Odisha News

ଗଜପତି ଜିଲ୍ଲାକୁ ଓଡ଼ିଶା ବିଧାନସଭା ଗୃହ କମିଟି ଅନ୍ତର୍ଗତ ସଦାଚାର କମିଟିର ଦିନିକିଆ ଗ୍ରସ୍ତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୩/୯: ଓଡ଼ିଶା ବିଧାନସଭା ଗୃହ କମିଟି ଅନ୍ତର୍ଗତ ସଦାଚାର କମିଟି ଆଜି ଦିନିକିଆ ଗଜପତି ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏହି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ସଦାଚାର କମିଟିର ଅଧ୍ୟକ୍ଷ ତଥା ବଡ଼ଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏହି ସମୀକ୍ଷା ବୈଠକରେ କମିଟିର ଅଧ୍ୟକ୍ଷ ଶ୍ରୀ ଶତପଥିଙ୍କ ନେତୃତ୍ୱରେ ଆସିଥିବା ସଭ୍ୟ ମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ , ପଟାଙ୍ଗି ବିଧାୟକ ଶ୍ରୀ ପିତମ୍ ପାଢ଼ୀ , ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର , ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗଙ୍କ ସମେତ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଏସପି: ଶ୍ରୀ ଜୟରାମ ଶତପଥି , ଏଡିଏମ୍: ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଏଡିଏମ (ରାଜସ୍ବ) ଶ୍ରୀ ପ୍ରଦୀପ କୁମାର ନାୟକ , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଳ ଖମାରୀ , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନି ମାଝୀ ଏବଂ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ସଦାଚାର କମିଟି ବୈଠକରେ ମୁଖ୍ୟତଃ ବିଧାନସଭା ପ୍ରଣୀତ ବୁକ୍ ସର୍କୁଲାର୍ ୪୭ ଅନୁଯାୟୀ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ସବୁ ଜିଲ୍ଲାର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ଯଥା:- ପାରଳାଖେମୁଣ୍ଡି ଏବଂ ମୋହନାରେ କିଭଳି ଚାଲିଛି , ଯୋଜନା କାର‌୍ୟ୍ୟକ୍ରମ କାର୍ଯ୍ୟକାରୀ ହେବା ବେଳେ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ମାନଙ୍କ ମଧ୍ୟରେ ବୁଝାମଣା ଠିକ୍ ରହୁଛି ନା ନାହିଁ ଏବଂ ଅଞ୍ଚଳ ଓ ଅଞ୍ଚଳବାସୀଙ୍କୁ ସେବା ପ୍ରଦାନ କରିବାରେ କୌଣସି କିଛି ସମସ୍ୟା ରହୁଛି କି , ସେ ସମ୍ପର୍କରେ ଟିକିନିଖି ସମୀକ୍ଷା କରିଥିଲେ ।
ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କମିଟିର ଅଧ୍ୟକ୍ଷ ଶ୍ରୀ ଅମର ପ୍ରସାଦ ଶତପଥି କହିଥିଲେ ଯେ , ଐତିହାସିକ ସମ୍ପନ୍ନ ଗଜପତି ଜିଲ୍ଲାକୁ ଓଡ଼ିଶା ବିଧାନସଭା ଗୃହ କମିଟିର ସଦାଚାର କମିଟି ଆଜି ଗଜପତି ଜିଲ୍ଲା ଗ୍ରସ୍ତରେ ଆସିଛି । ଏହି ଗଜପତି ଜିଲ୍ଲା ଛୋଟ ଜିଲ୍ଲା ହେଲେ ମଧ୍ୟ ଓଡ଼ିଶା ଗଠନରେ ଏହାର ବିଶେଷ ଅବଦାନ ରହିଛି ।
ଏହି ଜିଲ୍ଲାର ଥିବା ଦୁଇଗୋଟି ନିର୍ବାଚନ ମଣ୍ଡଳୀ ଯଥା:-ପାରଳାଖେମୁଣ୍ଡି ଓ ମୋହନାରେ ସରକାରଙ୍କ ପକ୍ଷରୁ ବିଭିନ୍ନ ବିକାଶ ମୂଳକ ଯୋଜନା କାର୍ଯ୍ୟକାରି ହେଉଥିବା ବେଳେ ସେ ସବୁ ଏଠାରେ କିଭଳି କାର୍ଯ୍ୟକାରୀ ହେଉଛି , ଏ ଦିଗରେ ପ୍ରଶାସନିକ ଅଧିକାରୀ ଏବଂ ଲୋକ ପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେଉଛି ନା ନାହିଁ ଏବଂ କାର୍ଯ୍ୟକାରୀ ହେଉଥିବା ଓ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆବଶ୍ୟକ ସଭା ଓ ଆଲୋଚନା କାର୍ଯ୍ୟକ୍ରମ ହେଉଛି ନା ନାହିଁ , ସେ ସବୁ ସମ୍ପର୍କରେ ସମୀକ୍ଷା ହୋଇଥିଲା ।
ସମୀକ୍ଷାରୁ ମୁଖ୍ୟତଃ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସହ ବିକାଶମୂଳକ ଯୋଜନା କାର‌୍ୟ୍ୟ ଆଗେଇ ଚାଲିଛି ଏବଂ ଏଠାରେ କୌଣସି ସମସ୍ୟା ନ ଥିବା ଜଣାପଡ଼ିଛି ବୋଲି କହିଥିଲେ ।
ଏଠାରେ ଯାହାସବୁ ବିକାଶ ମୂଳକ କାର‌୍ୟ୍ୟ ହେଉଛି , ସେ ସବୁ ସରକାରଙ୍କ ଉଦ୍ଦେଶ୍ୟ ପ୍ରକାରେ ଏବଂ ସମସ୍ତଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ ବୋଲି ଶ୍ରୀ ଶତପଥି କହିଥିଲେ ।

Related Posts