Odisha News

ଫାଇବ୍-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ; ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୩/୫ : ୫-ଟି ସ୍କୁଲ ରୂପାନ୍ତର ଆମ ସ୍କୁଲର ପରିବେଶକୁ ସୁନ୍ଦର କରିବା ସହିତ ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଛି। ଏହା ଭିତରେ ସବୁଠାରୁ ଭଲ କଥା ହେଉଛି, ଝିଅମାନଙ୍କ ପାଇଁ ସ୍ବଚ୍ଛ, ସୁନ୍ଦର ଓ ସ୍ବତନ୍ତ୍ର ପାଇଖାନା ବ୍ୟବସ୍ଥା କରାଯାଇଛି। ଏହା ସ୍କୁଲ ପରିବେଶକୁ ସମସ୍ତଙ୍କ ପାଇଁ ବହୁତ ସହଜ କରିଛି ବୋଲି ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଯୋଗଦେଇ କେତେଜଣ ଛାତ୍ରୀ କହିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ୩ୟ ପର୍ଯ୍ୟାୟ ର ୩ୟ ଦିନରେ ମଙ୍ଗଳବାର ୫ଟି ଜିଲାର ୪୪୯ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଏଥିରେ ବାଲେଶ୍ବର ଜିଲାର ୨୩୩ ହାଇସ୍କୁଲ, ନୟାଗଡ଼ ଜିଲାର ୬୪, ନୂଆପଡ଼ା ଜିଲାର ୫୮, ସୁନ୍ଦରଗଡ଼ ଜିଲାର ୪୯ ହାଇସ୍କୁଲ ଏବଂ ରାୟଗଡ଼ା ଜିଲାର ୪୫ ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ୩ୟ ପର୍ଯ୍ୟାୟ ରେ ୩ଦିନରେ ସମୁଦାୟ ୧୧୩୪ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ଗତ ୨ଟି ପର‌୍ୟ୍ୟାୟରେ ରାଜ୍ୟରେ ୩୯୮୧ ସ୍କୁଲ ରୂପାନ୍ତରିତ ହୋଇଛି। ୩ଟି ପର‌୍ୟ୍ୟାୟ ସମ୍ପୂର୍ଣ୍ଣ ହେବାପରେ ରାଜ୍ୟରେ ସମୁଦାୟ ୬୧୩୨ ସ୍କୁଲ ରୂପାନ୍ତରିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନର ସବୁ କ୍ଷେତ୍ରକୁ ଟେକ୍ନୋଲୋଜି ପ୍ରଭାବିତ କରୁଛି। ତେଣୁ ପିଲାମାନେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ। ସେହିପରି ସମୟ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଦ୍ବିତୀୟ ବିଷୟଟି ହେଉଛି ଟିମ୍ୱାର୍କ। ପିଲାମାନେ ମିଳିମିଶି କାମ କଲେ ସଫଳତାର ସମ୍ଭାବନା ବଢ଼ିବ। କାର‌୍ୟ୍ୟକ୍ରମରେ ଉପସ୍ଥିତ ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର‌୍ୟ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। କାର‌୍ୟ୍ୟକ୍ରମରେ ଉପସ୍ଥିତ ବାଲେଶ୍ବର ଜିଲାରେ ସୋର ବିଧାୟକ ପର୍ଶୁରାମ ଧଡ଼ା, ନୟାଗଡ଼ରେ ବିଧାୟକ ଅରୁଣ କୁମାର ସାହୁ, ନୂଆପଡ଼ାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସୁନ୍ଦରଗଡ଼ରେ ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ରାୟଗଡ଼ାରେ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଯୋଗଦେଇଥିଲେ। ବିଧାୟକ ଅରୁଣ ସାହୁ କହିଛନ୍ତି, ସ୍କୁଲ ରୂପାନ୍ତରଣ ଯୋଗୁ ଆଜି ସରକାରୀ ସ୍କୁଲର ମର‌୍ୟ୍ୟାଦା ବୃଦ୍ଧି ପାଇଛି। ବେସରକାରୀ ସ୍କୁଲରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲକୁ ଫେରାଇ ଆଣୁଛନ୍ତି। କାର‌୍ୟ୍ୟକ୍ରମ ପରିଚାଳନା କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସରକାରୀ ସ୍କୁଲକୁ ରୂପାନ୍ତରଣ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଅଶ୍ବଥୀ ଏସ୍ ସ୍ବାଗତ ଭାଷଣ ଦେଇଥିବା ବେଳେ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

Seo wordpress plugin by www.seowizard.org.