Odisha News

ଆଇଆଇସିଙ୍କ ହାରାସ୍‌ମେଣ୍ଟରୁ ଏସ୍ଆଇଙ୍କ ଆତ୍ମହତ୍ୟା, ଅଭିଯୋଗ ଆଣିଲେ ଭାଇ

ଘୁ.ଉଦୟଗିରି, ୨୭/: ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣା ପାଇଁ ମା’ ଉଷାରାଣୀ ବେହେରା ଓ ଭାଇ ମନରଂଜନ ବେହେରା ସ୍ଥାନୀୟ ଆଦର୍ଶ ଥାନା ମହିଳା ପୁଲିସ ଆଇଆଇସିଙ୍କୁ ଦାୟୀ କରିଛନ୍ତି। ଉଭୟ ମା’ ଓ ପୁଅ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ଆଇଆଇସି ରେବତୀ ଶବରଙ୍କ ମାନସିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ମୋ ଭଉଣୀ ଆତ୍ମହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି ମନରଞ୍ଜନ ବେହେରା।
ସ୍ୱାଗତିକାଙ୍କ ମା ଉଷାରାଣୀ ବେହେରା ନିଜ ଝିଅକୁ ଝୁରୁଛନ୍ତି। ଝିଅକୁ ଖୋଜୁଛନ୍ତି। ଆଖିରୁ ଲୁହ ଶୁଖୁନି। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ତାଙ୍କ ଝିଅ ଘୁ.ଉଦୟଗିରି ଥାନାରେ ଯୋଗ ଦେବା ପରଠାରୁ ଥାନା ଆଇଆଇସି ତାଙ୍କୁ ଅସଦବ୍ୟବହାର କରିବା ସହ ମାନସିକ ନିର୍ଯ୍ୟାତନା ଦେଉଥିଲେ।
ଝିଅ ସ୍ୱାଗତିକା ସବୁବେଳେ କାନ୍ଦି କାନ୍ଦି ମା’ଙ୍କୁ ଜଣାଉଥିଲେ। ମା’ କହିଲେ ତୋର ଯଦି ଅସୁବିଧା ହେଉଛି ଚାକିରି ଛାଡ଼ିଦେ। ତୋ ଆଇଆଇସି ତତେ ଏତେ କଷ୍ଟ ଦେଉଛି ଏତେ ଗାଳି କରୁଛି ତୁ କିଛି କହିପାରୁନୁ କି? ସ୍ୱାଗତିକା କହିଲେ ନା ଲୋ ବୋଉ ମୁଁ କିଛି କହିପାରୁନି। ମୁଁ କଣ ଏହି ଥାନାରେ କେହି କିଛି କହିପାରୁନାହାନ୍ତି। ସମସ୍ତେ ଚୁପ ହୋଇ ରହୁଛନ୍ତି। ଏହିଭଳି ନିଜ ଝିଅକୁ ଜଣେ ମାତ୍ର ଆଇଆଇସି ସବୁ ପ୍ରକାର ଚାପ ଦେଇ ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରେଇଛନ୍ତି ବୋଲି ମା ଉଷା ରାଣୀ କହିବା ସହ ନ୍ୟାୟ ଭିକ୍ଷା କରିଛନ୍ତି।
ଅନ୍ୟପକ୍ଷରେ ସ୍ଥାନୀୟ ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ସ୍ଥାନୀୟ ଥାନାର ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାରେ ଏସପି ଆସି ଅନୁଧ୍ୟାନ କରି ଯାଇଛନ୍ତି। ତଦନ୍ତ ଆରମ୍ଭ ହୋଇଛି। ସ୍ୱାଗତିକାଙ୍କ ଭାଇ ଏବଂ ମା ମୋତେ ଦେଖା କରିଛନ୍ତି। କୌଣସି ଅଭିଯୋଗ ମୁଁ ପାଇନି। ଯଦି କିଛି ଲିଖିତ ଅଭିଯୋଗ ପାଏ, ତାହାହେଲେ ତା ଆଧାରରେ ତଦନ୍ତ ହେବ ଏବଂ ଯିଏ ଦୋଷୀ ସେ ଦଣ୍ଡ ପାଇବେ।

Related Posts

Seo wordpress plugin by www.seowizard.org.