Odisha News

ରେସ୍କ୍ୟୁ ହେଲେ ତନ୍ମୟ, କିନ୍ତୁ ଜୀବନ ଯୁଦ୍ଧରେ ହାରିଗଲା

ଭୋପାଲ,୧୦/୧୨: ଜୀବନ ଯୁଦ୍ଧରେ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ। ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟର କଷ୍ଟସାଧ୍ୟ ଅପରେସନ ସତ୍ତ୍ୱେ ବୋରେୱେଲ ଭିତରେ ଫସି ଯାଇଥିବା ତନ୍ମୟକୁ ବଞ୍ଚାଇ ପାରିନି ପ୍ରଶାସନ। ଶେଷରେ ବରୱେଲ ଭିତରୁ ଉଦ୍ଧାର ହୋଇଛି ତନ୍ମୟର ମୃତଦେହ।
ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡାଭୀ ଗାଁରେ ଖୋଳା ଯାଇଥିବା ଗୋଟିଏ ପରିତ୍ୟକ୍ତ ବରୱେଲରେ ଗତ ମଙ୍ଗଳବାର ଠାରୁ ଫସି ରହିଥିଲା ତନ୍ମୟ। ମଙ୍ଗଳବାର ସନ୍ଧ୍ୟା ୫ଟାରେ ତନ୍ମୟ ବରୱେଲ ନିକଟରେ ଖେଳୁଥିବା ବେଳେ ହଠାତ୍ ତା’ ଭିତରେ ଖସି ପଡ଼ିଥିଲା। ପରିବାର ଲୋକ ତୁରନ୍ତ ପ୍ରଶାସନକୁ ଖବର ଦେଇଥିଲେ। ତେବେ ତନ୍ମୟ ବରୱେଲ ମଧ୍ୟରେ ଖସିପଡ଼ିବାର ଘଣ୍ଟା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ।
ତାକୁ ଉଦ୍ଧାର କରିବାକୁ ପ୍ରଶାସନ ସହ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଥିଲା। ୪ ଦିନ ଧରି ଉଦ୍ଧାରକାରୀ ଟିମ ଅକ୍ଳାନ୍ତ ପରିଶ୍ରମ କରି ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଜେସିବି ସହାୟତାରେ ଚାଲିଥିଲା ଖନନ କାର‌୍ୟ୍ୟ। କିନ୍ତୁ ଟାଣ ପଥର ଓ ପାଣି ବାହାରିବା ଉଦ୍ଧାରକାରୀ ଟିମ୍ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଥିଲା।
ସମୟ ଗଡ଼ିବା ସହ ତନ୍ମୟର ଜୀବନ ପ୍ରତି ଦେଖା ଦେଇଥିଲା ବିପଦ। ତଥାପି ପ୍ରଶାସନ ହାର ନ ମାରି ତନ୍ମୟକୁ ଉଦ୍ଧାର ପାଇଁ ୫୫ଫୁଟ ଗଭୀରର ଗାତ ଖୋଳିଥିଲା। ଏହାପରେ ୧୦ଫୁଟ ସୁଡଙ୍ଗ ଖୋଳାଯାଇ ତନ୍ମୟ ନିକଟରେ ଆଜି ଭୋର ସମୟରେ ପହଞ୍ଚିଥିଲା ଉଦ୍ଧାର କାରୀ ଟିମ୍। ଅତ୍ୟନ୍ତ ସତର୍କତାର ସହ ତନ୍ମୟକୁ ଉପରକୁ ଅଣାଯାଇ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଛନ୍ତି।
ତନ୍ମୟର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତା’ ମା’ ଜ୍ୟୋତି ଓ ବାପା ସୁନୀଲ ସାହୁ ପାଗଳ ପ୍ରାୟ ହୋଇଯାଇଛନ୍ତି। ସେମାନେ କଅଁଳ ପୁଅକୁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ପ୍ରଶାସନ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ସେମାନେ ପୁଅକୁ ଫେରାଇ ଆଣିବାକୁ ଆକୁଳନ ନିବେଦନ କରିବାର ଦୃଶ୍ୟ ବେଶ ହୃଦୟବିଦାରକ।
ସେମାନେ ଜାଣିଛନ୍ତି ଯେ ପୁଅ ଅଫେରା ରାଇଜକୁ ଚାଲି ଯାଇଛି। ତଥାପି ମା’ ବାପା ଏକଥା ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ତନ୍ମୟ ଯେଉଁ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲା, ସେଠି ମଧ୍ୟ ଶୋକର ଚ୍ଛାୟା ଖେଳି ଯାଇଛି।

Related Posts

Seo wordpress plugin by www.seowizard.org.