Odisha News

ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

ଭୁବନେଶ୍ବର,୩୦/୧୧: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମେକ୍‌ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାଣିଜ୍ୟ ମହାକୁମ୍ଭକୁ ଉଦ୍‌ଘାଟନ କରିଛନ୍ତି । ଡିସେମ୍ବର ୪ତାରିଖ ଯାଏଁ ଚାଲିବାକୁଥିବା । ଭୁବନେଶ୍ୱର ଜନତାମଇଦାନ ଠାରେ ଏହି ନିବେଶକ ସମ୍ମିଳନୀରେ ଶହେରୁ ଅଧିକ ଶିଳ୍ପପତି ଯୋଗ ଦେବାର କର୍ଯ୍ୟକ୍ରମ ରହିଛି ।
ଆଜି ଉଦ୍‌ଘାଟନି ଉତ୍ସବରେ ଜାପାନ, ଜର୍ମାନୀ, ନରୱେ ଓ ନେପାଳର ରାଷ୍ଟ୍ରଦୂତଙ୍କ ସହ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଅତିଥି ଭାବେ ଉପସ୍ଥିତ ଥିଲେ। କଟକ ଓ ଭୁବନେଶ୍ବରର ମେୟର ମଧ୍ୟ ଉଦଘାଟନୀ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ରହିଥିଲେ।
ମେକ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିବ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ୨୦୧୬ ଏବଂ ୨୦୧୮ରେ ଅନୁଷ୍ଠିତ ଦୁଇଟିଯାକ ସମ୍ମିଳନୀରେ ଆସିଥିବା ମୋଟ ନିବେଶ ପ୍ରସ୍ତାବ ତୁଳନାରେ ଏଥର ଅଧିକ ନିବେଶ ପ୍ରସ୍ତାବ ଆସିବ ବୋଲି ରାଜ୍ୟ ସରକାର ଆଶାବାଦୀ ଅଛନ୍ତି।
ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର‌୍ୟ୍ୟଟନ ଏବଂ ଆଇଟି ସେକ୍ଟରକୁ ଅଧିକ ଫୋକସ୍ କରାଯାଇଛି । ସେହିପରି ମେକ ଇନ ଓଡିଶା ପାଇଁ ଚଳିତ ଥର ଜାପାନ, ନରୱେ ଏବଂ ଜର୍ମାନୀର କଣ୍ଟ୍ରି ପାର୍ଟନର ଥିବା ବେଳେ ମିତ୍ତଲ, ବିର୍ଲା, ବେଦାନ୍ତ, ଜିନ୍ଦଲ କମ୍ପାନୀ ଗ୍ରୁପ ଭଳି ବଡ଼ ବଡ଼ କମ୍ପାନୀର ମୁଖ୍ୟମାନେ ଏଥିରେ ଯୋଗ ଦେବେ ।
ମେକ୍ ଇନ୍ ଓଡ଼ିଶାରେ ଯୋଗଦେବାକୁ ଥିବା ଉଦ୍ୟୋଗଜଗତର ଜଣାଶୁଣା ବ୍ୟକ୍ତିଙ୍କ ମଧ୍ୟରେ ଆର୍ସେଲର ମିତ୍ତଲର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଏଲ୍ ଏନ୍ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ବେଦାନ୍ତ ରିସୋର୍ସେସ ଲିମିଟେଡର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଜେଏସ୍ଡବ୍ଲୁ ଗ୍ରୁପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସ୍ପିଏଲ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲର ସିଇଓ ତଥା ଏମ୍ଡି ଟିଭି ନରେନ୍ଦ୍ରନ ଆଦି ରହିଛନ୍ତି। ଏଥିସହିତ ଜାପାନ, ନରେୱ ଏବଂ ଜର୍ମାନିର ରାଷ୍ଟ୍ରଦୂତମାନେ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଛନ୍ତି।
ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଏ ପର‌୍ୟ୍ୟନ୍ତ ୧୧,୬୦୦ ରୁ ଅଧିକ ପଞ୍ଜୀକରଣ ହୋଇଛି । ସମ୍ମିଳନୀରେ ମୋଟ ୩୮ଟି କାର‌୍ୟ୍ୟକ୍ରମ ରହିବ ଏବଂ ୧୨୪ ଜଣ ବକ୍ତା ଭାବେ ଯୋଗଦେବେ। ସମ୍ମିଳନୀର ସଫଳ କାର‌୍ୟ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କ ୨୨ଟି ବିଭାଗ କାର‌୍ୟ୍ୟ କରୁଛି। ମେକ୍ ଇନ ଓଡ଼ିଶା ପୋର୍ଟାଲରେ ପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ଅଧିବେଶନ, ପ୍ରସଙ୍ଗଭିତ୍ତିକ ଅଧିବେଶନ, କ୍ଷେତ୍ରଭିତ୍ତିକ ଅଧିବେଶନ ଏବଂ ବକ୍ତାଙ୍କ ସଂପର୍କରେ ବିବରଣୀ ଉପଲବ୍ଧ ରହିଛି।

Related Posts

Seo wordpress plugin by www.seowizard.org.