Odisha News Sports News

ଏଣିକି ପୁରୁଷ ଓ ମହିଳା କ୍ରିକେଟର୍ଙ୍କୁ ମିଳିବ ସମାନ୍ ଫି’

ନୂଆଦିଲ୍ଲୀ,୨୭/୧୦: ଏଣିକି ମହିଳା ଓ ପୁରୁଷ କ୍ରିକେଟରଙ୍କୁ ମିଳିବ ସମାନ ଫି । ଏନେଇ ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବଡ ଘୋଷଣା କରିଛି। ବିସିସିଆଇ ସଚିବ ଜୟ ଶାହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ଜୟ ଶାହ ଟ୍ୱିଟ୍ କରି କହିଛନ୍ତି, ‘ମହିଳା ଓ ପୁରୁଷ କ୍ରିକେଟରଙ୍କୁ ସମାନ ମ୍ୟାଚ୍ ଫି’ ମିଳିବ। ଏବେ ଟେଷ୍ଟ କ୍ରିକେଟରେ ଗୋଟିଏ ମ୍ୟାଚ ପାଇଁ ୧୫ ଲକ୍ଷ ଓ ଏକଦିବସୀୟ ମ୍ୟାଚରେ ୬ ଲକ୍ଷ ଟଙ୍କା ମିଳିବ। ଗୋଟିଏ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଉଭୟ ମହିଳା ଓ ପୁରୁଷ କ୍ରିକେଟରଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ।’
ଲିଙ୍ଗଗତ ସମାନତା ଦିଗରେ ପ୍ରଥମ ପଦକ୍ଷେପ ନେଇ ମୁଁ ଖୁସି ବୋଲି ବିସିସିଆଇ ସଚିବ ଜୟ ଶାହା ଟୁଇଟ୍ କରି କହିଛନ୍ତ। ଭାରତୀୟ ମହିଳା ଦଳର ଚୁକ୍ତିଭିତ୍ତିକ ଖେଳାଳିଙ୍କ ପାଇଁ ଆମେ ଏକ ସମାନ ନୀତି କାର‌୍ୟ୍ୟକାରୀ କରୁଛୁ। ଆମେ କ୍ରିକେଟରେ ଲିଙ୍ଗଗତ ସମାନତାର ଏକ ନୂତନ ଯୁଗରେ ପ୍ରବେଶ କରୁଛୁ ବୋଲି ବିସିସିଆଇ ସଚିବ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ର ଖେଳାଳିଙ୍କୁ ବାର୍ଷିକ ‘ଏ +’ ବର୍ଗରେ ସାତ କୋଟି, ‘ଏ’ ବର୍ଗରେ ପାଞ୍ଚ କୋଟି ଏବଂ ଗ୍ରେଡ୍ ‘ବି’ ଅଧୀନରେ ୩ କୋଟି ଏବଂ ‘ସି’ ଗ୍ରେଡ୍ ଅଧୀନରେ ବର୍ଷକୁ ଏକ କୋଟି ମିଳିଥାଏ, କିନ୍ତୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଏହି ଫି’ ବେଶ୍ କମ୍ ରହିଛି ।
ମହିଳା ଖେଳାଳିଙ୍କୁ ୩ଟି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି । ‘ଏ’-କ୍ୟାଟେଗୋରୀରେ ଖୋଳାଳିଙ୍କୁ ବାର୍ଷିକ ୫୦ ଲକ୍ଷ, ‘ବି’-କ୍ୟାଟେଗୋରୀରେ ୩୦ ଲକ୍ଷ ଓ ‘ସି’- କ୍ୟାଟେଗୋରୀରେ ୧୦ ଲକ୍ଷ ଟଙ୍କା ଦିଆଯାଉଥିଲା । ଏବେ କିନ୍ତୁ ଉଭୟ ସମାନ ଟଙ୍କା ପାଇବେ।
ମହିଳା ଓ ପୁରୁଷ କ୍ରିକେଟ ଖେଳାଳିଙ୍କୁ ସମାନ ମ୍ୟାଚ୍ ଫି ଦେବା ନିଷ୍ପତ୍ତି ଭାରତ ପୂର୍ବରୁ ପ୍ରଥମେ ନ୍ୟୁଜିଲାଣ୍ଡ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘୋଷଣା କରିଥିଲା। ଚଳିତ ବର୍ଷ ଜୁଲାଇ ମାସରେ ନ୍ୟୁଜଲାଣ୍ଡ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏହି ନିଷ୍ପତ୍ତି ନେଇଥିଲା।

Related Posts

Seo wordpress plugin by www.seowizard.org.