Odisha News

ଓଡିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ ରାଷ୍ଟ୍ରପତି : ବଞ୍ଚିତ ବର୍ଗଙ୍କୁ ନ୍ୟାୟ ମିଳିବା ଉପରେ ଦେଲେ ଗୁରୁତ୍ବ

କଟକ,୨୬/୭ : ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକ ଜୀବନ ଜେଲରେ କଟୁଛି । ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ । ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜ ଅଭିଭାଷଣରେ ତ୍ୱରିତ୍ୱ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଜୟ ଜଗନ୍ନାଥ କହି ନିଜ ଭାଷଣ ଆରମ୍ଭ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିଛନ୍ତି। ବୀରମାଟି କଟକକୁ ପ୍ରଣାମ କରିବା ସହ ଉତ୍କଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା ମନେ ପକାଇଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ସେ ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ମଧ୍ୟ ବଖାଣିବାକୁ ଭୁଲି ନାହାନ୍ତି।
ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ମାତ୍ର ୪ ବିଚାରପତିଙ୍କୁ ନେଇ ଗଠିତ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଏବେ ୩୩କୁ ବୃଦ୍ଧି ପାଇଛି। ଏହା ଓଡ଼ିଶାବାସୀଙ୍କ ଆଶା ଓ ଭରସାର ପ୍ରତୀକ । ତ୍ୱରିତ ନ୍ୟାୟ ପ୍ରଦାନ ଯୋଗୁ ୨ ବର୍ଷରେ ବିଚାରଧୀନ ମାମଲା ସଂଖ୍ୟା ଏକ ଚତୁର୍ଥାଂଶ ହ୍ରାସ ପାଇଛି।
ହାଇକୋର୍ଟ ସ୍ଥାପିତ ହେବାର ୭୫ ବର୍ଷ ମଧ୍ୟରେ ବହୁ କିର୍ତ୍ତୀମାନ ସ୍ଥାପନ କରିଛି। ହାଇକୋର୍ଟର ବହୁ ବିଚାରପତି ଜଗନ୍ନାଥ ଦାସ, ରଙ୍ଗନାଥ ମିଶ୍ର, ରାଧାଚରଣ ପଟ୍ଟନାୟକ, ଦେବପ୍ରିୟ ମହାପାତ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଅରିଜିତ ପଶାୟତ, ଅନଙ୍ଗ କୁମାର ପଟ୍ଟନାୟକ ପ୍ରମୁଖ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ଭାରତର ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିବାରେ ସକ୍ଷମ ହୋଇଛନ୍ତି। ଓଡ଼ିଶାର ବହୁ ଆଇନ ବିଶାରଦମାନଙ୍କର ସର୍ବ ଭାରତୀୟ ସ୍ତରରେ ଆଇନ ସେବା ପ୍ରତି ଉଲ୍ଲେଖନୀୟ ଅବଦାନ ରହିଛି ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି।
ମାତ୍ର ସମୟ ସହ ତାଳ ଦେଇ ଚାଲି ନ ପାରିଲେ ଯେକୌଣସି ସଙ୍ଗଠନ ତଥା ସଂସ୍ଥା ସମସ୍ତେ ପଛରେ ପଡ଼ିଯାଆନ୍ତି। କିନ୍ତୁ ଓଡ଼ିଶା ହାଇକୋର୍ଟ ନ୍ୟାୟିକ ପ୍ରକ୍ରିୟାରେ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇ ନ୍ୟାୟ ପ୍ରଦାନକୁ ତ୍ୱରିତ କରି ପାରିଛନ୍ତି। ଯାହାଦ୍ୱାରା ପୀଡ଼ିତ ନ୍ୟାୟ ପାଇ ପାରୁଥିବା କହିଛନ୍ତି ରାଷ୍ଟ୍ରପତି।
