Odisha News

ଉଦଘାଟିତ ହେଲା ୬୯ ରାଜ୍ୟ ସ୍ତରୀୟ ମହିଳା ଭଲିବଲ ପ୍ରତିଯୋଗିତା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୧୧ : ରାଜ୍ୟ ଭଲିବଲ ସଂଘ ଆନୁକୂଲ୍ୟରେ ଜିଲ୍ଲା କ୍ରୀଡା ସଂସଦ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରେ ୬୯ତମ ରାଜ୍ୟସ୍ତରୀୟ ମହିଳା ଭଲିବଲ ପ୍ରତିଯୋଗିତା ଗୁୁରୁବାର ଦିନ ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସର୍ବଭାରତୀୟ ଭଲିବଲ ଫେଡେରେସନର ସଭାପତି ତଥା କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ଯୋଗଦେଇ ଉଦଘାଟନ କରିଥିଲେ ।
ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ସଂସଦର ସଭାପତି ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ରାଜ୍ୟ ଭଲିବଲ ସଂଘର ସମ୍ପାଦକ ଡଃ. ଗଗନେନ୍ଦୁ ଦାଶ ଓ ଜିଲ୍ଲା କ୍ରିଡା ସଂସଦର ସମ୍ପାଦକ ରବିନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ରାଜ୍ୟର ବଛାବଛା ୧୪ ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ହୋଇଥିବା ଖେଳରେ ଇଷ୍ଟକୋଷ୍ଟ ରେଲୱେ ୨-୦ ରେ ପାରାଦୀପ ପୋର୍ଟକୁ ,କନ୍ଧମାଳ ଦଳ ୨-୦ ରେ ଭଦ୍ରକକୁ, ସୁନ୍ଦରଗଡ ୨-୦ ରେ ବୌଦ୍ଧକୁ ,କିଟ୍ ୟୁନିଭରସିଟି ୨-୦ ରେ ଖୋର୍ଦ୍ଧାକୁ ,କଟକ ୨-୦ ରେ କନ୍ଧମାଳକୁ ,ଖୋର୍ଦ୍ଧା ୨-୦ ରେ କେନ୍ଦ୍ରପଡାକୁ ,ବଲାଙ୍ଗୀର ୨-୧ ରେ ସମ୍ବଲପୁର, ପାରଦୀପ ପୋର୍ଟ ୨-୦ ରେ ଜଗତସିଂହପୁରକୁ ପରାଜିତ କରିଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ କିଟ୍ ଓ କଟକ ମଧ୍ୟରେ ପ୍ରତିଦ୍ୱନ୍ଦିତାପୁର୍ଣ୍ଣ ପ୍ରତିଯୋଗିତା ଚାଲୁଅଛି ।
ପ୍ରତିଯୋଗିତାକୁ ମୁଖ୍ୟରେଫରୀ ଭାବରେ ସୁବୋଧ କୁମାର ଜେନା ପରିଚାଳନା କରୁଥିବାବେଳେ ଜାତୀୟ ରେଫରୀ ବିଭୁଧେନ୍ଦ୍ର ମାନସିଂହ,ମାନସ କୁମାର ମିଶ୍ର,ବୀରବର ଭଟ୍ଟ,ରୋସନ କୁମାର ସାହୁ,ସଂଜିବ କୁମାର ପଣ୍ଡା,ଦୀପକ କୁମାର ଭୋଇ,ରୋଜି ପ୍ରଧାନ,ଡି.ଶାନ୍ତିଲତା ରେଡୀ,ହେମନ୍ତ ବିଲୁଙ୍ଗ,ବିଷ୍ଣୁ ଶର୍ମା ସାହୁ ଓ ସ୍ଥାନୀୟ କ୍ରିଡା ଶିକ୍ଷକ ଅମ୍ବରୀଶ ପ୍ରଧାନ,ଅରୁଣ କୁମାର ପୁଟ୍ଟା,ସୁରେନ୍ଦ୍ର ନାଥ ସାହୁ,ଦଶରଥ ଭୋଇ,ମନୋଜ କୁମାର ଗାଇଗୌରିଆ, ମମତା ଦାଶ,ଗାୟତ୍ରୀ ବେହେରା ଓ ବନ୍ଦିତା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।
