Odisha News

ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି : ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୨/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହୁ ନ ଥିବାରୁ ରୋଗୀ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ମାସରେ ଜଣେ ନୂତନ ଡାକ୍ତର ହସ୍ପିଟାଲରେ ନିଯୁକ୍ତି ପାଇଥିଲେ। ସେ କିଛିଦିନ କାର୍ଯ୍ୟକରି ଆଉ ଆସୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ବୁଡ଼ାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ଗୁମିକିଆ, ତିଲୋରୀ, ବୁଡ଼ାଗୁଡା ପଞ୍ଚାୟତ ସମେତ ବାଲିଗୁଡ଼ା ବ୍ଲକର ଋତୁଙ୍ଗିଆ, କୋଟଗଡ଼ ବ୍ଲକର ପକାରୀ, ରାଣୀପାଙ୍ଗା ଆଦି ଅଞ୍ଚଳର ପ୍ରାୟ ୮ଟି ପଞ୍ଚାୟତର ପ୍ରାୟ ୩୦ହଜାର ଲୋକ ନିର୍ଭର କରୁଛନ୍ତି। ହେଲେ ସେଠାରେ ନିୟମିତ ଡାକ୍ତର ଓ ଫାର୍ମାସିଷ୍ଟ କେହି ରହୁ ନ ଥିବା ବେଳେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଜଣେ ଆଟେଣ୍ଡାଣ୍ଟରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି।
ରୋଗୀଙ୍କୁ ଆଟେଣ୍ଡାଣ୍ଟମାନେ ଚିକିତ୍ସା କରୁଥିବା ବେଳେ ଅନେକ ସମୟରେ ମରଣମୁହଁରେ ରୋଗୀ ପଡୁଛନ୍ତି। ଯଦି ବି କେହି ଡାକ୍ତର ଉପସ୍ଥିତ ଥାନ୍ତି ସାଧାରଣ ରୋଗ ପାଇଁ ମଧ୍ୟ ଦାରିଙ୍ଗବାଡ଼ି, ବାଲିଗୁଡ଼ା କିମ୍ବା ଫୁଲବାଣୀକୁ ରେଫର କରି ଦିଅନ୍ତି ।
ଫଳରେ ରୋଗୀ ଓ ପରିବାର ଖର୍ଚ୍ଚାନ୍ତରେ ପଡ଼ିଥାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରିୟଦର୍ଶିନୀ ତ୍ରିପାଠୀ କହିଛନ୍ତି, ଡାକ୍ତରଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ଛୁଟିରେ ଯାଇଛନ୍ତି। ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି ।
ଡାକ୍ତର ବୁଡ଼ାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ରହିଥିବା ତାଙ୍କ ନିକଟରେ କୌଣସି ଖବର ନାହିଁ କି ସେ କୌଣସି ଛୁଟି ଦରଖାସ୍ତ ଦେଇ ନ ଥିବା କହିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନ୍ଚାର୍ଜ ସାମନ୍ତରାୟ ଓ ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କ କଥାରେ କୌଣସି ତାଳମେଳ ନ ଥିବାରୁ ସତ୍ୟତା କିଛି ଜଣାପଡୁ ନାହିଁ।
ପ୍ରକାଶ ଯେ, ବୁଡ଼ାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଭାବେ ଗତ ୨୬ରେ ଜଣେ ଡାକ୍ତର ନିଯୁକ୍ତି ପାଇଥିଲେ। ପରେ ୫ ଦିନ ପାଇଁ ତାଙ୍କର ଏକ ଟ୍ରେନିଂ ପଡ଼ିଥିଲା। ଟ୍ରେନିଂ ସରିଥିଲେ ସୁଦ୍ଧା ଡାକ୍ତର ଜଣକ କାହିଁକି ଆସୁନାହାନ୍ତି ଓ ଛୁଟି ଦରଖାସ୍ତ ନ ଦେଇ କିଭଳି ସେ ରହିଛନ୍ତି ତା’ର ତଦନ୍ତ କରାଯିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍ଚାର୍ଜ ସାମନ୍ତରାୟ କହିଛନ୍ତି।
ଆବାସ ଯୋଜନା ଘର ଅପେକ୍ଷାରେ ଗରିବ ପରିବାର
ବାଲିଗୁଡା,୧୨/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେନାପଡ଼ି ଗ୍ରାମର କାର୍ଜି ଦିଗାଲ ଭଲ ଘରଟିଏ ନଥିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାର ସହିତ ରହି ଆସୁଛନ୍ତି । ମାଟି ଘର ସହିତ ଭଙ୍ଗା ଟିଣ ଛପର କରି ରହୁଛନ୍ତି ।
ପରିବାର କହିଲେ ପାଞ୍ଚ ପ୍ରାଣୀ ସ୍ତ୍ରୀ ଏବଂ ୩ ସନ୍ତାନ । କାର୍ଜି ଦୈନନ୍ଦିନ ମଜୁରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି । ବର୍ଷା ଦିନେ ଘରର ଅବସ୍ଥା ନ କହିବା ଭଲ ଘର ଉପରୁ ପାଣି ଝରୁଛି ।
ଅନେକ ଥର ପବନ ଯୋଗୁଁ ଟିଣ ଛପର ମଧ୍ୟ ଉଡ଼େଇ ନେଇଛି । ଆବାସ ଯୋଜନାରେ ଘର ପାଇଁ ଅନେକ ଥର ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିଛନ୍ତି ହେଲେ କୌଣସି ସୁଫଳ ମିଳିନାହିଁ ।
ଘର ମିଳିଯିବ ବୋଲି ଖାଲି ପ୍ରତିଶ୍ରୁତି ଦେଇଛନ୍ତି । ଏ ସମ୍ପର୍କରେ ମିଡ଼ିଆକିଆ ସରପଞ୍ଚ ଅଶୋକ ମଳିକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କାର୍ଜି ଙ୍କର ଆବାସ ଯୋଜନା ଘର ନିମନ୍ତେ ସମସ୍ତ କାଗଜ ପତ୍ର ଅଫିସ ରେ ଦାଖଲ କରିଛନ୍ତି ହେଲେ ଅଫିସ ତରଫରୁ ବର୍ତ୍ତମାନ ଯେଉଁ ଆବାସ ତାଲିକା ବାହାରିଛି ।
ସେଥିରେ ତାଙ୍କର ନା ନଥିବା ମଧ୍ୟ କହିଛନ୍ତି । ହେଲେ କାର୍ଜି ଦିଗାଲ ଙ୍କ ସମେତ ଆହୁରି ଅନେକ ଙ୍କ ର ଆବାସ ତାଲିକାରୁ ନାମ କଟିଛି, ନାମ କିପରି କଟିଲା ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରାଯାଇଛି କ୍ଷ
ଏ ନେଇ ଅଞ୍ଚଳର ଯୁବ ସମାଜ ସେବୀ ବିଞ୍ଜାମିନ ନାୟକଙ୍କ ସମେତ ଗ୍ରାମବାସୀ ଉକ୍ତ ପରିବାରକୁ ତୁରନ୍ତ ସରକାରୀ ଘର ଯୋଗାଇ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ କରିଛନ୍ତି କ୍ଷ

Related Posts

Seo wordpress plugin by www.seowizard.org.