Ollywood News

ଅଭିନେତ୍ରୀ ମୌସୁମୀ ନାୟକ ଗିରଫ, ଲେଖିକାଙ୍କୁ ଟଙ୍କା ମାଗିବା ସହ ଗାଳିଗୁଲଜ ଅଭିଯୋଗରେ ଆକ୍ସନ

ଭୁବନେଶ୍ୱର, ୧୩/୧୧ : ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ କମିଶନରେଟ ପୁଲିସ ଆଜି ଗିରଫ କରିଛି । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କମିଶନରେଟ ପୁଲିସ ମାମଲା ରୁଜୁ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସୂଚନା ଅନୁସାରେ, ଅଭିନେତ୍ରୀ ମୌସୁମୀ ଆଜି ହାଇଦ୍ରାବାଦରୁ ସୁଟିଂରୁ ଫେରିବା ପରେ ଚନ୍ଦକାସ୍ଥିତ ତାଙ୍କ ଆପାର୍ଟମେଂଟରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ବିରୁଦ୍ଧରେ ଆଇପିସିର ଧାରା -୩୮୫, ୨୯୪, ୫୦୬ ଓ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଛି ।
ବନସ୍ମିତାଙ୍କ ସାମାଜିକ ପ୍ରତିଷ୍ଠାକୁ ସୋସିଆଲ ମିଡିଆ ମାଧ୍ୟମରେ ଖରାପ କରିବାକୁ ପ୍ରୟାସ କରିବା ଓ ଜବରଦସ୍ତି ଟଙ୍କା ଆଦାୟ କରିବା ଆଦି ଅଭିଯୋଗ ମୌସୁମୀଙ୍କ ବିରୁଦ୍ଧରେ ରହିଛି ।
ଗତ ସେପ୍ଟେମ୍ବର ମାସରେ ଶେୟାର ବଜାରରେ ଟଙ୍କା ଲଗାଇବା ନେଇ ବନସ୍ମିତା ଚାପ ପକାଉଥିବା ନେଇ ମୌସୁମୀ ଅଭିଯୋଗ ଆଣିଥିଲେ । ଏହାସହିତ ମୌସୁମୀ ଚନ୍ଦକା ଥାନାରେ ମଧ୍ୟ ଏନେଇ ଏକ ମାମଲା ରୁଜୁ କରିଥିଲେ ।
ତେବେ ପରବର୍ତ୍ତୀ ସମୟରେ ବନସ୍ମିତା ସେହି ଟଙ୍କା ଫେରସ୍ତ କରିବାର ଆଶ୍ୱାସନା ଦେବା ପରେ ପରସ୍ପରର ସହମତିରେ ଥାନାରୁ ମାମଲା ପ୍ରତ୍ୟାହାର ହୋଇଥିଲା । କିନ୍ତୁ ପରେ ମୌସୁମୀ ପୁଣିଥରେ ବନସ୍ମିତାଙ୍କ ବିରୁଦ୍ଧରେ ଧମକ ଦେବାର ଅଭିଯୋଗ ଥାନାରେ କରିଥିଲେ ।
ତେବେ ବନସ୍ମିତା ଏସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇ ଓଡ଼ିଶା ହାଇକୋର୍ଟରେ ମାନହାନି ମକଦ୍ଦମା ଦାଏର କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ କମିଶନରେଟ ପୁଲିସ ମାମଲାର ତଦନ୍ତ କରି ଆଜି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବନସ୍ମିତା ୫.୮୦ଲକ୍ଷ ଟଙ୍କା ଫେରସ୍ତ କରିବେ ବୋଲି ଉଭୟ ପକ୍ଷ ମଧ୍ୟରେ ସେତେବେଳେ ବୁଝାମଣା ହୋଇଥିଲା । ଏସବୁ ସତ୍ତ୍ୱେ ସୋସିଆଲ ମିଡିଆରେ ବନସ୍ମିତାଙ୍କ ଓ ମୌସୁମୀଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ କରିଥିଲେ ।

Related Posts

Seo wordpress plugin by www.seowizard.org.