ଟୁର୍ଣ୍ଣାମେଣ୍ଟଆୟୋଜନ ସଂଯୋଜକ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ,ଜିଲ୍ଲା କ୍ରିଡା ଅଧିକାରୀ ପବିତ୍ର କୁମାର ରାଉତ, ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ସାଂସଦ ପ୍ରତିନିଧି ତାରେଣି କୁମାର ମହାପାତ୍ର,ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତା ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଏହି ଅବସରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତୀୟ ଦଳକୁ ପ୍ରତିନଧିତ୍ୱ କରିବାକୁ ଥିବା ସିରେସା କର୍ମାଙ୍କୁ ମୁଖ୍ୟ ଅତିଥି ଓ ଅତିଥିମାନେ ସମ୍ମାନୀତ କରିଥିଲେ ।

ଚୋରା ଗଂଜେଇ ମାମଲା , ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ,୧୧/୧୧ : ବୌଦ୍ଧ ଜିଲ୍ଲା ଦୌରାଜଜ ସୁଶ୍ରୀ ପ୍ରତିମା ପଣ୍ଡା ଗୁରୁବାର ଏକ ଚୋରା ଗଂଜେଇ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ଏକ ଲକ୍ଷ ଟଙ୍କା ଜୋରିମୋନା ଆଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାର କିଲୁପଙ୍ଗା ଗ୍ରାମର ଦିଲିପ କୁମାର କହଁର । ମାମଲାରୁ ପ୍ରକାଶ ଯେ ବୌଦ୍ଧ ଅବକାରୀ କର୍ମଚାରୀ ପକ୍ଷରୁ ଏସଆଇ କୃଷ୍ଣଚନ୍ଦ୍ର ପରିଡା ଓ ଅନ୍ୟ ଅବକାରୀ କର୍ମଚାରୀ ମାନେ ଗତ ୧୪.୮.୧୯ ତାରିଖରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବୁଟୁପାଲି- ସରସରା ମଧ୍ୟରେ ଅବକାରୀ ତନଖି କାର୍ଯ୍ୟ କରୁଥିଲେ ।
ଅବକାରୀ କର୍ମଚାରୀ ମାନେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଲେଯେ ଏକ ଧଳା ରଙ୍ଗର ମହିନ୍ଦ୍ରା ଜାଇଲୋ କାରରେ ଗଂଜେଇ ଚାଲାଣ ହେଉଅଛି । ଅବକାରୀ କର୍ମଚାରୀ ମାନେ ସକାଳ ୮ ଟା ସମୟରେ ଉକ୍ତ ଗାଡିକୁ ବୁଟୂପାଲି ଠାରେ ସନ୍ଦେହରେ ଅଟକ ରଖିଥିଲେ । କିନ୍ତୁ ଗାଡିର ଚାଳକ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଞ୍ଚଳର ମିଡିଆପଙ୍କା ଗ୍ରାମର ସୁଶାନ୍ତ ବାଘ ଫେରାର ହୋଇଯାଇଥିଲେ । କିନ୍ତୁ ଗାଡିରେ ବସିଥିବା କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାର କିଲୁପଙ୍ଗା ଗ୍ରାମର ଦିଲିପ କୁମାର କହଁର (୩୨)ଙ୍କୁ ଅବକାରୀ ବିଭାଗ କର୍ମଚାରୀ ମାନେ ଅଟକ ରଖି ଗାଡିକୁ ତନଖି କରିଥିଲେ । ଗାଡି ଭିତରୁ ୩ ଗୋଟି ବସ୍ତାରେ ୮୦ କେଜି ଗଂଜେଇ ଓ ଗାଡିକୁ ଜବତ କରିଥିଲେ ।
