Odisha News

କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ

ଯାଜପୁର, ୨୨/୧୧:୧୫ ଘଣ୍ଟାପରେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ ହୋଇଛି ରେଳ ଚଳାଚଳ। ଆଜି ସକାଳେ ୨ଟି ମାଲବାହୀ ଟ୍ରେନ୍ ଓ ଏକ ଯାତ୍ରୀବାହୀ ଟ୍ରେନ୍ କୋରେଇ ଷ୍ଟେସନ ଦେଇ ଗତି କରିଛନ୍ତି।
ହେଲେ କୌଣସି ଟ୍ରେନ୍ କୋରେଇ ଷ୍ଟେସନରେ ୫ଦିନ ଅଟକିବ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣା ପରେ କାମ ଶେଷ ହୋଇନଥିବାରୁ କୋରେଇ ଷ୍ଟେସନରେ କୌଣସି ଟ୍ରେନ୍ ଅଟକିବ ନାହିଁ ବୋଲି କୁହାଯାଇଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗତକାଲି ସକାଳେ ଯାଜପୁର କୋରେଇ ଷ୍ଟେସନରେ ଘଟିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଖଡ଼ଗପୁରରୁ ଛତ୍ରପୁର ଅଭିମୁଖେ ଯାଉଥିବା ଦ୍ରୁତଗାମୀ ମାଲବାହୀ ଟ୍ରେନ ୮ଟି ବଗି ଲାଇନଚ୍ୟୁତ୍ ହୋଇଥିଲା। ଫଳରେ କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ ଘର ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ପ୍ଲାଟଫର୍ମ, ଟ୍ରାକ୍, ଟିକେଟ୍ ଘର, ଯାତ୍ରୀ ବିଶ୍ରାମଗାର ଏବଂ ଫୁଟ୍ ଓଭର ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଥିଲା।
ସ୍ଥାନୀୟ ପ୍ରଶାସନ, ରେଲୱେ ଟିମ୍ ଓ ରେସ୍କ୍ୟୁ ଟିମ୍ ସହାୟତାରେ ଉଦ୍ଧାର କାର‌୍ୟ୍ୟ କରାଯାଇଥିଲା। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ। ଉଭୟ ଅପ୍ ଓ ଡାଉନ୍ ଲାଇନ କ୍ଷତିଗ୍ରସ୍ତ ହୋଇଥିବାରୁ ବହୁ ଟ୍ରେନ୍କୁ ବାତିଲ କରାଯାଇଥିଲାବେଳେ କେତେକ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିଲା।
ଅନ୍ୟପକ୍ଷରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଲାଗି ରେଳ ମନ୍ତ୍ରାଳୟ ପକ୍ଷରୁ ୫ ଲକ୍ଷ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଥିଲା।

Related Posts

Seo wordpress plugin by www.seowizard.org.