Odisha News

ଅତ୍ୟନ୍ତ ଚିନ୍ତା ଜନକ: ବିଷାକ୍ତ ଧୂମ୍ର ବଳୟରେ ଇସ୍ପାତ ସହର ରାଉରଲକେଲା

ରାଉରକେଲା,୩୧/୩ : ଗତ ୩ ଦିନ ଧରି ପାଉଁଶକଣା ଓ ଧଳାଧୂଆଁରେ ଆଚ୍ଛାଦିତ ହୋଇଯାଉଛି ଇସ୍ପାତ ସହର। ଘରଦ୍ୱାର, ସବୁଜିମା ଯୁ୍ଆଡ଼େ ଦେଖିବ ଧଳାଧୂଆଁ। ଏହି ଧୂଆଁର ପ୍ରଭାବରେ ସହରର ଅନେକ ଅଞ୍ଚଳରେ ବୃଦ୍ଧବୃଦ୍ଧା ଓ ପିଲାମାନେ ଘରୁ ବାହାରି ପାରୁନାହାନ୍ତି। ସମସ୍ତଙ୍କର ଆଖି ଜଳୁଛି। ଠିକ୍ ଭାବେ ବାଟ ଦିଶୁନି। ସକାଳୁ ଆରମ୍ଭ ହୋଇ ମଧ୍ୟାହ୍ନ ପର‌୍ୟ୍ୟନ୍ତ, ଏପରିକି ତା’ର ଆହୁରି ଘଣ୍ଟେ ଦୁଇଘଣ୍ଟା ପର‌୍ୟ୍ୟନ୍ତ ଧୂଆଁ ରାଉରକେଲା ଓ ଆଖପାଖ ଅଞ୍ଚଳର ଆକାଶରୁ ହଟୁନି କି ଲୋକଙ୍କ କଷ୍ଟ କମୁନି। ଉଲ୍ଲେଖନୀୟ ଯେ ପ୍ରାୟ ୪ଦିନ ତଳେ ରାଉରକେଲା ଭିତରେ ଥିବା ଦୁର୍ଗାପୁର ପାହାଡ଼ରେ ନିଆଁ ଲାଗିଥିଲା। ଧୂଆଁ ସେହି କାରଣରୁ ହେଉଛି ବୋଲି କେହି କେହି କହୁଥିବାବେଳେ, କେହି କେହି ସନ୍ଦେହ କରୁଛନ୍ତି ଯେ ରାଉରକେଲା ଇସ୍ପାତ କାରଖାନାରୁ ଏହି ଧୂଆଁ ନିର୍ଗତ ହେଉଛି! ତେବେ ଆଶ୍ଚର‌୍ୟ୍ୟର କଥା ହେଉଛି, ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ସମସ୍ୟା ଉପୁଜିଛି ଜାଣିପାରୁନି ପ୍ରଦୂଷଣ ବିଭାଗ। ବିଷାକ୍ତ ଧୂଆଁରେ ସହରବାସୀ ଘାଣ୍ଟି ହେଉଥିଲେ ମଧ୍ୟ ବନବିଭାଗ, ଜିଲ୍ଲା ପ୍ରଶାସନ କିମ୍ବା ପ୍ରଦୂଷଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହୁଁ। ଯାହାକୁ ନେଉ ଜନ ଅସନ୍ତୋଷ ବଢୁଛି।
ଦୁର୍ଗାପୁର ପାହାଡ଼ରେ ପ୍ରାୟ ପ୍ରତିବର୍ଷ ନିଆଁ ଲାଗୁଛି। ଏହି ନିଆଁରେ ପ୍ରତିବର୍ଷ ଅନେକ ମୂଲ୍ୟବାନ ଗଛ ସହ ପାହାଡ଼ରେ ରହୁଥିବା ଛୋଟ ଛୋଟ ଜୀବଜନ୍ତୁ ପୋଡି ଛାରଖାର ହେଉଛନ୍ତି। କିନ୍ତୁ ସହର ଭିତରେ ଥିବା ଏହି ପାହାଡ଼ର ରିଜର୍ଭ ଜଙ୍ଗଲରେ ମଧ୍ୟ ନିଆଁ ନିୟନ୍ତ୍ରଣ କରିବାରେ ସଂପୃକ୍ତ ବିଭାଗ ସଫଳ ହୋଇ ପାରୁନାହିଁ। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠି ରହିଥିବାବେଳେ ନିଆଁ ଲିଭାଇବାକୁ ବନବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାଡ ରହିଛି। ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି। ଜିଲ୍ଲାର ବାଙ୍କୀ ଫରେଷ୍ଟ ରେଞ୍ଜର ଚମ୍ପାଝରଣ ନିକଟ କରଡା ଜଙ୍ଗଲରେ ଜଣେ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ବନବିଭାଗ କର୍ମଚାରୀଙ୍କ ହାତରେ ଧରାପଡିଛି। ଏହି ନିଆଁ ଲଗାଇବା ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ରାଉରକେଲା ବନବିଭାଗ ତାର ତଦନ୍ତ କରୁଛି।
ଅନ୍ୟପକ୍ଷରେ ଜଙ୍ଗଲରେ ଲାଗୁଥିବା ନିଆଁ ଆୟତ୍ତ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ରାଉରକେଲା ଡିଏଫଓ କହିଛନ୍ତି । ରାଉରକେଲା ପ୍ରଦୂଷଣ ବିଭାଗର ସହକାରୀ ପରିବେଶ ଯନ୍ତ୍ରୀ ବିଜୟ ଭୋଇ କହିଛନ୍ତି, କ’ଣ ପାଇଁ ଏମିତି ସମସ୍ୟା ସୃଷ୍ଟି ହୋଇଛି ଜଣାପଡୁନି। ବିଭାଗର ସ୍ୱତନ୍ତ୍ର ଟିମ୍ ଆଜି ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳ, ସିଭିଲ ଟାଉନସିପ ଓ ଅନ୍ୟାନ ଇଲାକା ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଧୂଆଁକୁ ଯାଞ୍ଚ କରା ଯାଉଛି। ରିପୋର୍ଟ ଆସିବା ପରେ କାର‌୍ୟାନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ ଯେ ଏଇ କିଛିଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାର ଅନେକ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିଛି। କେବଳ ରାଉରକେଲା ନୁହେଁ, ଉପାନ୍ତ ଇଲାକାର କିଛି ଗାଁର ଲୋକମାନେ ମଧ୍ୟ ଜଙ୍ଗଲ ନିଆଁର ପ୍ରଭାବରେ ଉତ୍ତାପ ଓ ଧୂଆଁରେ ଘାଣ୍ଟି ହେଉଛନ୍ତି। ନିଆଁରେ ମୂଲ୍ୟବାନ ଗଛଲତା ପୋଡ଼ି ପାଉଁଶ ହେଉଥିବାବେଳେ ଅସଂଖ୍ୟ ବନ୍ୟପ୍ରାଣୀଙ୍କ ଜୀବନ ଯାଉଛି। ମହୁଲ ଗୋଟାଇବାଲାଗି ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି ବୋଲି କୁହ ଯାଉଛି।

Related Posts

Seo wordpress plugin by www.seowizard.org.