ଗଂଜେଇ ଚାଲାଣ ଅଭିଯୋଗରେ ଦିଲିପ କୁମାର କହଁରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପରବର୍ତ୍ତୀ ସମୟରେ ମାମଲାଟି ବୌଦ୍ଧ ଜିଲ୍ଲା ଦୌରାଜଜ ଅଦାଳତରେ (୨ଏସିସି ୧୧/୧୯) ହୋଇ ବିଚାର ହୋଇଥିଲା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ୪ ଜଣ ସାକ୍ଷୀଙ୍କ ବୟାନକୁ ଭତ୍ତି କରି ପ୍ରମାଣ ଥିବା ନେଇ ମାନ୍ୟବର କୋର୍ଟ ଅଭିଯୁକ୍ତ ଦିଲିପ କୁମାର କହଁରଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ଏକ ଲକ୍ଷ ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । ଜୋରିମୋନା ଅନାଦେୟ ହେଲେ ଆଉ ଏକ ବର୍ଷ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି । । ଏବେବି ଅନ୍ୟ ଅଭିଯୁକ୍ତ ସୁଶାନ୍ତ ବାଘ ଫେରାର ହୋଇଥିବା ଜଣାପଡିଛି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ (ପିପି) ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।
ବୌଦ୍ଧ : ସାଂସଦଙ୍କୁ ଭେଟିଲେ ନାଗରିକ କମିଟି ପ୍ରତିନିଧି
ବୌଦ୍ଧ,୧୧/୧୧: କନ୍ଧମାଳ ସାଂସଦ ଡଃ. ଅଚୁୂ୍ୟତାନନ୍ଦ ସାମନ୍ତଙ୍କ ବୌଦ୍ଧ ଗସ୍ତ ଅବସରରେ ବୌଦ୍ଧ ନାଗରିକ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଗୁରୁବାର ଦିନ ବୌଦ୍ଧ ପୁର୍ତ୍ତ ବିଭାଗ ବଙ୍ଗଳାଠାରେ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ନାଗରିକ କମିଟିର ସଂପାଦକ ବିଶ୍ୱେଶ୍ୱର ପୃଷ୍ଟିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଗତକାଲି ତିନୋଟି ଦାବି ଉପରେ ହୋଇଥିବା ଗଣଧାରଣା ସଂପର୍କରେ ସାଂସଦଙ୍କୁ ସୂଚନା ଦେବା ସହିତ ବୌଦ୍ଧଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଅଧିନକୁ ଆଣିବା,ବୌଦ୍ଧକୁ ପୌର ପରିଷଦ ମାନ୍ୟତା ଏବଂ ରାମେଶ୍ୱର ଓ ଚାରିଶମ୍ଭୁ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀ କରିଥିବା ଘୋଷଣା ଆଦି ପ୍ରସଙ୍ଗରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କଠାରେ ଦୃଢ ଭାବରେ ଦାବି ଉପସ୍ଥାପନ କରାଯିବା ପାଇଁ ଜଣାଇଥିଲେ ।
ଫୁଲବାଣୀଠାରେ ମେଡିକାଲ କଲେଜ କାର୍ଯ୍ୟାରମ୍ଭ ହୋଇଥିବାବେଳେ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ବଡ ଧରଣର ଚକ୍ଷୁ ଚିକିତ୍ସାଳୟ ମଧ୍ୟ ମାନ୍ୟବର ସାଂସଦଙ୍କ ପ୍ରଚେଷ୍ଟାରେ ନିର୍ମାଣ କରାଯିବ । ସବୁ ପ୍ରସଙ୍ଗରେ ବୌଦ୍ଧଜିଲ୍ଲା ବିଷୟରେ ମଧ୍ୟ ଧ୍ୟାନ ଦେବାକୁ ସାଂସଦଙ୍କୁ ନାଗରିକ କମିଟି ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏକ ବଡ ଧରଣର ଚକ୍ଷୁ ଚିକିତ୍ସାଳୟଟିଏ ବୌଦ୍ଧରେ ନିର୍ମାଣ କରାଗଲେ ସମଗ୍ର ବୌଦ୍ଧଜିଲ୍ଲା ସମେତ ଆଠମଲ୍ଲିକ ଉପଖଣ୍ଡ,ରେଢାଖୋଲ ଉପଖଣ୍ଡ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଜନସାଧାରଣ ମଧ୍ୟ ଉପକୃତ ହୋଇପାରିବେ ବୋଲି ସାଂସଦଙ୍କୁ ନାଗରିକ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା ।
