Odisha News

କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା, ୬ ବର୍ଷ ପରେ ହେଲା ଘର ବାହୁଡ଼ା

ଭୁବନେଶ୍ୱର,୬/୩ : ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଘର ସଜାଡ଼ିବାରେ ଲାଗିଛି । ରାଜ୍ୟର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କଂଗ୍ରେସକୁ ଘରବାହୁଡ଼ା ହୋଇଛି । ଆଜି ନୂଆଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟଠାରେ ଶ୍ରୀ ଜେନା ଆନୁଷ୍ଠାନିକ ଭାବେ ଦଳକୁ ଫେରିଛନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୧୯ ଜାନୁୟାରୀ ୨୦ତାରିଖରେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ ।
ସୂଚନା ଅନୁସାରେ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜେନାଙ୍କୁ ଆଜି ବିଧିବଦ୍ଧ ଭାବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦଳରେ ଉତ୍ତୀୟ ଦେଇ ସ୍ୱାଗତ କରିଥିଲେ । ଶ୍ରୀ ଜେନା କହିଥିଲେ ଯେ, ଦଳ ଓ ତାଙ୍କ ମଧ୍ୟରେ ଯାହା ଭୁଲ ବୁଝାମଣା ଥିଲା ତାହା ଦୂର ହୋଇଛି । ସେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ କଥା ହୋଇଛନ୍ତି । ସେ ଛାତ୍ର ରାଜନୀତିରୁ କଂଗ୍ରେସ ସହ ଜଡ଼ିତ । ଭୁଲ୍ ବୁଝାମଣା ଯୋଗୁ କିଛିଦିନ ପାଇଁ ଦଳଠୁ ଦୂରେଇ ଯାଇଥିଲି ।
ସେହିପରି ଅଜୟ କୁମାର କହିଛନ୍ତି ଯେ, ଶ୍ରୀ ଜେନା ହେଉଛନ୍ତି ଓଡ଼ିଶାରେ ଜଣେ ପ୍ରଭାବଶାଳୀ ନେତା । ସେ ବିଭିନ୍ନ ସାମାଜିକ ସଂସ୍ଥା ସହ ମଧ୍ୟ ଜଡ଼ିତ। ଦଳ ଓ ତାଙ୍କ ମଧ୍ୟରେ ଥିବା ଭୁଲ୍ ବୁଝାମଣାକୁ ସେ ଦୂର କରିପାରିଥିବା କହିଛନ୍ତି ।
ସୂଚନାଯୋଗ୍ୟ, କଂଗ୍ରେସରୁ ବହିଷ୍କୃତ ହେବାପରେ ଶ୍ରୀକାନ୍ତ ଅନ୍ୟ କୌଣସି ଦଳରେ ସାମିଲ ହୋଇନଥିଲେ । ଗତ କିଛିମାସ ଧରି ଶ୍ରୀକାନ୍ତ ପୁଣିଥରେ କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଆଜି ତାହା ସତ ପ୍ରମାଣିତ ହୋଇଛି । କଂଗ୍ରେସ ଟିକେଟରେ ବାଲେଶ୍ୱରରୁ ଲୋକସଭା ସିଟ୍ ଜିତି ଶ୍ରୀକାନ୍ତ ୟୁପିଏ ସରକାରରେ ମନ୍ତ୍ରୀ ହୋଇଥିଲେ ।

Related Posts

Seo wordpress plugin by www.seowizard.org.