Odisha News

ଓଡିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଡାକୋଟା ବିମାନ, ବୁଧବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ

ଜଳେଶ୍ୱର,୧୮/୧: ଓଡ଼ିଶା ସୀମାରେ ପ୍ରବେଶ କରିଛି ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ । କୋଲକାତାରୁ ୩ଟି ଟ୍ରେଲରରେ ବୋଝେଇ ହୋଇ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ପହଞ୍ଚିଛି।
ଗତକାଲି ରାତି ପ୍ରାୟ ୧୦ଟା ବେଳେ କୋଲକାତାସ୍ଥିତ ସୁଭାସ ବୋଷ ଆନ୍ତର୍ଜାତିକ ବିମାନବନ୍ଦରୁ ଓଡ଼ିଶା ଅଭିମୁଖେ ବାହାରିଥିବା ଡାକୋଟା ବିମାନ ଆଜି ଭୋରରୁ ଓଡ଼ିଶାରେ ପ୍ରବେଶ କରିଛି । ଜାତୀୟ ରାଜପଥ ଦେଇ ୩ଟି ଟ୍ରେଲରରେ ବିମାନର ସମସ୍ତ ଅଂଶ ବୋଝେଇ ହୋଇ ଭୁବନେଶ୍ୱର ଆସୁଛି ।
ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ତଥା ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ। ଡାକୋଟା ବିମାନକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ବର୍ଷ ହେଲା ପ୍ରୟାସ ଚାଲିଥିଲା। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରଖାଯିବ ବୋଲି ଜଣାଯାଇଛି।
୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାଲିଫ୍ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ, ଅଥବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚ୍ଙ୍କ କବଳରୁ ଉଦ୍ଧାର, ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ।
ସେହି ବିମାନ କୋଲକାତାର ନେତାଜୀ ବିମାନ ବନ୍ଦରରେ ଡମ୍ପିଂୟାର୍ଡରେ ଖତ ଖାଉଥିବା ବେଳେ ତାହାକୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ଦିନ ହେବ ଉଦ୍ୟମ ଆରମ୍ଭ ହୋଇଥିଲା।
୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଡାକୋଟା ଓଡ଼ିଶା ଫେରିବା ପରେ ଅନିଶ୍ଚିତନା ଦେଖାଦେଇଥିଲା। ଏହାକୁ ଫେରାଇ ଆଣିବା ନିମନ୍ତେ ରାଜ୍ୟ ସରକାର ପ୍ରାୟ ୨ ବର୍ଷ ପୂର୍ବେ ଏକ କମିଟି ଗଠନ କରିଥିଲେ। ଦୀର୍ଘ ବର୍ଷର ଉଦ୍ୟମ ପରେ ଆଜି ଏହା ଓଡ଼ିଶା ସୀମାରେ ପ୍ରବେଶ କରିଥିବାରୁ ରାଜ୍ୟବାସୀ ବେଶ୍ ଉତ୍ସାହିତ ଅଛନ୍ତି।
ଡାକୋଟା ବିମାନ ଦାୟିତ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି, କୋଲକତା ପୁଲିସ୍, ଓଡ଼ିଶା ପୁଲିସ୍, ଆରଟିଓ ପ୍ରମୁଖ ମିଳିତ ସହଯୋଗରେ ଡାକୋଟାକୁ ଓଡ଼ିଶା ଫେରାଇ ଅଣାଯାଉଛି।

Related Posts

Seo wordpress plugin by www.seowizard.org.