ଆହୁରି ୩ ଦିନ ବର୍ଷିବ, ଆଜି ପାଇଁ ୮ଜିଲ୍ଲାକୁ ଅରେଞ୍ଜ ଓ ୭ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର ୨୩/୭: ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ତେବେ ଆଜି ରାଜ୍ୟର ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଓ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନ ଦିଆଯାଇଛି।
ଶନିବାର ସୁନ୍ଦରଗଡ, ବରଗଡ଼ ଓ ଝାରସୁଗୁଡାରେ ପ୍ରବଳ ବର୍ଷାର ଆଶଙ୍କା ଅଛି । ୨୪ରେ ଗଜପତି, ଗଞ୍ଜାମ ଓ କନ୍ଧମାଳରେ ବି ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ଶନିବାର ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
୨୪ରେ ଆଭ୍ୟନ୍ତରୀଣ ଓଡିଶା ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି ।
ଶୁକ୍ରବାର ଟିଟିଲାଗଡରେ ୪୯.୨ ମିଲିମିଟର, ବାରିପଦାରେ ୨୧.୨, ଭଦ୍ରକରେ ୨୦, କେନ୍ଦୁଝରରେ ୧୮.୬, ଝାରସୁଗୁଡାରେ ୧୬, ଯାଜପୁରରେ ୧୪ ଓ ବାଲେଶ୍ୱରରେ ୧୩.୫ ମିମି ବର୍ଷା ରେକର୍ଡ ହୋଇଛି ।
ସେହିପରି ଜଳସମ୍ପଦ ବିଭାଗର ତଥ୍ୟ ଅନୁସାରେ, ପାନପୋଷରେ ୮୬.୨ମିଲିମିଟର, ପରମାଣପୁରରେ ୯୨.୪ ମିମି ବର୍ଷା ରେକର୍ଡ ହୋଇଛି। ଜୁନ୍ ୧ରୁ ଜୁନ୍ ୨୨ ସୁଦ୍ଧା ରାଜ୍ୟରେ ୩୧୫.୫ମିଲିମିଟର ବର୍ଷା ହୋଇଛି ।
ତେବେ ଜୁନ୍ରୁ ଜୁଲାଇ ୨୨ ସୁଦ୍ଧା ମୋଟ ୪୪୬.୮ମିମି ବର୍ଷା ହୋଇଛି । ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ମାଲକାନଗିରିରେ ଅତ୍ୟଧିକ ବର୍ଷା ହୋଇଛି । ସମ୍ବଲପୁର ଓ ସୁନ୍ଦରଗଡରେ ନିଅଣ୍ଟିଆ ବର୍ଷା ହୋଇଛି ।