Odisha News

ଆନ୍ଧ୍ର-ଅରୁଣାଚଳ-ସିକିମ୍-ଓଡ଼ିଶା ୪ ରାଜ୍ୟରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୧୬/୩: ୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଭାରତର ନିର୍ବାଚନ କମିସନ ଘୋଷଣା କରିଛନ୍ତି ।
ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି, ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।
ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଜୁନ ୪ରେ ଭୋଟ ଗଣତି ହେବ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭, ୪ର୍ଥ ପର‌୍ୟ୍ୟାୟ ଭୋଟ ମେ’ ୧୩, ୫ମ ପର୍ଯ୍ୟାୟ ଭୋଟ ୨୦, ୬ଷ୍ଠ ପର୍ଯ୍ୟାୟ ଭୋଟ ମେ’ ୨୫ ଓ ଶେଷ ପର୍ଯ୍ୟାୟ ଭୋଟ ଜୁନ ୧ରେ ଅନୁଷ୍ଠିତ।
ଆଜି ନିର୍ବାଚନ କମିଶନ ଲୋକସଭା ବ୍ୟତୀତ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକ୍କିମ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟ ଲୋକସଭା ନିର୍ବାଚନ ସହ ସମାନ୍ତରଳ ଭାବେ ଅନୁଷ୍ଠିତ ହେବ। ସେହିପରି ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୬ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ।
ମୁଖ୍ୟ ନିର୍ବାଚନ କମିଶନ କମିଶନଙ୍କ ଘୋଷଣା ଅନୁଯାୟୀ ଓଡ଼ିଶାରେ ୪ଟି ପର୍ଯ୍ୟାୟ ରେ ଭୋଟ ହେବ। ମେ’ ୧୩, ମେ ୨୦, ମେ’ ୨୫ ଓ ଜୁନ ୧ରେ ଓଡ଼ିଶାବାସୀ ସମସ୍ତ ୧୪୭ଟି ଆସନ ପାଇଁ ଭୋଟ ଦେବେ। ଜୁନ ୪ରେ ଲୋକସଭା ସହ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।
ଦେଶର ପ୍ରାୟ ୯୭ କୋଟି ପଞ୍ଜୀକୃତ ଭୋଟର ଇଭିଏମ ଦବାଇ ପରବର୍ତ୍ତୀ ସରକାର ଗଠନ ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୦.୫ ଲକ୍ଷ ଅଧିକ ବୁଥ ନିର୍ବାଚନ କମିଶନ ପକ୍ଷରୁ ସମଗ୍ର ଦେଶରେ ତିଆରି କରାଯିବ। ନିର୍ବାଚନକୁ ସୂଚାରରୂପେ ଶେଷ କରିବା ପାଇଁ ୧.୫ କୋଟି ପୁଲିଂ ଅଫିସର ନିଯୁକ୍ତ ହେବେ। ୫୫ ଲକ୍ଷ ଇଭିଏମ ଦ୍ୱାରା ଲୋକଙ୍କ ମତାଧିକାର ଗ୍ରହଣ କରାଯିବ।
୨୦୧୯ରେ ବିଜେପି ଏକାକୀ ୩୦୩ ଲୋକସଭା ଆସନ ଜିତିଥିବା ବେଳେ କଂଗ୍ରେସ କେବଳ ୫୨ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏଥର ବିଜେପି ୩୭୦ ଆସନ ଜିତିବ ବୋଲି ଲକ୍ଷ୍ୟ ରଖିଛି। ବିଜେପିକୁ ମାତ ଦେବା ପାଇଁ ଏକାଧିକ ରାଜନୀତିକ ଦଳ ମିଳିତ ଭାବେ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ହେଲେ ଏହା କେତେ ଦୂର ସଫଳ ହେଉଛି, ସେକଥା ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିବ।

Related Posts

Seo wordpress plugin by www.seowizard.org.