Odisha News

ଏଥର ବିଳମ୍ବରେ ଆସିବ ମୌସୁମୀ, ତାରିଖ ଆକଳନ କଲା ଆଇଏମଡି

ନୂଆଦିଲ୍ଲୀ,୧୬/୫ : ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) ପକ୍ଷରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗମନ ସଂପର୍କରେ ପୂର୍ବାନୁମାନ ଜାରି କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ଭାବେ ଜୁନ ୧ରେ କେରଳ ଛୁଇଁଥାଏ ଓ ଏହାର ୭-୮ ଦିନ ପରେ ଓଡ଼ିଶା ଆସିଥାଏ । କିନ୍ତୁ ଏବର୍ଷ ମୌସୁମୀ ସାମାନ୍ୟ ବିଳମ୍ବ ଅର୍ଥାତ ଜୁନ ୪ରେ କେରଳ ଛୁଇଁବାର ସମ୍ଭାବନା ରହିଛି । ତେବେ ପାଣିପାଗ ମଡେଲ ତ୍ରୁଟି ବ୍ଦ୪ ଦିନ ହୋଇପାରେ, ଅର୍ଥାତ୍ ମୌସୁମୀ ୪ ଦିନ ଆଗୁଆ କିମ୍ବା ୪ ଦିନ ବିଳମ୍ବରେ ଆସିପାରେ ।
ମୌସୁମୀର ପୂର୍ବାନୁମାନ ପାଇଁ ପାଣିପାଗ ବିଭାଗ ନିଜେ ଏକ ପାଣିପାଗ ପରିସଂଖ୍ୟାନ ମଡେଲ ପ୍ରସ୍ତୁତ କରିଛି । ୨୦୦୫ରୁ ଏହି ମଡେଲ ବ୍ୟବହାର କରି ବିଭାଗ ପକ୍ଷରୁ କରାଯାଇଥିବା ଅଧିକାଂଶ ମୌସୁମୀ ପୂର୍ବାନୁମାନ ସତ ସାବ୍ୟସ୍ତ ହୋଇଛି । କେବଳ ୨୦୧୫ରେ ପୂର୍ବାନୁମାନ ଭୁଲ ହୋଇଥିଲା । ଗତ ବର୍ଷ ୨୭ ମେରେ ମୌସୁମୀ କେରଳ ଛୁଇଁବ ବୋଲି ବିଭାଗ ପୂର୍ବାନୁମାନ କରିଥିବାବେଳେ ପ୍ରକୃତରେ ମେ ୨୯ରେ ମୌସୁମୀ କେରଳ ଛୁଇଁଥିଲା ।
ପୂର୍ବରୁ ଆସିଥିବା ରିପୋର୍ଟ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨୦ ତାରିଖରେ ଆଣ୍ଡାମାନ ଛୁଇଁବ ଓ ୨୨ ତାରିଖ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜକୁ ଆବୃତ କରିବ । ମାଡାଗାସ୍କର ନିକଟରେ ମାସକ୍ରେନାସ ହାଇ ନାମକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ମୌସୁମୀ ବାୟୁ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Related Posts

Seo wordpress plugin by www.seowizard.org.