ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଆଉ ୬ ମାସ ବଢିଲା ମାଗଣା ଚାଉଳ ଅବଧି
ଭୁବନେଶ୍ୱର,୧/୪: ଉତ୍କଳ ଦିବସ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆହୁରି ୬ ମାସ ଯାଏ ମିଳିବ ମାଗଣା ଅତିରିକ୍ତ ୫ କେଜି ଚାଉଳ। ରାଜ୍ୟର ୮ ଲକ୍ଷ ୯ ହଜାର ହିତାଧିକାରୀ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି ସୁବିଧା ପାଇ ପାରିବେ।
ଏହି ଅବଧି ମଧ୍ୟରେ ୨୪ ହଜାର ୨ଶହ ୭୦ ଟନ୍ ଚାଉଳ ବଣ୍ଚନ କରାଯିବ। ଏଥିପାଇଁ ରାଜ୍ୟ ରାଜକୋଷରୁ ୯୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ପୂର୍ବରୁ ଏହି ଯୋଜନାକୁ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ଯାଏଁ ବଢାଯାଇଥିଲା। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଏହି ସୁବିଧାର ଲାଭ ଉଠାଇପାରିବେ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ଯୋଗାଇ ଦିଆଯାଉଛି। ଗତ ନଭେମ୍ବର ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ। ଓଡ଼ିଶାର ପ୍ରାୟ ୩.୨୦କୋଟି ଲୋକ ଏହି ଯୋଜନାରେ ଉପକୃତ ହେଉଛନ୍ତି।