Odisha News

ଅବପାତରେ ପରିଣତ ହେଲା ଲଘୁଚାପ, କାଲି ନେଇପାରେ ବାତ୍ୟାର ରୂପ

ଭୁବନେଶ୍ବର, ୭/୫ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଡିପ୍ରେସନ (ଅବପାତ) ଆସନ୍ତା ୮ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ଭାରତୀୟ ପାଣିପାଗ ବିଭାଗ କହିଛି ।
ଏହି ଡିପ୍ରେସନ ଆଜି ପୂର୍ବାହ୍ଣ ସାଢେ ୧୧ଟା ସୁଦ୍ଧା ପୋର୍ଟ ବ୍ଲେୟାରଠାରୁ ୩୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ, ବିଶାଖାପାଟଣାଠାରୁ ୧୨୭୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଓ ପୁରୀଠାରୁ ୧୩୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଥିଲା ।
ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୮ ମେ ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୧୦ ମେ ସୁଦ୍ଧା ଏହା ଉତ୍ତପଶ୍ଚିମ ଦିଗରେ ଗତି କରି ପଶ୍ଚିମକେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବ ଓ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ ।
ପରେ ଏହା ନିଜର ଦିଗ ବଦଳାଇ ଉତ୍ତରପୂର୍ବ ଦିଗରେ ଗତି କରିବ ଓ ଓଡ଼ିଶା ଉପକୂଳ ହୋଇ ଉତ୍ତରପଶ୍ଚିମ ବଙ୍ଗୋପସାଗରଆଡକୁ ଗତି କରିବ ।
ଏହି ବାତ୍ୟା ପ୍ରକୃତରେ କେଉଁଠାରେ ଲାଣ୍ଡଫଲ କରିବ ସେ ନେଇ ଆଇଏମଡି ପକ୍ଷରୁ ଏପର‌୍ୟ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
ଏହା ଲାଣ୍ଡଫଲ ନକରିବାର ସମ୍ଭାବନା ରହିଛି ବୋଲି ବିଭାଗ ସୂଚନା ଦେଇଛି । ତେବେ ଡିପ୍ରେସନ ବାତ୍ୟାରୂପ ନେବା ପରେ ହିଁ ଏହାର ପ୍ରକୃତ ଗତିପଥ ସଂପର୍କରେ ପୂର୍ବାନୁମାନ କରିହେବ ।

Related Posts

Seo wordpress plugin by www.seowizard.org.