Odisha News

ଜ୍ଞାନପ୍ରଭା ମିଶନର ଦ୍ବିତୀୟ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ବର,୧୦/୨: ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବ୍ୟକ୍ତିତ୍ବରେ ପରିଣତ କରିଥାଏ। ଏହା କହିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ଉତ୍କଳ ମଣ୍ଡପଠାରେ ଆୟୋଜିତ ଜ୍ଞାନପ୍ରଭା ମିଶନର ଦ୍ବିତୀୟ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ମୁଁ ଜାଣି ଆନନ୍ଦିତ ଯେ ଏହି ଅନୁଷ୍ଠାନ ଜଣେ ଆଦର୍ଶ ଜନନୀଙ୍କ ନାମରେ ନାମିତ ହୋଇଛି।
ଆଧ୍ୟାତ୍ମିକ ଗୁରୁ ଯୋଗାନନ୍ଦଙ୍କ ମାତା ଜ୍ଞାନପ୍ରଭାଙ୍କ ନାମରେ ଏହି ମିଶନର ନାମକରଣ ହୋଇଛି। ମାଆଙ୍କ ପ୍ରେରଣାରେ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ। ଠିକ୍ ସେହିପରି ଛତ୍ରପତି ଶିବାଜୀ ଓ ମହାତ୍ମା ଗାନ୍ଧୀ ବି ମାଆଙ୍କ ଲାଗି ମହାନ୍ ହୋଇଛନ୍ତି।ଗ୍ଦ ଭଚ୍ଚ
ରାଷ୍ଟ୍ରପତି ଆହୁରି କହିଛନ୍ତି, ଆଜିର ସମାଜରେ ଆଧ୍ୟାତ୍ମିକତା ବିକାଶ ହେବା ଦରକାର। ଆଜି ଭାରତ ଆର୍ଥିକ ବିକାଶକ କ୍ଷେତ୍ରରେ ବିଶ୍ବର ପଞ୍ଚମ ସ୍ଥାନରେ ଅଛି।
ହେଲେ ଦିନେ ଆମେ ଆର୍ଥିକ ବିକାଶରେ ସାରା ବିଶ୍ବରେ ପ୍ରଥମ ସ୍ଥାନ କରିବା। ଶରୀରକୁ ସୁସ୍ଥ ରଖିବା ଦରକାର ଓ ଆତ୍ମାକୁ ବଳ ଦେବା ଉଚିତ। ମଣିଷ ବସ୍ତୁବାଦୀ ହେବା ଉଚିତ ନୁହେଁ।
ଆତ୍ମଶୁଦ୍ଧି ଲାଗି ଯୋଗର ଆବଶ୍ୟକତା ରହିଛି। ନିଜର ବ୍ୟକ୍ତିଗତ ଅନୁଭୂତିରୁ ସେ କହିଛନ୍ତି, ଗୋଟିଏ ସମୟରେ ମୁଁ ମାନସିକ ଓ ଶାରୀରିକ ଭାବେ ଭାଙ୍ଗି ପଡ଼ିଥିଲି। ଏଭଳି ଅବସ୍ଥାରେ ମୁଁ ଯୋଗକୁ ଗ୍ରହଣ କଲି। ଯୋଗ ପାଇଁ ଆଜି ମୁଁ ଏଠି ଛିଡ଼ାହୋଇଛି, ଆପଣଙ୍କ ସହ କଥା ହେଉଛି।
ବାପାମାଙ୍କ ଫଟୋ ପୂଜା ନୁହେଁ ବରଂ ସେମାନଙ୍କର ଯତ୍ନ ନେବା ଉଚିତ। ବୃଦ୍ଧବୃଦ୍ଧାଙ୍କ ସେବା ହିଁ ମାନବ ଧର୍ମ। ଆଜି ସୁଖ ଅପହଞ୍ଚ ନୁହେଁ, କିନ୍ତୁ ମାନସିକ ଶାନ୍ତି ଅପହଞ୍ଚ ହୋଇଯାଇଛି ବୋଲି ମତ ରଖିଛନ୍ତି ରାଷ୍ଟ୍ରପତି।
ଏହି କାର୍ଯ୍ୟକ୍ରମରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠାତା ପରମହଂସ ପ୍ରଜ୍ଞାନନ୍ଦ ପ୍ରଥମେ ଆଶୀର୍ବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ ଓ ଜ୍ଞାନପ୍ରଭା ମିଶନର ସଭାପତି ଜ୍ୟୋତିର୍ମୟୀ ମିଶ୍ର କାର‌୍ୟ୍ୟକ୍ରମରେ ଅଭିଭାଷଣ ରଖିଥିଲେ।

Related Posts

Seo wordpress plugin by www.seowizard.org.