ଓଡ଼ିଶା ସରକାର ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର,୪/୨: ନୂଆଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମରେ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ,ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।
ରବିବାର ଲୋକସେବା ଭବନଠାରେ ଆୟୋଜିତ ବୁଝାମଣାପତ୍ର ସ୍ବାକ୍ଷରିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହା ସ୍ବାକ୍ଷରିତ ହୋଇଛି।
ରାଜ୍ୟ ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରଓ୍ବାଲ ଏବଂ ଜେଏନ୍ୟୁର କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଓଡ଼ିଆ ଭାଷାରେ ପ୍ରଗତିଶୀଳ ଗବେଷଣା ନିମନ୍ତେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଭାଗିତା ଓ ସହଯୋଗିତା, ଆମର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ନିମନ୍ତେ ଉଲ୍ଲେଖନୀୟ ଭିତ୍ତି ନିର୍ମାଣ ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ।
ଏହି ବୁଝାମଣାପତ୍ର ସ୍ବାକ୍ଷରିତ ସମୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।