Odisha News

କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ ୬/୧: କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘରେ ଘରେ ପହଞ୍ଚିଲା ୨୪ ଘଣ୍ଟିଆ ପିଇବା ପାଣି ସୁବିଧା । ଏହାଦ୍ବାରା ସହରର ୧ ଲକ୍ଷ ୪୦ ହଜାର ପରିବାର ଉପକୃତ ହୋଇଛନ୍ତି । ଏହି ପ୍ରକଳ୍ପ ପାଇଁ ୭୯୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର ।
ଏହି ଅବସରରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଟକ ସହିତ ରାଜ୍ୟର ୬୦ଟି ସହରର ସବୁ ପରିବାରକୁ ୨୪ଘଣ୍ଟିଆ ପିଇବା ପାଣି ସୁବିଧା ଦିଆଯାଇଛି । ଖୁବ୍ ଶୀଘ୍ର ସମସ୍ତ ୧୧୪ ସହରରେ ଏହି ସୁବିଧା ପହଞ୍ଚିବ ।
ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମ କେବଳ ସାରା ଦେଶ ନୁହେଁ, ପୃଥିବୀର ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଏକ ରୋଲ୍ ମଡେଲ୍ ହୋଇପାରିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଏଥିସହ କଟକରେ ୪୩୦ କୋଟି ଟଙ୍କାରେ ନିର୍ମିତ ୩ଟି ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ସହରର ବିକାଶ ପାଇଁ ସବୁବେଳେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଆସିଛନ୍ତି ଏବଂ ସବୁ କାର୍ଯ୍ୟକ୍ରମ ପାଇଁ ତୁରନ୍ତ ବ୍ୟବସ୍ଥା କରିଆସିଛନ୍ତି ।
୨୦୨୨ରେ କଟକରେ ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପିତ ହେବ ଏବଂ କଟକ ସହରର ବିକାଶ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି କହିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
କଟକରେ ଏହି ପ୍ରକଳ୍ପ ଆରମ୍ଭ ସହ କଟକ ଦେଶର ଦ୍ବିତୀୟ ସର୍ବବୃହତ ସହର ଭାବେ ଏପରି ଶୁଦ୍ଧ ପାନୀୟ ଜଳ ପାଇବା ତାଲିକାରେ ସ୍ଥାନ ପାଇଛି । ଏହି ଯୋଜନାରେ କଟକବାସୀଙ୍କୁ ଦୈନିକ ୧୪.୩ କୋଟି ଲିଟର ଜଳ ଯୋଗାଇ ଦିଆଯାଉଛି । ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାକୁ ସହରବାସୀ ସ୍ବାଗତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ସିଏମସି କମିଶନର, ରାଜ୍ୟସଭା ସାଂସଦ ସୁବାସ ସିଂହ, ବିଧାୟକ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ଞ ସଚିବ ଭି.କେ.ପାଣ୍ଡିଆନ୍ ।

Related Posts

Seo wordpress plugin by www.seowizard.org.