ଏଟିଏମ ଠକେଇ ମାମଲାରେ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୧୧/୧୧: ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଟୁପାଲି ଶାଖା ଏଟିଏମ ଠକେଇ ମାମଲାର ବିଚାର କରି ବୌଦ୍ଧ ଏସଡିଜେମ ତାଙ୍କ ରାୟରେ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଖଲାସ ଅଭିଯୁକ୍ତ ଦୁଇଜଣ ହେଲେ ବିକାଶ ସିଂ ଓ ଗୌରବ ସିଂ । ମିଳିଥିବା ସୂଚନା ଅନୁଯାଇ, ଗତ ୨୪ ମାର୍ଚ୍ଚ ୨୦୨୧ ତାରିଖ ସକାଳ ୮ଟା ସମୟରେ ଦୁଇଇଜଣ ଯୁବକ ଏଟିଏମରୁ ବିଭିନ୍ନ କୌଶଳ କରି ଏବଂ ଅନେକ ଗୁଡିଏ ଏଟିଏମ କାର୍ଡ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ବାହାର କରି ନେଉଥିବା ଖବର ପାଇ ବୌଦ୍ଧ ପୋଲିସ ଏଟିଏମ କାଉଣ୍ଟର ସମ୍ମୁଖରୁ ୨ ଜଣ ଯୁବକକୁ ଧରି ଥାନାକୁ ଆଣିଥିôଲେ ।
ପଚରା ଉଚରା କରିବାରୁ ସେମାନେ ଉତ୍ତର ପ୍ରଦେଶର କାନପୁର ଏବଂ ଫତେପୁର ଜିଲ୍ଲା ନିବାସୀ ବିକାଶ ସିଂ ଏବଂ ଗୌରବ ସିଂ । ପୋଲିସ ସେମାନଙ୍କ ପାଖରୁ ୧୫ଟି ଏଟିଏମ କାର୍ଡ ଜବତ କରିବା ସହିତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି ମାନ୍ୟବର ଏସଡିଜେଏମ ତାଙ୍କ ରାୟରେ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ବୌଦ୍ଧ ବ୍ରାହ୍ମଣ ସମାଜର ଜିଲ୍ଲାସ୍ତରୀୟ ବୈଠକ, ଡିସେମ୍ବର ୧୨ ରାଜ୍ୟ କାର୍ଯ୍ୟକାରିଣୀ
ବୌଦ୍ଧ.୧୧/୧୧ : ବୌଦ୍ଧ ସହରର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ଜିଲ୍ଲାସ୍ତରୀୟ ବୈଠକ ସଭାପତି ଗୁରୁପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଦେବାଶିଷ ପୁରୋହିତ ଆସନ୍ତା ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ବାର୍ଷିକ ଉତ୍ସବ ସଂପର୍କରେ ଆଲୋଚନା କରିଥିଲେ । ପ୍ରକାଶ ପାଇବାକୁ ଥିବା ମୁଖପତ୍ର ବ୍ରହ୍ମ ନିନାଦରେ ଲେଖା ଦେବାପାଇଁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରାଯାଇଥିଲା ।
ଏହି ବୈଠକରେ ବୌଦ୍ଧଜିଲ୍ଲା ତିନିଗୋଟି ତହସିଲର ୧୪ଗୋଟି ଆଂଚଳିକ ସଂଗଠନର କାର୍ଯ୍ୟକର୍ତାମାନେ ଯୋଗଦାନ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିମାନଙ୍କୁ ବୌଦ୍ଧଜିଲ୍ଲାର ଐତିହାସିକ ଓ ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ସମାବେଶରେ ସାଧୁସନ୍ଥଙ୍କୁ ଅତିଥିଭାବେ ନିମନ୍ତ୍ରଣ କରିବା ପାଇଁ ଆଲୋଚନା ହୋଇଥିଲା ।
