Odisha News

ଅଗଷ୍ଟ ୨୩ ‘ଜାତୀୟ ମହାକାଶ ଦିବସ’; ଚନ୍ଦ୍ରାବତରଣକୁ ମନେରଖିବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୨୬/୮: ଚନ୍ଦ୍ରପୃଷ୍ଠରେ ଭାରତ ‘ଚନ୍ଦ୍ରଯାନ-୩’ ଅବତରଣ କରାଇବାରେ ସଫଳ ହୋଇଥିବାରୁ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବ ବୋଲି ଆଜି ‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।
‘ଇସ୍ରୋ’ର ‘ଟେଲିମେଟ୍ରି ଟ୍ରାକିଙ୍ଗ୍ ଆଣ୍ଡ୍ କମାଣ୍ଡ ନେଟ୍ୱାର୍କ ମିସନ୍ କଣ୍ଟ୍ରୋଲ୍ କମ୍ପ୍ଲେକ୍ସ୍’ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅଗଷ୍ଟ ୨୩ ତାରିଖ ଦିନ ଭାରତ ଚନ୍ଦ୍ରରେ ଜାତୀୟ ପତାକା ଉତ୍ତୋଳନ କରିଛି। ଏଣିକି ଭାରତରେ ସେ ଦିନକୁ ‘ଜାତୀୟ ମହାକାଶ ଦିବସ’ କୁହାଯିବ।
ସେହିପରି, ‘ଚନ୍ଦ୍ରଯାନ-୩’ର ‘ମୁନ୍ ଲାଣ୍ଡର୍’ ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଅବତରଣ କରିଛି ସେ ସ୍ଥାନର ନାଁ ‘ଶିବଶକ୍ତି’ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି, ‘ଚନ୍ଦ୍ରଯାନ-୨’ ଚନ୍ଦ୍ରପୃଷ୍ଠର ଯେଉଁସ୍ଥାନରେ ‘କ୍ରାସ୍-ଲ୍ୟାଣ୍ଡିଙ୍ଗ୍ କରିଥିଲା ସେ ସ୍ଥାନର ନାଁ ‘ତିରଙ୍ଗା’ ହେବ। ଏହା ହେବ ଚନ୍ଦ୍ରାଭିଯାନ ପାଇଁ ଭାରତ କରିଥିବା ସମସ୍ତ ପ୍ରଚେଷ୍ଟାର ପ୍ରେରଣା। ବିଫଳତା ଶେଷ ପରିଣତି ନୁହେଁ ବୋଲି ଏହା ଆମକୁ ସ୍ମରଣ କରାଇ ଦେବ।
‘ଚନ୍ଦ୍ରଯାନ-୩’ରେ ମହିଳା ବୈଜ୍ଞାନିକମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ବିଜ୍ଞାନକୁ ଜନକଲ୍ୟାଣରେ ବ୍ୟବହାର କରିବା ଲାଗି ଏହି ‘ଶିବଶକ୍ତି’ସ୍ଥଳ ଆଗାମୀ ପିଢ଼ିଙ୍କୁ ପ୍ରେରିତ କରିବ। ଜନକଲ୍ୟାଣ ହିଁ ଆମର ପରମ ପ୍ରତିବଦ୍ଧତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ‘ଇସ୍ରୋ’ର ଅଧ୍ୟକ୍ଷ ଏସ୍. ସୋମନାଥନ ପ୍ରଧାନମନ୍ତ୍ରୀଙ୍କୁ କିଛି ସ୍ମାରକୀ ଉପହାର ଦେବା ସହିତ ‘ଲ୍ୟାଣ୍ଡର୍ ବିକ୍ରମ’ର ପ୍ରତିକୃତି ଉପହାର ଦେଇଛନ୍ତି।
‘ଚନ୍ଦ୍ରଯାନ-୩’ର ବୈଜ୍ଞାନିକମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ, କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ନିମନ୍ତେ ମୁଁ ସମସ୍ତଙ୍କୁ ଅଭିବାଦନ ଜଣାଉଛି। ଆପଣମାନେ ଦେଶକୁ ଯେଉଁ ସ୍ତରକୁ ଉଠାଇ ନେଇଛନ୍ତି ତାହା ସାଧାରଣ ସ୍ତର ନୁହେଁ, ସାଧାରଣ ସଫଳତା ନୁହେଁ।
ଭାବବିହ୍ବଳ ହୋଇ ପ୍ରଧାନମନ୍ତ୍ରୀ କହି ପକାଇଲେ, ଭାରତ ଚନ୍ଦ୍ରରେ ଅବସ୍ଥାନ କରୁଛି।

Related Posts

Seo wordpress plugin by www.seowizard.org.