ବାଚନ
ବାଲିଗୁଡା,୨୨/୮:କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ଆବାହକ ରଞ୍ଜିତ କୁମାର ମହାନ୍ତି ଙ୍କ ଆହ୍ୱାନ କ୍ରମେ ବାଲିଗୁଡା ଉପଖଣ୍ଡ ସ୍ତରୀୟ ଟେଣ୍ଟ ଲାଇଟ ସାଉଣ୍ଡ ମାଲିକ ସଂଘ ଗଠନ କରାଯାଇଛି ।
ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ରାଜ କିଶୋର ପଣ୍ଡା ଉପ ସଭାପତି ଭାବେ ଅଶ୍ଵିନୀ କୁମାର ସାହୁ, ସମ୍ପାଦକ ଭାବେ ପ୍ରମୋଦ କୁମାର ଦଣ୍ଡସେନା, ସହ ସମ୍ପାଦକ ଭାବେ ଅଭୟ ମହାରଣା, କୋଷାଧକ୍ଷ ଭାବେ ରଞ୍ଜିତ କୁମାର ମହାନ୍ତି, ସହ କୋଷାଧକ୍ଷ ଭାବେ ସନ୍ତୋଷ କୁମାର ପଣ୍ଡା,ଏବଂ ସଂଗଠନର ଉପଦେଷ୍ଟା ଭାବେ ରାମ ଚନ୍ଦ୍ର ପ୍ରଧାନ, ଜୟକୃଷ୍ଣ ମିଶ୍ର, ଅଙ୍ଗଦ ଦଳେଇ ଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ହରେକୃଷ୍ଣ ଦଳାଇ, ଆସ୍ତିକ ଡିଗାଲ, ରିପୁ ଚନ୍ଦ୍ର ମଲ୍ଲିକ ଗଙ୍ଗାଧର ଖଟୁଆ, ଦୁର୍ଗାଶଙ୍କର ପାତ୍ର, ରତିକାନ୍ତ ନାୟକ ଚୈତନ୍ୟ ବେହେରା ଙ୍କୁ ସର୍ବ ସମ୍ମତି କ୍ରମରେ ଚୟନ କରାଯାଇ କାର୍ଯ୍ୟଭାର ଅର୍ପଣ କରାଯାଇଛି ।
ଉପଖଣ୍ଡ ସ୍ତରରେ ସଂଗଠନ କୁ କିଭଳି ମଜଭୁତ କରାଯିବ ଏବଂ ଟେଣ୍ଟ ଲାଇଟ ସାଉଣ୍ଡ ମାଲିକ ସଂଘ ର ସୁବିଧା ଅସୁବିଧା ରେ ସଂଘ କିଭଳି ସଦସ୍ୟ ମାନଙ୍କ ନିକଟରେ ପହଂଚି ପାରିବ ସେନେଇ ଆଲୋଚନା ହୋଇଥିଲା । ଶେଷରେ ସଭାପତି ରାଜ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.