Odisha News

ଓଡ଼ିଶା ଦକ୍ଷତା ବିକାଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର,୨୯/୬: ଦୀର୍ଘ ୭ବର୍ଷ ପରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ) ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚୀ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଦକ୍ଷତା ବିକାଶ ପ୍ରାଧିକରଣର ନୂଆ ଅଧ୍ୟକ୍ଷ ଭାବେ ଅଳକା ଅରୋରା ମିଶ୍ର ନିଯୁକ୍ତି ପାଇଛନ୍ତି । ଶ୍ରୀ ବାଗଚୀ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଶ୍ରୀ ବାଗଚୀ ପଦ ଛାଡ଼ିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ପ୍ରଶଂସା କରିଛନ୍ତି । ଶ୍ରୀ ବାଗଚୀ ନିଜର ୭୫୦ ବେଡ୍ ବିଶିଷ୍ଟ କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରରେ ଫୁଲଟାଇମ୍ ଦେବା ନିମନ୍ତେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ୨୦୧୬ ମସିହାରେ ଶ୍ରୀ ବାଗଚୀଙ୍କୁ ରାଜ୍ୟ ସରକାର ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଶ୍ରୀ ବାଗଚୀ ରାଜ୍ୟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ସହ ଦୀର୍ଘ ୭ବର୍ଷ ଧରି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ ।
ସେ ଏହି ପଦରୁ ଗତକାଲି ଇସ୍ତଫା ଦେଇଥିବାବେଳେ ତାଙ୍କ ସ୍ଥାନରେ ରାଜ୍ୟ ସରକାର ପୂର୍ବତନ ଆଇଆରପିଏସ୍ ଅଫିସର ଅଳକା ଅରୋରା ମିଶ୍ରଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଶ୍ରୀମତୀ ମିଶ୍ର ଏବେ ୱାଲର୍ଡ ସ୍କିଲ ସେଂଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ତାଙ୍କୁ ଗତ ୨୦୨୨ ଅକ୍ଟୋବର ମାସରେ ଏହି ନିଯୁକ୍ତି ଦେଇଥିଲେ ।
ଶ୍ରୀମତୀ ମିଶ୍ର ହେଉଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ,କେମିକାଲ ଓ ବିର୍ଲା କାର୍ବନର ନିର୍ଦ୍ଦେଶକ ସନ୍ତୃପ୍ତ ମିଶ୍ରଙ୍କ ପତ୍ନୀ । ରାଜ୍ୟ ସରକାର ଶ୍ରୀ ମିଶ୍ରଙ୍କୁ ଏକାମ୍ର ଐତିହ୍ୟ ପ୍ରକଳ୍ପର ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାରର ଜଣେ ପାୱାରଫୁଲ୍ ପ୍ରଶାସକଙ୍କ ସମ୍ପର୍କୀୟ ଭାବେ ପରିଚିତ ଏହି ମିଶ୍ର ଦମ୍ପତିଙ୍କର ରାଜ୍ୟ ପ୍ରଶାସନରେ ବେଶ୍ ପ୍ରଭାବ ରହିଛି ।
ଉଲ୍ଲେଖଯୋଗ୍ୟ, ସୁବ୍ରତଙ୍କ ପତ୍ନୀ ସୁସ୍ମିତା ବାଗଚୀ ଏବେ ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀମତୀ ବାଗଚୀ ମଧ୍ୟ ରାଜ୍ୟ ସରକାରରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ପାଉଛନ୍ତି । ଶ୍ରୀ ବାଗଚୀଙ୍କୁ ବିଜେଡି ଆଗାମୀ ନିର୍ବାଚନରେ ପାଟଣାଗଡ଼ ବିଧାନସଭା ସିଟ୍ କିମ୍ବା ବଲାଙ୍ଗିର ଲୋକସଭା ସିଟରୁ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ସୁବ୍ରତଙ୍କ ଇସ୍ତଫାକୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିବାବେଳେ ସେ ନିଜର କ୍ୟାନସର ହସ୍ପିଟାଲରେ ପୂର୍ଣ୍ଣକାଳୀନ ସମୟ ଦେବାକୁ ଏଭଳି ନିଷ୍ପତ୍ତି ନେଇଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି ।

Related Posts

Seo wordpress plugin by www.seowizard.org.