Top Stories

ଆସନ୍ତା ୩ରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୭/୬: ସୋମବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଗଞ୍ଜାମ, ଗଜପତି, ବରଗଡ଼, ଦେବଗଡ଼, ଅନୁଗୁଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ତେବେ ଘୁର୍ଣ୍ଣିବଳୟ ଆଜି ଦକ୍ଷିଣ ଛତିଶଗଡ଼ରେ ବାୟୁମଣ୍ଡଳର ଉପରିଭାଗରେ ଥିବା ବେଳେ ଧୀରେ ଧୀରେ ଦକ୍ଷିଣ ଆଡକୁ ଗତି କରୁଛି ।
ଆଜି ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।
ଅପରପକ୍ଷେ, ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ରାଜ୍ୟରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଶେଷ ବର୍ଷା ନାହିଁ ।
ମଝିରେ ମଝିରେ ଖରା ବି ରହିବ । ତେବେ ଆସନ୍ତା ୩ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଡ. ସାହୁ ଆକଳନ କରିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରର ଯୋଡାରେ ୭୧ ମିଲିମିଟର ବର୍ଷା ହୋଇଥିବା ବେଳେ ହରିଚନ୍ଦନପୁରରେ ୭୦ ମିଲିମିଟର, ବରଗଡ଼ର ଅମ୍ବାଭୋନାରେ ୬୭ ମିଲିମିଟର, କଳାହାଣ୍ଡିର କୋକସରାରେ ୪୭ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Related Posts

Seo wordpress plugin by www.seowizard.org.