Odisha News

ଆସନ୍ତା ୨୦ରେ ବୌଦ୍ଧଜିଲାରେ ନିର୍ବାଚନ : ମତଦାନ କାର୍ଯ୍ୟ ତୁଲାଇବାକୁ ୩୭୩ ବୁଥରେ ପହଞ୍ଚିଲେ କର୍ମଚାରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୫ : ବୌଦ୍ଧଜିଲାରେ ୮୫ କଣ୍ଟାମାଳ ଓ ୮୬ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୨୦ ତାରିଖରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ମତଦାନ କାର‌୍ୟ୍ୟ ପରିଚାଳନା ପାଇଁ ଆଜି ଜିଲା ପ୍ରଶାସନ ପକ୍ଷରୁ ୩୭୩ ଗୋଟି ବୁଥକୁ କର୍ମଚାରୀମାନଙ୍କୁ ପଠାଯାଇଛି ।
ସମୁଦାୟ ୪୧୩ ଟି ବୁଥରେ ମତଗ୍ରହଣ କରାଯିବାକୁ ଥିବାବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୨୧୭ ଟି ଓ ବୌଦ୍ଧ ରେ ୧୯୬ ଟି ବୁଥ ରହିଛି ।
ଉଭୟ ନିର୍ବାଚନ ମଣ୍ଡଳୀରେ ୪୦ ଗୋଟି ସଖି ବୁଥ ଭାବରେ ଚିହ୍ନଟ କରାଯାଇଛି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଦୁଇଗୋଟି ବୁଥକୁ ସହକାରୀ ବୁଥ ଭାବରେ ଚିହ୍ନଟ କରାଯାଇଛି । ସଖି ବୁଥରେ କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ନିର୍ବାଚନ ପରିଚାଳନା କାର‌୍ୟ୍ୟ କରାଯିବ ।
ସେହିପରି ବୌଦ୍ଧ ଏନଏସି ରେ ୧୫୦୦ରୁ ଉର୍ଦ୍ଧ୍ୱ ମତଦାତା ଥିବା ଦୁଇଗୋଟି ବୁଥରେ ଶୃଙ୍ଖଳାର ସହିତ ମତଦାନ ପାଇଁ ଅତିରିକ୍ତ ଭାବରେ ସହକାରୀ ବୁଥ କରାଯାଇଛି ।
ସଖି ପରିଚାଳିତ ବୁଥଗୁଡିକୁ ୧୯ ତାରିଖରେ କର୍ମଚାରୀମାନଙ୍କୁ ପଠାଯିବ ବୋଲି ଜଣାଯାଇଛି । ଏଥର ନିର୍ବାଚନରେ ୪୧୩ ଜଣ ପ୍ରିଜାଇଡିଂ ଅଫିସର,୪୧୩ ପୁଲିଂ ଅଫିସରଙ୍କ ସମେତ ପ୍ରତ୍ୟେକ ବୁଥରେ ୭ ଜଣ ଲେଖାଏଁ କର୍ମଚାରୀ ସମୁଦାୟ ୨୮୯୧ ଜଣ କର୍ମଚାରୀ ନିୟୋଜିତ କରାଯାଇଛି । ମାଇକ୍ରୋ ଅବଜରଭର ଭାବରେ ୨୯ ଜଣ ଅଧିକାରୀ ଓ ୫୯ ଜଣ ସେକ୍ଟର ଅଫିସରଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଛି ।
୮୫ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲାପାଳ ଦାରିଦ୍ର‌୍ୟଭଞ୍ଜନ ମତନମୋହନ ପାତ୍ର ଓ ୮୬ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ରିଟର୍ଣ୍ଣି ଅଫିସର ଭାବରେ ଦାୟିତ୍ୱ ପ୍ରଦାନ କରଯାଇ ତାଙ୍କରି ପ୍ରତ୍ୟକ୍ଷ ତତ୍ୱାବଧାନରେ ଉଭୟ ନିର୍ବାଚନ ମଣ୍ଡଳୀର ନିର୍ବାଚନ କାର୍ଯ୍ୟ ପରିଚାଳନା କରାଯାଉଅଛି । ଦେଶର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ୨୪୭ ଗୋଟି ବୁଥରେ ୱେବକାଷ୍ଟିଂ ପାଇଁ ପ୍ରସ୍ତୁତ କରାଯାଇଛି । ଭିନ୍ନକ୍ଷମ ଭୋଟରମାନଙ୍କ ସହଯୋଗ ପାଇଁ ୨୭୭ ଜଣ ସ୍ୱେଛାସେବୀ ମୃତୟନ କରାଯାଇଛି ।
ନିର୍ବାଚନ ପାଇଁ ୬୭ ଟି ବସ୍, ୪୩ ଟି ବଲେରୋରେ କର୍ମଚାରୀମାନଙ୍କୁ ପୁଲିଂ ବୁଥକୁ ପଠାଯାଇଛି । ଏଥର ଜିଲାରେ ଦୁଇଗୋଟି ନିର୍ବାଚନ ମଣ୍ଡଳୀରେ ୩ ଲକ୍ଷ ୩୫ ହଜାର ୪୮୮ ଜଣ ଭୋଟର କରିବେ ମତଦାନ । ସେଥିମଧ୍ୟରୁ ବୌଦ୍ଧ ନିର୍ବାଚନ ମଣ୍ଡଳିରେ ୧୬୬୪୬୧ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ୮୫୫୦୯ ଭୋଟର ରହିଥିବା ବେଳେ ୮୦୯୪୪ ମହିଳା ଭୋଟର ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୮ ରହିଛନ୍ତି ।
ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ୧୬୯୦୨୭ ଭୋଟର ରହିଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୮୬୫୨୨ ଓ ମହିଳା ଭୋଟରଙ୍କ ସଂଖ୍ୟା ୮୨୫୦୪ ଓ ତୃତୀୟ ଲିଙ୍ଗଙ୍କ ଭୋଟର ସଂଖ୍ୟା ୧ ରହିଛି । ନିର୍ବାଚନ ପାଇଁ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲାରେ ସମସ୍ତ ମଦ ଦୋକାନ ଗୁଡିକୁ ସିଲ କରାଯାଇଛି । ମତଦାନ କେନ୍ଦ୍ରରୁ ୨ ଶହ ମିଟର ଦୂରତାକୁ ନିଷିଦ୍ଧାଞ୍ଚଳ ଭାବରେ ଘୋଷଣା କରାଯାଇଛି । ଜିଲାରେ ସକାଳ ୭ ଟାରୁ ଅପରାହ୍ନ ୪ ଟା ପର‌୍ୟ୍ୟନ୍ତ ମତଦାନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।
ଆଗାମୀ ନିର୍ବାଚନରେ ଜିଲ୍ଳାରେ ଅଧିକରୁ ଅଧିକ ନାଗରିକ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଜେ. ସୋନାଲ ନିବେଦନ କରିଛନ୍ତି ।

Related Posts

Seo wordpress plugin by www.seowizard.org.