Odisha News

କଂଗ୍ରେସର ଉନ୍ନତ ପ୍ରଦର୍ଶନ ପାଇଁ ବ୍ରଜରାଜନଗର ଭୋଟରକୁ କୃତଜ୍ଞତା ଜଣାଇଲେ ପିସିସି ସଭାପତି

ଆଗାମୀ ଦିନରେ ରାଜ୍ୟର ସ୍ୱାର୍ଥ ରକ୍ଷା ଲାଗି ବେସାଲିସ୍ ସଂଗ୍ରାମ କରିବ କଂଗ୍ରେସ
ଭୁବନେଶ୍ୱର, ୩/୬: ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ବ୍ରଜରାଜନଗର ବିଧାନସଭା ମଣ୍ଡଳୀର ସମସ୍ତ କଂଗ୍ରେସ୍ ଭୋଟର ଭାଇଭଉଣୀମାନଙ୍କୁ ସେମାନଙ୍କ ଅଭୂତପୂର୍ବ ସମର୍ଥନ ଲାଗି ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଛନ୍ତି । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ କଂଗ୍ରେସକୁ ୨୭ ହଜାର ୫ଶହରୁ ଉର୍ଦ୍ଧ ଭୋଟ୍ ଦେଇ ମତଦାତାମାନେ ଦଳକୁ ଦ୍ୱିତୀୟ ସ୍ଥାନରେ ରଖିବା ଏକ ବଡ ଉପଲବ୍ଧି ଏବଂ ଏହା ଦଳର ଅଗଣଣିତ କର୍ମକର୍ତା ଓ ନେତାମାନଙ୍କୁ ଆଗାମୀ ଦିନରେ ଅଧିକ ସଂଗଠିତ ହେବାକୁ ଉତ୍ସାହ ଓ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ବଜ୍ରରାଜନଗର ଉପନିର୍ବାଚନ ପ୍ରମାଣ କରିଛି ଯେ ଜନସାଧାରଣମାନେ କଂଗ୍ରେସ ଉପରେ ପୁନଃ ଆସ୍ଥା ସ୍ଥାପନା ଓ ଭରସା କରିବା ଆରମ୍ଭ କରିଛନ୍ତି । ଜନସାଧାରଣଙ୍କ ଏହି ଆସ୍ଥା ଓ ଭରସାକୁ ପାଥେୟ କରି କଂଗ୍ରେସ ଆଗାମୀ ଦିନରେ ଶାସନରେ ଥିବା ଦୁର୍ନୀତିଗୟସ୍ତ ବିଜୁ ଜନତା ଦଳକୁ କ୍ଷମତାରୁ ହଟାଇ ରାଜ୍ୟରେ ଦକ୍ଷ ଓ ପାରଦର୍ଶୀ ଶାସନ ପ୍ରତିଷ୍ଠା କରିବ ଶ୍ରୀ ପଟ୍ଟନାୟକ କହିଛନ୍ତି ।
୨୦୧୯ ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ବ୍ରଜରାଜନଗର ଆସନରୁ ଲଢିନଥିଲା । କହିବାକୁ ଗଲେ ଦଳ ଏଥର ଉପନିର୍ବାଚନରେ ଏଠାରୁ ସମ୍ପୂର୍ଣ୍ଣ ମୂଳରୁ ପ୍ରସ୍ତୁତି ଆରମ୍ଭ କରିଥିଲା । ନିର୍ବାଚନ ସମୟରେ ଦଳର ସମସ୍ତ ବରିଷ୍ଠ ଓ ତରୁଣ ନେତାମାନେ ଏକତ୍ରିତ ହୋଇ ଏକ ମନ ଓ ଏକ ପ୍ରାଣରେ ପ୍ରଚାର ଅଭିଯାନ କାର୍ଯ୍ୟରେ ନିଜକୁ ସାମିଲ୍ କରିଥିଲେ । ସେମାନଙ୍କର ଆନ୍ତରିକ ତଥା ନିଷ୍ଠାପର ଉଦ୍ୟମ ଓ ପରିଶ୍ରମ ଯୋଗୁ ଦଳ ମୁଖ୍ୟ ବିରୋଧୀ ଦଳର ଭାବେ ବିଜେଡିକୁ ମୁକାବିଲା କରିପାରିଲା ।
ମୋଟାମୋଟି ଭାବରେ ବ୍ରଜରାଜନଗରବାସୀଙ୍କୁ ସେମାନଙ୍କର ରାୟ ଲାଗି ମୁଁ ସେମାନଙ୍କୁ ମୋ’ ଅନ୍ତରର ଧନ୍ୟବାଦ ଜଣାଉଅଛି । ଏହା ସହିତ ସମସ୍ତ କଂଗ୍ରେସ ଭୋଟର ଭାଇ ଓ ଭଉଣୀମାନଙ୍କୁ ବିଶ୍ୱାସ ଦେବାକୁ ଚାହେଁ ଯେ ଆଗାମୀ ଦିନରେ ଆମେ ହିଁ ବିଜେଡିର ବିକଳ୍ପ ହୋଇ ରାଜ୍ୟରେ ସୁଶାସନ ଦେବାକୁ ସାଲିସ୍‌ବିହୀନ ସଂଗ୍ରାମ ଜାରି ରଖିବୁ ଶ୍ରୀ ପଟ୍ଟନାୟକ କର୍ମୀ ଓ ନେତାମାନଙ୍କୁ ଆଶ୍ୱସନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.