Odisha News

ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ, ୬ରୁ ପୁଣି ଲଘୁଚାପ

ଭୁବନେଶ୍ୱର,୧/୮: ଧାରା ଶ୍ରାବଣରେ ଟାଣ ଖରାରେ ଡହଳ ବିକଳ ହେଉଛନ୍ତି ରାଜ୍ୟବାସୀ। ଯେଉଁ ସମୟରେ ଲଗାଣ ବର୍ଷା ହେବା କଥା ସେହି ସମୟରେ ଖରାର ତାଉ ଲୋକଙ୍କୁ କଲବଲ କରୁଛି।
ଏଭଳି ସ୍ଥିତି ୪ରୁ୫ ତାରିଖ ପର‌୍ୟ୍ୟନ୍ତ ଲାଗି ରହିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ଆଜି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଓଡ଼ିଶାରେ ମୌସୁମୀ ବାୟୁ ଦୁର୍ବଳ ହେଉଥିବାରୁ ୪ରୁ ୫ ତାରିଖ ପର୍ଯ୍ୟନ୍ତ ଗୋଟିଏ ଓ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ତେବେ କୌଣସି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ୬ରୁ୭ ତାରିଖ ବେଳକୁ ଏକ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ।
ଶ୍ରୀ ଜେନାମଣି ଆହୁରି କହିଛନ୍ତି, ଓଡ଼ିଶାରେ ଅଧା ମୌସୁମୀ ସରିଲାଣି। ଜୁନ୍ ୧ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ ୮ ପ୍ରତିଶତ କମ୍ ବର୍ଷା ହୋଇଛି।
ଜୁନ୍ରେ ଓଡ଼ିଶାରେ ଭଲ ବର୍ଷା ହୋଇ ନାହିଁ। ଜୁନ୍ ମାସରେ ମାଇନସ୍ ୩୩% ବର୍ଷା ହୋଇଛି। ହେଲେ ଜୁଲାଇରେ ଭଲ ବର୍ଷା ହୋଇଛି। ଜୁଲାଇରେ ୨ଟି ଲଘୁଚାପ ଯୋଗୁ ଭଲ ବର୍ଷା ହୋଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଛି। ସୁନ୍ଦରଗଡ଼ରେ ମାଇନସ୍ ୩୯ ପ୍ରତିଶତ ବର୍ଷା ହୋଇଛି। ସେହିପରି ଭଦ୍ରକରେ ମାଇନସ୍ ୨୩ %, ବାଲେଶ୍ୱରରେ ମାଇନସ୍ ୧୯ %, ମୟୂରଭଞ୍ଜରେ ମାଇନସ୍ ୨୮ % ଓ ସମ୍ବଲପୁରରେ ମାଇନସ୍ ୨୮ % ବର୍ଷା ହୋଇଛି। ଏହି ସବୁ ଜିଲ୍ଲାରେ ହାରାହାରି ବର୍ଷାଠାରୁ କମ୍ ବର୍ଷା ହୋଇଛି।
ହେଲେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହୋଇଛି। ବୌଦ୍ଧ, କଳାହାଣ୍ଡି,ମାଲକାନଗିରି ଓ ଢେଙ୍କାନାଳ ଜିଲ୍ଲାରେ ସ୍ୱାଭାବିକଠୁ ଅଧିକ ବର୍ଷା ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.