ଏଥିସହ ସେ କହିଛନ୍ତି, ପ୍ରକୃତି ସହ ମିଳିମିଶି ଚଳିବା ଆଦିବାସୀ ଜୀବନଶୈଳୀର ମାଧ୍ୟମ । ବ୍ୟବସ୍ଥାପିତା ତଥା କାର‌୍ୟ୍ୟପାଳିକା ସହ ନ୍ୟାୟପାଳିକା ବି ପରିବେଶ ଓ ବନ୍ୟଜନ୍ତୁ ସଂରକ୍ଷଣକୁ ଉଚ୍ଚ ପ୍ରାଥମିକତା ଦେବା ଉଚିତ। ଏହାଦ୍ୱାରା ଆମେ ଆମ ଉତ୍ତରପୀଢ଼ିକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବାରେ ସକ୍ଷମ ହୋଇ ପାରିବା। ଏଥିନିମନ୍ତେ ପରିବେଶ ସୁରକ୍ଷା ପ୍ରତି ନିରନ୍ତର ଧ୍ୟାନ ଦେବା ଆବଶ୍ୟକ ।
ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସମ୍ବିଧାନ ନିର୍ମାତାମାନେ ସବୁବେଳେ ପ୍ରାଥମିକତା ଦେଇଛନ୍ତି। ସମାଜର ବଞ୍ଚିତ ବର୍ଗର ଲୋକେ କୋର୍ଟ, କଚେରୀ ଓ ଆଇନକାନୁନ ବିଷୟରେ ବେଶି ସଚେତନ ନୁହନ୍ତି।
ନିଜ ଅଧିକାର ପାଇଁ ନ୍ୟାୟଳୟ ପାଖରେ ପହଞ୍ଚିବା ନିମନ୍ତେ ଅନେକଙ୍କ ସାମର୍ଥ୍ୟ ବି ନ ଥାଏ । ବଞ୍ଚିତ ବର୍ଗଙ୍କୁ କିପରି ସୁବିଧାରେ ନ୍ୟାୟ ପ୍ରଦାନ କରାଯାଇ ପାରିବ ତାହା ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ । ଏ ବିଷୟରେ ମାନସ ମନ୍ଥନ ହେବା ଉଚିତ। ଏହି ବର୍ଗର ଲୋକଙ୍କୁ ମାଗଣାରେ ଆଇନ ସେବା ଯୋଗାଇଦେବା ଶୁଭଙ୍କର ବିଷୟ। ଏହାଦ୍ୱାରା ସାଧାରଣ ଲୋକ ସହଜରେ ନ୍ୟାୟ ପାଇପାରିବେ। ମାତ୍ର ନ୍ୟାୟ ପ୍ରଦାନ ବେଳେ ନିରପେକ୍ଷତାକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପ୍ରତିଷ୍ଠା ପୂର୍ତ୍ତୀ ଅବସରରେ ଏକ ସ୍ମାରୀକ ଡାକ ଟିକେଟ ଉନ୍ମୋଚିତ ହୋଇଛି। ଏହି ଅବସରରେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍ ମୁରଲିଧର , ବିଚାରପତିଗଣ, ପୁରାତନ ବିଚାରପତିଗଣ ଓ ଉପସ୍ଥିତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି।
ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍ ଗଣେଶି ଲାଲ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପରେ ରାଷ୍ଟ୍ରପତି ମ୍ୟୁଜିୟମ ଅଫ୍ ଜଷ୍ଟିସ ପରିଦର୍ଶନ କରିଛନ୍ତି। ଏହାପରେ ସେ ହାଇକୋର୍ଟରେ ମଧ୍ୟାହ୍ନ ଭୋଜନ କରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ରାତିରେ ରାଜ୍ୟପାଳ ଭବନରେ ରାତ୍ରୀ ଯାପନ କରିଥିବା ରାଷ୍ଟ୍ରପତି ଆଜି ସକାଳେ ସଡ଼କ ପଥରେ ଭୁବନେଶ୍ୱରରୁ କଟକରେ ପହଞ୍ଚିଥିଲେ। ଏହାପରେ ସେ ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯାଇଥିଲେ । ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିଥିଲେ। ଏହାପରେ ସେ ଶୈଳବାଳା ମହାବିଦ୍ୟାଳୟୟ ଓ କଟକ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ।

Related Posts

Seo wordpress plugin by www.seowizard.org.