Odisha News

ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ

ଗୁଣୁପୁର,୧୭/୧: ଆଖି ବୁଜିଲେ ପଦ୍ମଶ୍ରୀ ଶାନ୍ତିଦେବୀ । ଭୂଦାନ ଆନ୍ଦୋଳନ ପାଇଁ ଘରେ ଘରେ ବେଶ୍ ପରିଚିତ ଥିଲେ ଶାନ୍ତି ଦେବୀ ।
ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ଶାନ୍ତି ଦେବୀଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଆଦିବାସୀ ଅଞ୍ଚଳରେ ହଷ୍ଟେଲ ପ୍ରତିଷ୍ଠା କରି ସେବା ଯୋଗାଇ ଆସୁଥିଲେ ଶାନ୍ତି ଦେବୀ । ସେ ପଦ୍ମଶ୍ରୀ ସହ ଜମୁନାଲାଲ ବଜାଜ୍ ପୁରସ୍କାର ମଧ୍ୟ ପାଇଥିଲେ ।
ଗତକାଲି ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଶାନ୍ତିଦେବୀ । ପରେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୧୯୩୮ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଶାନ୍ତିଦେବୀ ମାତ୍ର ୧୭ ବର୍ଷ ବୟସରୁ ଆଚାର୍ଯ୍ୟ ବିନୋବା ଭାବେଙ୍କ ପ୍ରେରଣାରେ ସମାଜସେବୀ ଓ ଭୂଦାନ ଆନ୍ଦୋଳନରେ ଯୋଗଦେଇଥିଲେ । ୧୯୪୧ ମସିହାରେ ସେ ଗୁଣୁପୁର ଅଞ୍ଚଳକୁ ଆସି ସମାଜସେବା ଓ ଭୂଦାନ ଆନ୍ଦୋଳନ ଜାରି ରଖିଥିଲେ ।
ତାଙ୍କ ନିସ୍ୱାର୍ଥପର ସେବା ପାଇଁ ଗତ ୨୦୨୧ ନଭେମ୍ବର ୯ତାରିଖରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ଉପାଧୀରେ ଭୂଷିତ କରିଥିଲେ ।

Related Posts

Seo wordpress plugin by www.seowizard.org.