ଗତ ପାଂଚବର୍ଷ ତଳେ ଜିଲ୍ଲା ପଂଚାୟତ ଅଧିକାରୀ ଭାବେ ଯୋଗଦେଇ ହିନ୍ଦୁ ଦେବାଦେବୀଙ୍କ ଉପରେ କୁଠାରଘାତ କରିଥିବା ଅଧିକାରୀ ପୁନର୍ବାର ଅନ୍ୟ ଜିଲ୍ଲାମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହେବାପରେ ପୁନର୍ବାର ବୌଦ୍ଧ ଜିଲ୍ଲାରେ ଯୋଗଦେଇଥିବାରୁ ଏହାର ବିରୋଧ କରି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବିଗତ ଦିନରେ ସ୍ୱର୍ଗବାସ ହୋଇଥିବା ହରଭଙ୍ଗା ତହସିଲର ସଂପାଦକ ପ୍ରେମାନନ୍ଦ ପାଢୀ ଓ ଗୋପୀନାଥଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ ହୋଇଥିଲା ।
ଆସନ୍ତା ଡିସେମ୍ବର ୧୨ତାରିଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କାର୍ଯ୍ୟକର୍ତାମାନେ ନିଜ ନିଜ ମତ ପ୍ରକାଶ କରିଥିଲେ । ଏହି ବୈଠକରେ ରାଜ୍ୟ ଆଂଚଳିକ ସଂପାଦକ ଅର୍ନ୍ତଯ୍ୟାମୀ ତ୍ରୀପାଠୀ, ବିଭିଷଣ ଚାନ୍ଦ, ଅଭିମନ୍ୟୁ ହୋତା, ଶିବପ୍ରସାଦ ପାଣିଗ୍ରାହୀ,ଶଶାଙ୍କ ଶେଖର ମିଶ୍ର, ସରୋଜ କୁମାର ଦାଶ, ପ୍ରଦିପ କୁମାର ଦାଶ, ଅରୁଣ କୁମାର ପାଣିଗ୍ରାହୀ, ରଘୁନାଥ ମହାପାତ୍ର, ନବୀନ କୁମାର ହୋତା, ସଚ୍ଚିଦାନନ୍ଦ ପଣ୍ଡା, ଆବାହକ ଶଙ୍କର ମିଶ୍ର ଯୋଗଦାନ କରିଥିଲେ । ବରିଷ୍ଠ ସଦସ୍ୟ ରଘୁନାଥ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
ବୌଦ୍ଧ ଜିଲାରେ ଏସ୍‌ଟିଏଫ୍ ର ଚଢ଼ଉ: ବାଘ ଛାଲ ଜବତ, ୨ ଜଣ ଗିରଫ
ବୌଦ୍ଧ:୧୧/୧୧: ବୌଦ୍ଧ ଜିଲାରେ ଏସଟିଏଫ କକ୍ଷରୁ କିଛି ଦିନ ତଳେ ବାଘ ଛାଲ ଜବତ କରିଥିବା ବେଳେ ପୁଣି ପୋଲିସ ବିଭାଗର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ପୁଣିଥରେ ବୁଧବାର ଦିନ ଚଢ଼ଉ କରି ବାଘ ଛାଲ ଜବତ କରିଛି ।
ମିଳିଥିବା ସୁଚନା ମୁତାବକ ବାଉଁଶୁଣି ଥାନା ଅନ୍ତର୍ଗତ ବାଉଁଶୁଣୀ ବ୍ରିଜ ଛକ ଠାରେ ଚଢ଼ଉ କରି ଗୋଟିଏ ବାଘ ଛାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାଉଁଶୁଣି ଥାନା ଡିମିରିଖୋଲ ଗ୍ରାମର ଅବନିକାନ୍ତ କହଁର, ମନମୁଣ୍ଡା ଥାନା ଅନ୍ତର୍ଗତ ତିଲପଙ୍ଗା ଗ୍ରାମର ସାକିନାଥ କହଁର । ଜବତ ବାଘଛାଲକୁ ଜଙ୍ଗଲ ବିଭାଗକୁ ପରବର୍ତି ତଦନ୍ତ ଓ ରାସାୟନିକ ପରୀକ୍ଷା ପାଇଁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

Related Posts

Seo wordpress plugin by www.seowizard.org.