Odisha News Sports News

ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ, ଭାରତ ପଦକ ସଂଖ୍ୟା ୧୦୦

ହାଙ୍ଗଜୌ,୭/୧୦: ଚୀନର ହାଙ୍ଗ୍ଜୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୧୦୦ତମ ପଦକ ଜିଣି ଭାରତୀୟ ଦଳ ତା’ର ଲକ୍ଷ୍ୟ ‘ଇସ୍ ବାର୍ ସୌ ପାର୍’ (ଏଥର ଏକଶହ ଟପିବ) ହାସଲ କରିଛି।
ଭାରତର ଏହି କୃତ୍ବିତ୍ବକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ୍’ କରି ଲେଖିଛନ୍ତି: ଏସୀୟ କ୍ରୀଡ଼ାରେ ଭାରତ ନିମନ୍ତେ ଉଲ୍ଲେଖନୀୟ କୃତ୍ବିତ୍ବ। ନିର୍ଦ୍ଧାରିତ ଲକ୍ଷ୍ୟ ୧୦୦ଟି ପଦକ ହାସଲ କରିଥିବାରୁ ଭାରତବାସୀ ଉଲ୍ଲସିତ। ଆମର ଅସାଧାରଣ କ୍ରୀଡ଼ାବିତ୍, ଯେଉଁମାନଙ୍କ ଉଦ୍ୟମ ଭାରତକୁ ଏହି ସ୍ମରଣୀୟ କୃତ୍ବିତ୍ବ ଦିଗରେ ଅଗ୍ରସର କରାଇଲା, ସେମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ଅକ୍ଟୋବର ୧୦ ତାରିଖ ଦିନ ଭାରତୀୟ ଦଳକୁ ଆପ୍ୟାୟିତ କରିବି।
ଶୁକ୍ରବାର ସୁଦ୍ଧା ୯୫ଟି ପଦକ ହାସଲ କରିଥିବା ଭାରତୀୟ ଦଳ ୧୦୦ଟି ପଦକ ପାଇବ ବୋଲି ଏକପ୍ରକାର ସୁନିଶ୍ଚିତ ଥିଲା। ତେଣୁ, ଆଜି ହାଙ୍ଗ୍ଜୌରେ ଭାରତୀୟ ଖେଳାଳିମାନଙ୍କ ପାଇଁ ଶେଷ ଦିନ ଥିବା ବେଳେ ତୀରଚାଳନାରେ ଭାରତ ୪ଟି ପଦକ ହାସଲ କଲା। ଏହା ପରେ ପରେ ଭାରତର ମହିଳା କବାଡ଼ି ଟିମ୍ ଚାଇନିଜ୍ ତାଇପେଇ ଉପରେ ବିଜୟ ହାସଲ କରି ଦେଶ ପାଇଁ ଔପଚାରିକ ଭାବେ ୧୦୦ତମ ପଦକ ଜିଣିଲା।
ଭାରତ ହାସଲ କରିଥିବା ୧୦୦ଟି ପଦକ ମଧ୍ୟରେ ରହିଛି ୨୫ଟି ସ୍ବର୍ଣ୍ଣ, ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ୍ ପଦକ। ଆଜିର କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଦଳ ତୀର ଚାଳନା ଓ ମହିଳା କବାଡ଼ିରେ ଗୋଟିକ ପରେ ଗୋଟିଏ କରି ୩ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ଏହି ଗୌରବ ଅର୍ଜନ କରିଛି।
ଚଳିତ ବର୍ଷ ଚୀନ୍ରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ୧୮୭ଟି ସ୍ବର୍ଣ୍ଣ, ୧୦୪ଟି ରୌପ୍ୟ ଓ ୬୩ଟି କାଂସ୍ୟ ପଦକ ସହିତ ୩୫୪ଟି ପଦକ ଲାଭ କରି ପ୍ରଥମ ସ୍ଥାନରେ ରହିଛି। ୧୬୯ ପଦକ ସହିତ ଜାପାନ ଦ୍ବିତୀୟ ଓ ୧୭୧ ପଦକ ସହିତ କୋରିଆ ସାଧାରଣତନ୍ତ୍ର ତୃତୀୟ ସ୍ଥାନରେ ଥିବା ବେଳେ ୧୦୦ ପଦକ ହାସଲ କରିଥିବା ଭାରତ ୪ର୍ଥ ସ୍ଥାନରେ ରହିଛି।
ଉଲ୍ଲେଖଯୋଗ୍ୟ, ଗତ ଥର ଇଣ୍ଡୋନେସିଆରେ ଅନୁଷ୍ଠିତ ୧୮ଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ୧୬ଟି ସ୍ବର୍ଣ୍ଣ, ୨୩ଟି ରୌପ୍ୟ ଓ ୩୧ କାଂସ୍ୟ ପଦକ ସହିତ ସମୁଦାୟ ୭୦ଟି ପଦକ ହାସଲ କରି ନିଜର ସର୍ବୋତ୍ତମ କ୍ରୀଡ଼ା ପାରଦର୍ଶିତା ପ୍ରଦର୍ଶନ କରିଥିଲା।

Related Posts

Seo wordpress plugin by www.seowizard.org.