Odisha News

ଓପିଏସ୍ ପରୀକ୍ଷା ଘୁଞ୍ଚିବନି, କୋଭିଡ କଟକଣା ମଧ୍ୟରେ ହେବ ପରୀକ୍ଷା

ଭୁବନେଶ୍ୱର,୧୬/୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ଘୁଞ୍ଚାଇ ଦେବା ପାଇଁ ପରୀକ୍ଷାର୍ଥୀମାନେ ଦାବି କରିଥିବା ବେଳେ ଏହା ଧାର୍ଯ୍ୟତାରିଖରେ ହେବ ବୋଲି ସ୍ପଷ୍ଟ କରିଛି ଲୋକସେବା ଆୟୋଗ।
ଲୋକସେବା ଆୟୋଗ ସଚିବଙ୍କ ପ୍ରଦତ୍ତ ସୂଚନା ଆଧାରରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ରେ କୁହାଯାଇଛି, ଚଳିତ ମାସ ୨୦ ତାରିଖରୁ ସିଭିଲ୍ ସିର୍ଭିସ ପରୀକ୍ଷା ଆରମ୍ଭ ହେବ।
୨୩ ତାରିଖରେ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା କରାଯିବ। କୋଭିଡ୍କୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।
ଏହି ମାର୍ଗଦର୍ଶିକ ଅନୁଯାୟୀ, ପରୀକ୍ଷାର୍ଥୀମାନେ ଏନ୍-୯୫ ମାସ୍କ ପିନ୍ଧିବେ। ମାସ୍କ ପିନ୍ଧି ନଥିଲେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ପରୀକ୍ଷା ପରିଚାଳନାରେ ସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିପାରିବେ।
ସ୍ୱଚ୍ଛ ବୋତଲରେ ପରୀକ୍ଷାର୍ଥୀମାନେ ନିଜ ନିଜର ସାନିଟାଇଜର ନେଇ ପାରିବେ। ଅବଶ୍ୟ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ହାତରେ ସାନିଟାଇଜର ବ୍ୟବହାର କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି।
ପରୀକ୍ଷା କେନ୍ଦ୍ରରେ ଓ ଏହାର ପରିସର ମଧ୍ୟରେ ପରୀକ୍ଷାର୍ଥୀମାନେ କୋଭିଡ୍ ନିୟମ ପାଳନପୂର୍ବକ ସାମାଜିକ ଦୂରତା ରକ୍ଷା କରିବେ। ପରୀକ୍ଷା କେନ୍ଦ୍ରରେ ସେମାନଙ୍କ ବସିବା ନିମନ୍ତେ ମଧ୍ୟ ସେହିଭଳି ବ୍ୟବସ୍ଥା କରାଯାଉଛି।
ଯଦି କୌଣସି ସମୟରେ ପରୀକ୍ଷାର୍ଥୀଙ୍କର କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ଉପସ୍ଥିତ ପରୀକ୍ଷା ପରିଚାଳକଙ୍କୁ ଜଣାଇବେ। ଏହି ପରୀକ୍ଷାର୍ଥୀଙ୍କ ନିମନ୍ତେ ପୃଥକ ପରୀକ୍ଷା ଗୃହର ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସ୍ଥିତି ସୁଧୁରିବା ପର‌୍ୟ୍ୟନ୍ତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ବନ୍ଦ ରଖିବାକୁ ପରୀକ୍ଷାର୍ଥୀମାନେ ଦାବି କରିଥିଲେ।

Related Posts

Seo wordpress plugin by www.seowizard.org.