Odisha News

ଓଡ଼ିଶାରୁ ୪ ଜଣ ପୁଲିସ ଅଧିକାରୀ ପାଇବେ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ

ଭୁବନେଶ୍ବର,୧୨/୮: ବିଭିନ୍ନ ମାମଲାର ଉତ୍କୃଷ୍ଟ ତଦନ୍ତ ପାଇଁ ଚଳିତ ବର୍ଷ ୪ ଜଣ ଓଡ଼ିଆ ପୁଲିସ ଅଧିକାରୀଙ୍କୁ ପଦକ ମିଳିବ। ଏନେଇ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ପଦକ ଘୋଷଣା ହୋଇଛି। ଦେଶର ବିଭିନ୍ନ ରାଜ୍ୟରୁ ଚଳିତ ବର୍ଷ ଏହି ପଦକ ଲାଗି ୧୪୦ ଜଣ ପୁଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ଏଥିରେ ୨୨ ଜଣ ମହିଳା ପୁଲିସ ଅଧିକାରୀ ସାମିଲ ଅଛନ୍ତି। ଓଡ଼ିଶାରୁ ଯେଉଁ ୪ ଜଣ ତାଲିକାରେ ସାମିଲ ଅଛନ୍ତି, ସେମାନେ ହେଲେ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଡେପୁଟୀ ଏସପି ମାନସ ରଞ୍ଜନ ପ୍ରଧାନ ଓ ଡେପୁଟୀ ଏସପି ପ୍ରଭାତ କୁମାର ବିଶ୍ୱାଳ।
ପ୍ରଭାତ କୁମାର ବିଶ୍ୱାଳ ଏବେ ସୁନ୍ଦରଗଡ଼ରେ ଡିଏସ୍ପି ଭାବେ କାର‌୍ୟ୍ୟ କରୁଛନ୍ତି। ସେହିପରି ମାନସ ରଞ୍ଜନ ପ୍ରଧାନ ମଧ୍ୟ ସୁନ୍ଦରଗଡ଼ରେ ଡିଏସ୍ପି ଭାବେ କାର‌୍ୟ୍ୟ କରୁଛନ୍ତି। ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ଗଞ୍ଜାମ ଜିଲ୍ଲାରେ କାର‌୍ୟ୍ୟ କରୁଥିବା ବେଳେ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି କଟକରେ କାର‌୍ୟ୍ୟ କରନ୍ତି। ଏହି ସଫଳ ୪ ଜଣ ଓଡ଼ିଆ ଅଧିକାରୀ ଗୃହମନ୍ତ୍ରୀ ପଦକ ପାଇଁ ମନୋନୀତ ହୋଇଥିବାରୁ ଓଡ଼ିଶା ପୁଲିସ ଅଭିନନ୍ଦନ ଜଣାଇଛି।
ସୂଚନାଯୋଗ୍ୟ, ଏହି ପଦକ ୨୦୧୮ ମସିହାରୁ ଦିଆଯାଉଛି। ପ୍ରତିବର୍ଷ ଅଗଷ୍ଟ ମାସ ୧୨ ତାରିଖରେ ଏହି ପଦକ ପାଇବା ପାଇଁ ମନୋନୀତ ହୋଇଥିବା ପୁଲିସ ଅଧିକାରୀଙ୍କ ନାମ ଘୋଷଣା କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ପଦକ ପାଇଁ ଚଳିତ ବର୍ଷ ସିବିଆଇରୁ ୧୫, ଏନ୍ଆଇଏରୁ ୧୨, ଉତ୍ତରପ୍ରଦେଶରୁ ୧୦, କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏଁ, ତାମିଲନାଡୁରୁ ୮, ମଧ୍ୟପ୍ରଦେଶରୁ ୭ ଓ ଗୁଜରାଟରୁ ୬ ଜଣ ଲେଖାଏଁ ମନୋନୀତ ହୋଇଛନ୍ତି।

Related Posts

Seo wordpress plugin by www.seowizard.org.